ଖୁବଶୀଘ୍ର ହୋଇପାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ନେତାଙ୍କୁ ଦିଲ୍ଲୀ ଡ଼ାକରା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସପ୍ତାହରେ ତାଙ୍କ କ୍ୟାବିନେଟ ସମ୍ପ୍ରସାରଣ କରିପାରନ୍ତି। ଏନେଇ ପ୍ରାକ୍ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କ୍ୟାବିନେଟ ସମ୍ପ୍ରସାରଣରେ ପ୍ରାୟ ଦେଢ଼ ଡଜନ ନୂଆ ମନ୍ତ୍ରୀଙ୍କୁ ସାମିଲ କରାଯିବାର ସମ୍ଭାବନା ରହିଛି। ପୂର୍ବରୁ ଅତିରିକ୍ତ ଦାୟିତ୍ବ ତୁଲାଉଥିବା ଅନେକ ମନ୍ତ୍ରୀଙ୍କ ବୋଝ ମଧ୍ୟ ହ୍ରାସ କରାଯିବ। ନିକଟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ରାଜ୍ୟମାନଙ୍କୁ କ୍ୟାବିନେଟର ସମ୍ପ୍ରସାରଣରେ ବିଶେଷ ଧ୍ୟାନ ଦିଆଯିବ। ତେବେ ସେପଟେ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ ନେଇ ମଙ୍ଗଳବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାସଭବନରେ ହେବାକୁ ଥିବା ବରିଷ୍ଠ ମନ୍ତ୍ରୀଙ୍କ ସହ ବୈଠକ ବାତିଲ କରାଯାଇଛି।

ସୂଚନାଯୋଗ୍ୟ ଯେ ଏହି ବୈଠକରେ ବିଜେପି ସଭାପତି ଜେପି ନଡ୍ଡା, ରାଜନାଥ ସିଂହ, ଅମିତ ଶାହା, ନିର୍ମଳା ସୀତାରମଣଙ୍କ ସହ ଅନେକ ବରିଷ୍ଠ ମନ୍ତ୍ରୀ ଯୋଗଦେବାର ଥିଲା। ଏହି ବୈଠକ ଏବେ କେଉଁ ଦିନ ଅନୁଷ୍ଠିତ ହେବ ସେ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଥିବା ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ଜ୍ୟୋତିରାଦିତ୍ୟ ସିନ୍ଦିଆ ଏବଂ ନାରାୟଣ ରାଣେଙ୍କ ସମେତ ଅନେକ ନେତାଙ୍କୁ ଆଜି ଦିଲ୍ଲୀ ଡକାଯାଇଛି। ଅଧିକାଂଶ ସାଂସଦ ଏବଂ ନେତା ଆଜି ଅପରାହ୍ନରେ ଦିଲ୍ଲୀରେ ପହଞ୍ଚିବେ ।

Comments are closed.