ମହିଳା ଓ ଶିଶୁ ବିକାଶ ବିଭାଗର ସଚିବ ଭାବେ ଡ. ପ୍ରମୋଦ କୁମାର ମେହେର୍ଦ୍ଧାଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଭାରତୀୟ ପ୍ରଶାସନିକ ସେବାର ବରିଷ୍ଠ ଅଧୁକାରୀ ଡ . ପ୍ରମୋଦ କୁମାର ମେହେର୍ଦ୍ଧା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗର କମିଶନର ତଥା ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ବିଭାଗର ଅଧିକାରୀ ଓ କର୍ମଚାରୀମାନେ ନୂତନ କମିଶନରଙ୍କୁ ସ୍ଵାଗତ ଜଣାଇଥିଲେ ।

ଦାୟିତ୍ବ ଗ୍ରହଣ କରିବା ପରେ ଡ . ମେହେର୍ଦ୍ଧା ବିଭାଗର ସମସ୍ତ ବରିଷ୍ଠ ଅଧିକାରୀମାନଙ୍କ ସହ କୋଭିଡ୍ ପ୍ରୋଟୋକଲ ମଧ୍ୟରେ ବିଭାଗର ବିଭିନ୍ନ ଯୋଜନା , କାର୍ଯ୍ୟକ୍ରମ ଏବଂ ଆକ୍ସନ୍ ପ୍ଲାନ୍ ସଂପର୍କରେ ପ୍ରାରମ୍ଭିକ ଆଲୋଚନା କରିଥିଲେ । ବିଶେଷ କରି ପୋଷଣ କାର୍ଯ୍ୟକ୍ରମ , ମମତା ଯୋଜନା , ସମନ୍ବିତ ଶିଶୁବିକାଶ ଯୋଜନା , ଅଙ୍ଗନବାଡ଼ି ସେବା ଆଦିର କାର୍ଯ୍ୟକାରିତା ସଂପର୍କରେ ଅବଗତ ହୋଇଥିଲେ । କୋଭିଡ୍ କଠିନ ପରିସ୍ଥିତିରେ ମଧ୍ୟ ବିଭାଗ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ସଫଳତାର ସହ ସଂପାଦନ କରିଥିବାରୁ ସଚିବ ବିଭାଗୀୟ କାର୍ଯ୍ୟଦକ୍ଷତାକୁ ପ୍ରଶଂସା କରିଥିଲେ । ମହିଳା ଓ ଶିଶୁ ବିକାଶ ବିଭାଗ ରାଜ୍ୟ ସରକାରଙ୍କ ଏକ ଗୁରୁତ୍ଵପୂର୍ଣ୍ଣ ବିଭାଗ । ମହିଳା ଓ ଶିଶୁମାନଙ୍କ ନିମନ୍ତେ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ ହେଉଥିବା ବହୁବିଧ ଯୋଜନାକୁ ଏହି ବିଭାଗର ଅଧିକାରୀମାନେ ହିତାଧିକାରୀଙ୍କ ନିକଟରେ ପହଞ୍ଚାଇଥାନ୍ତି । ନିଜ ଶକ୍ତି ଓ ସାମର୍ଥ୍ୟର ପୂର୍ଣ୍ଣ ଉପଯୋଗ କରି ବିଭାଗ ମାଧ୍ୟମରେ ରାଜ୍ୟର ମହିଳା ଓ ଶିଶୁମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଅଧିକାରୀ ଓ କର୍ମଚାରୀମାନେ ନିଷ୍ଠାପର ଉଦ୍ୟମ କରିବାକୁ ସଚିବ ଡ. ମେହେର୍ଦ୍ଦା ପରାମର୍ଶ ଦେଇଥିଲେ ।

ଆଜିର ଏହି ବୈଠକରେ ବିଭାଗର ନିର୍ଦ୍ଦେଶକ , ସମାଜ କଲ୍ୟାଣ ଅରବିନ୍ଦ ଅଗ୍ରୱାଲଙ୍କ ସମେତ ଅତିରିକ୍ତ ଶାସନ ସଚିବ , ଯୁଗ୍ମ ଶାସନ ସଚିବ ଓ ଅନ୍ୟ ବରିଷ୍ଠ ଅଧିକାରୀ ଏବଂ କନ୍‌ସଲଟାଣ୍ଟମାନେ ଉପସ୍ଥିତ ଥିଲେ । ପ୍ରକାଶ ଥାଉ କି , ଡ . ମେହେର୍ଦ୍ଦା ମହାମାନ୍ୟ ରାଜ୍ୟପାଳଙ୍କ କମିଶନର ତଥା ଶାସନ ସଚିବ ଭାବେ ମଧ୍ୟ ଦାୟିତ୍ୱ ନିର୍ବାହ କରୁଛନ୍ତି ।

Comments are closed.