ରଦ୍ଦ ହେବା ସତ୍ତ୍ୱେ ଆଇଟି ଆଇନର ଧାରା ୬୬-ଏ ଅନୁଯାୟୀ ରୁଜୁ ହେଉଛି ମାମଲା, ଆଶ୍ଚର୍ଯ୍ୟ ପ୍ରକାଶ କଲେ ସୁପ୍ରିମକୋର୍ଟ, କେନ୍ଦ୍ରକୁ ନୋଟିସ୍

ନୂଆଦିଲ୍ଲୀ: ଆଇଟି ଆଇନର ଧାରା ୬୬-ଏ ରଦ୍ଦ ହେବା ପରେ ମଧ୍ୟ ଏହା ଅଧୀନରେ ମାମଲା ରୁଜୁ କରାଯାଉଥିବାରୁ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ଆଇନକୁ ଅସାମ୍ବିଧାନିକ ଘୋଷଣା କରାଯାଇଥିଲେ ମଧ୍ୟ ଏହା ଅନୁଯାୟୀ ସମଗ୍ର ଦେଶରେ ୧୦୦୦ରୁ ଊର୍ଦ୍ଧ୍ବ ମାମଲା ରୁଜୁ କରାଯିବା ଆଶ୍ଚର୍ଯ୍ୟଜନକ ବିଷୟ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଆମେ ଏ ସଂକ୍ରାନ୍ତରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ ବୋଲି କହି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ଦୁଇ ସପ୍ତାହ ମଧ୍ୟରେ ଜବାବ ଦେବାକୁ କେନ୍ଦ୍ରକୁ କୁହାଯାଇଛି।

ଆବେଦନକାରୀ ପିୟୁସିଏଲ୍ ଦ୍ୱାରା ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟ ଏଭଳି ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଧାରା ୬୬-ଏ’ ଅନୁଯାୟୀ ମାମଲା ରୁଜୁ ନ କରିବାକୁ ସମସ୍ତ ପୋଲିସ ଷ୍ଟେସନକୁ ନିର୍ଦ୍ଦେଶ ଦେବା ପାଇଁ ଏହି ପିଟିସନରେ ନିବେଦନ କରାଯାଇଥିଲା ।

ସୂଚନା ପ୍ରଯୁକ୍ତିବିଦ୍ୟା ଅଧିନିୟମର ଧାରା ୬୬-ଏ’କୁ ସୁପ୍ରିମକୋର୍ଟ ମାର୍ଚ୍ଚ ୨୪, ୨୦୧୫ରେ ଅସାମ୍ବିଧାନିକ ବୋଲି ଦର୍ଶାଇ ରଦ୍ଦ କରିଥିଲେ ।

ଆଇଟି ଆକ୍ଟର ଅପବ୍ୟବହାରକୁ ନେଇ ଦୀର୍ଘଦିନ ଧରି ଅଭିଯୋଗ ହୋଇ ଆସୁଥିଲ । ଏ ସମ୍ପର୍କରେ କୋର୍ଟରେ ମଧ୍ୟ ଏକ ପିଟିସନ ଦାଖଲ କରାଯାଇଥିଲା। ଏ ବାବଦରେ ସୋସିଆଲ ମିଡିଆରେ ଅଭିବ୍ୟକ୍ତିର ସ୍ୱାଧୀନତାର ପ୍ରଶ୍ନ ମଧ୍ୟ ଉଠିଥିଲା, ଯାହାକୁ କୋର୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ |

Comments are closed.