ଦେଶର ସବୁ ଡ଼ାକ୍ତରଙ୍କୁ ଭାରତ ରତ୍ନ ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଚଳିତ ବର୍ଷ ଦେଶର ସବୁ ଡ଼ାକ୍ତର ମାନଙ୍କୁ ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ପ୍ରଦାନ କରିବାକୁ ଦାବି କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଏନେଇ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ଏକ ଚିଠି ଲେଖିଛନ୍ତି ।

କେଜ୍ରିୱାଲ କହିଛନ୍ତି ଯେ, ଡାକ୍ତର ମାନଙ୍କୁ ଭାରତ ରତ୍ନ ଦିଆଗଲେ ପୂରା ଦେଶ ଖୁସି ହେବ । ନିଜର ଓ ନିଜ ପରିବାର କଥା ଚିନ୍ତା ନ କରି ଲୋକଙ୍କ ସେବାରେ ସମର୍ପିତ ଡାକ୍ତରଙ୍କୁ ଏହି ସମ୍ମାନ ଦିଆଯିବା ଉଚିତ । କରୋନା ରୋଗୀଙ୍କ ଚିକିତ୍ସା ବେଳେ ନିଜ ଜୀବନ ହରାଇଥିବା ଡାକ୍ତରଙ୍କ ପାଇଁ ମଧ୍ୟ ଭାରତ ରତ୍ନ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କେଜ୍ରିୱାଲ ଟ୍ୱିଟ୍ କରି କହିଛନ୍ତି ।

ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ କହିଛନ୍ତି ଯେ, ଦେଶର ଡାକ୍ତର, ନର୍ସ ଓ ପାରାମେଡିକାଲ ଷ୍ଟାଫ୍ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ଜୀବନ ବଞ୍ଚାଇଛନ୍ତି । ଏମାନଙ୍କୁ ସମ୍ମାନ ମିଳିବା ଉଚିତ ।

ଭାରତୀୟ ଭେଷଜ ସଂଘ (ଆଇଏମ୍‌ଏ)ର ତଥ୍ୟ ଅନୁସାରେ, କରୋନାର ଦ୍ୱିତୀୟ ଲହରୀରେ ଜୁନ୍ ସୁଦ୍ଧା ୭୩୦ ଡାକ୍ତରଙ୍କ ମୃତ୍ୟୁ ହୋଇଛି । ବିହାରରେ ସର୍ବାଧିକ ୧୧୫ ଡାକ୍ତରଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ୧୦୯, ଉତ୍ତର ପ୍ରଦେଶରେ ୭୯, ପଶ୍ଚିମବଙ୍ଗରେ ୬୨, ରାଜସ୍ଥାନରେ ୪୩, ଝାଡ଼ଖଣ୍ଡରେ ୩୯ ଏବଂ ଆନ୍ଧ୍ର ପ୍ରଦେଶରେ ୩୮ ଜଣ ଡାକ୍ତର କୋଭିଡ୍‌ରେ ପ୍ରାଣ ହରାଇଛନ୍ତି । ଦେଶରେ କରୋନାର ପ୍ରଥମ ଲହରୀରେ ୭୪୮ ଜଣ ଡାକ୍ତରଙ୍କ ମୃତ୍ୟୁ ହୋଇଥିଲା ।

Comments are closed.