ଜଗତର ନାଥଙ୍କ ସେ ଜଣେ ନିଆରା ଭକ୍ତ, କାଳିଆ ଠାକୁରଙ୍କ ଭିନ୍ନ ଜଣେ ଉପାସିକା। ଲେଖନୀ ମୂନରୁ ଆରମ୍ଭ କରି ବିଭିନ୍ନ କଳାକୃତିରେ ସେ ଓଡ଼ିଆଙ୍କ ଆରାଧ୍ୟ ଭଗବାନଙ୍କୁ ଦେଇଛନ୍ତି ରୂପ, ରଙ୍ଗ ଆଉ ଆକାର। କେତେବେଳେ କାଗଜ ପେନ୍ସିଲରେ ତ କେତେବେଳେ ରଙ୍ଗ ଓ ତୁଳୀରେ, କେବେ ରଙ୍ଗୀନ କାଗଜ ଆଉ ଅଠାରେ, ପୁଣି କେବେ ଧାନ କେଣ୍ଡା ଅଥବା ନୂଆ ପୁରୁଣା ମୁଦ୍ରାରେ, ପୁଣି କେବେ ସୋଲ, ଆଟା, କଉଡ଼ି, ଧାନ ଚାଉଳରେ ସେ ଚକାନୟନଙ୍କୁ ସଜାଇଛନ୍ତି। ଆଉ କେବେ ସଙ୍ଗୀତର ସ୍ଵର ଓ ସୁମଧୁର କଣ୍ଠରେ ସେ ବଡ଼ ଠାକୁରଙ୍କୁ ସମର୍ପି ଦେଇଛନ୍ତି ଅର୍ଘ୍ୟ ଜଣାଣ। ବାସ୍ତବରେ ସେ ମହାବାହୁ କାଳିଆ ସାଆନ୍ତଙ୍କ ଭକ୍ତିରେ ତଲ୍ଲୀନ ଜଣେ ନିଆରା ସଂସାରୀ, ଅନନ୍ୟା ନାରୀ। ସେ ହେଉଛନ୍ତି ବ୍ରହ୍ମପୁର ଗଜପତି ନଗର ୭ମ ଗଳି ବାସିନ୍ଦା ପୁଷ୍ପାଞ୍ଜଳୀ ପଟ୍ଟନାୟକ।
ତାଙ୍କ ବୟସ ଏବେ ୭୧। ହେଲେ ତାଙ୍କର ବର୍ଷ ବର୍ଷ ବିତିଯାଇଛି ମହାପ୍ରଭୁଙ୍କ ଭକ୍ତିଭାବନାରେ। ମନରେ ଗୋଟିଏ ଦୁଃଖ ଥିଲା ଯେ- ପ୍ରାୟ ୨୫ ବର୍ଷ ତଳେ ପ୍ରଥମ ଥର ବାହୁଡ଼ା ଯାତ୍ରା ବେଳେ ସ୍ଵାମୀଙ୍କ ସହ ଯାଇଥିଲେ ଶ୍ରୀକ୍ଷେତ୍ର। ହେଲେ ରତ୍ନ ସିଂହାସନରେ ଠାକୁରଙ୍କୁ ଦର୍ଶନ ସୁଯୋଗ ମିଳି ନଥିଲା। ବଡ଼ ଦାଣ୍ଡରେ ରଥ ଉପରେ ବି କାଳିଆ ନୟନଙ୍କୁ ଦେଖିବା ସୌଭାଗ୍ୟ ଜୁଟି ନଥିଲା। ନିରାଶ ହୋଇ ଫେରି ଆସିଥିଲେ ବ୍ରହ୍ମପୁର। ସ୍ଵାମୀ ଲିଙ୍ଗରାଜ ପଟ୍ଟନାୟକଙ୍କୁ ଜଣାଇଥିଲେ ମନର ବେଦନା। ଆଉ ସ୍ବାମୀ କହିଥିଲେ ଠାକୁର ତ ସର୍ବତ୍ର ବିଦ୍ୟମାନ। ତୁମେ ଚକ୍ଷୁରେ ଦେଖି ନପାରିଲେ କଣ ହେଲା, ମନ ତଥା ଅନ୍ତରର ନୟନରେ ଦର୍ଶନ କର। ବାସ୍, ତା ପରଦିନ କାଗଜ, ପେନସିଲ୍ ଧରି ଚକା ଆଖି, ଶ୍ରୀଚୈତନ୍ୟଙ୍କ ଶ୍ରୀମୁଖ ଆଙ୍କି ପକାଇଥିଲେ। ମଥା ସିନ୍ଦୁରରେ ପାଟି, କଜଳରେ ଚକା ଆଖିକୁ ଚିତ୍ରିତ କରି ଦେଇଥିଲେ। ଘରେ ଥିବା ହଳଦୀ ଓ ଅଳତାରେ ରଙ୍ଗୀନ କରି ପକାଇଥିଲେ। ଆଗରୁ ଏମିତି ଚିତ୍ର ଆଙ୍କିବା ଅଭ୍ୟାସ ନଥିଲା। ହେଲେ ମନରେ ବଡ଼ ଦିଅଁଙ୍କ ଚିନ୍ତା ଆଉ ଚେତନା ଏତେ ଆଚ୍ଛାଦିତ ଥିଲା ଯେ- ହାତ ଆପେ ଆପେ ଚାଲିଲା ଆଉ ସୃଷ୍ଟି ହୋଇଗଲା ଦାରୁବ୍ରହ୍ମଙ୍କ ଏକ ଚିତ୍ର।
ଜୀବନ ଜଞ୍ଜାଳରୁ ସମୟ ବାହାର କରି ନିତ୍ୟ ନିୟମିତ ଠାକୁରଙ୍କ ଭିନ୍ନ ଭିନ୍ନ କଳାକୃତି ସୃଷ୍ଟି କରିବାରେ ଲାଗି ପଡ଼ିଲେ ସେ। କେବେ ଚିତ୍ର ଆଙ୍କିଲେ ତ କେବେ ଭିନ୍ନ ଭିନ୍ନ ସାମଗ୍ରୀ ଧରି କଳାକୃତି ସୃଷ୍ଟି କଲେ। ଏଯାବତ୍ ପ୍ରାୟ ୧୧୦୦ରୁ ଅଧିକ ବଡ଼ ଠାକୁରଙ୍କ ଚିତ୍ର , କଳାକୃତି ସୃଷ୍ଟି କରି ସାରିଲେଣି ସେ। ଘର ସାରା ବଡ଼ ଠାକୁରଙ୍କ ଛୋଟ ବଡ଼ ମୂର୍ତ୍ତି ଚମତ୍କାର, ଚିତ୍ର ଓ କଳାକୃତି ସଜାଇ ରଖିଛନ୍ତି ସେ। ଠାକୁରଙ୍କ ବିଭିନ୍ନ ବେଶ, ବିଭିନ୍ନ ରୂପକୁ ମନଜିଣା ଢଙ୍ଗରେ ସେ ଭିନ୍ନ ଭିନ୍ନ ସାମଗ୍ରୀ ବ୍ୟବହାର କରି ପୁଣି ତିଆରି କରିଛନ୍ତି।
ଶ୍ରୀଜଗନ୍ନାଥଙ୍କ ଭକ୍ତିରେ ବିଭୋର ହୋଇ ସାଧାରଣ ଚିତ୍ରଟିଏ ଆଙ୍କିଥିଲେ, ହେଲେ ଆଜି ସେ ମହାବାହୁଙ୍କ ଅନନ୍ୟ କାରୁକାର୍ଯ୍ୟ ଓ କଳାକୃତିର ସୃଷ୍ଟିକର୍ତ୍ତା। ପୁଷ୍ପାଞ୍ଜଳୀ ଦେବୀ କୁହନ୍ତି- ସବୁ ପ୍ରଭୁଙ୍କ ଇଚ୍ଛା ଓ ଲୀଳା। ତାଙ୍କ ଲାଗି ମୁଁ ଆଜି ଚିତ୍ରକର, ଶିଳ୍ପୀ, ସୁଲେଖିକା, କଣ୍ଠଶିଳ୍ପୀ। ପ୍ରଥମେ କେବଳ ଚିତ୍ର କରୁଥିଲି, ରଙ୍ଗ ଦେଉଥିଲି। ପରେ ରଙ୍ଗୀନ କାଗଜ କାଟି ତାକୁ ଅଠାରେ ଯୋଡ଼ି ଠାକୁରଙ୍କ ରୂପ ସୃଷ୍ଟି କଲି। ପରେ ସମୟ ବାହାର କରି ଛୁଞ୍ଚି ସୂତାରେ ସିଲେଇ କରି ଓ ବିଭିନ୍ନ ସାମଗ୍ରୀ ବ୍ୟବହାର କରି କେତେବେଳେ ଯେ ଭାବ ବିନୋଦିଆଙ୍କ ଗୋଟିଏ ପରେ ଗୋଟିଏ ସହସ୍ରାଧିକ କଳାକୃତି ସୃଷ୍ଟି କରିଲି ତାହା ସବୁ ଠାକୁରଙ୍କ କୃପା।
ସେ ଜଣେ ସାରସ୍ବତ ସାଧିକା, ୩୨ ଖଣ୍ଡରୁ ଅଧିକ ପୁସ୍ତକର ରଚୟିତା। ମହାପ୍ରଭୁଙ୍କ ଭକ୍ତି ଆବେଗରେ ସେ ନିକଟରେ ପ୍ରକାଶ କରିଛନ୍ତି ଭକ୍ତି ରସାତ୍ମକ ପୁସ୍ତିକା ‘ବ୍ରହ୍ମଲୀଳା’ ଯେଉଁଥିରେ ନିଜ କୃତ ଠାକୁରଙ୍କ ବିଭିନ୍ନ କଳାକୃତି, ବେଶ ଓ ରୂପକୁ ଫଟୋ ଆକାରରେ କାଗଜର ପୃଷ୍ଠାରେ ରଙ୍ଗୀନ ଭାବେ ସଜାଇଛନ୍ତି। ସେଥିପାଇଁ ଏଇ ବୟସରେ ସେ କମ୍ପ୍ୟୁଟର ଶିଖି, ନିଜେ ଡିଟିପି କରିବା ସହ ସଂଶୋଧନ କରି ପ୍ରସ୍ତୁତ କରିଥିଲେ ଏହି ବହିର ପାଣ୍ଡୁଲିପି। ତାଙ୍କର ଆଉ ଏକ ପରିଚୟ ସେ ହେଉଛନ୍ତି ଦକ୍ଷିଣ ଓଡ଼ିଶାର ପ୍ରଥମ ମହିଳା ରେକି ଗୁରୁ ଓ ପ୍ରଥମ ରେକି ପୁସ୍ତକ ଲେଖିକା। ନିଜ ଅନୁଭବ ଓ ଅନୁଭୂତିକୁ ନେଇ ସେ ଲେଖିଛନ୍ତି ‘ରେକି ଶକ୍ତି’। ଆକାଶବାଣୀର ଜଣେ ସ୍ବୀକୃତିପ୍ରାପ୍ତ ଗୀତିକାର ମଧ୍ୟ ପୁଷ୍ପାଞ୍ଜଳୀ ପଟ୍ଟନାୟକ। ବାସ୍ତବରେ ସାଂସାରିକ ଜୀବନ ମଧ୍ୟରେ ଜଡ଼ିତ ରହି ସୁଦ୍ଧା ତାଙ୍କ ନମ୍ରତା, ସମର୍ପଣ ଭାବ, ପରମ୍ପରା ଓ ସଂସ୍କୃତିକୁ ସମ୍ମାନ ଆଜିକାର ମହିଳା ସମାଜ ପାଇଁ ଏକ ଅନ୍ତହୀନ ଦିଗ୍ବଳୟ।
Comments are closed.