ପରଲୋକରେ ଭାରତୀୟ ସିନେମାର ମାର୍ଲୋନ ବ୍ରାଣ୍ଡୋ -ଦିଲୀପ କୁମାର

ମୁମ୍ବାଇ – କିମ୍ବଦନ୍ତୀ ଅଭିନେତା ଦିଲୀପ କୁମାର ଆଉ ନାହାନ୍ତି । ୯୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଭାରତୀୟ ସିନେମାର ଟ୍ରାଜେଡି କିଙ୍ଗ୍ । ସେ ବେଶ୍ କିଛି ଦିନ ଧରି ଅସୁସ୍ଥ ଥିଲେ । କିଛି ଦିନ ତଳେ ସେ ହସପିଟାଲରେ ପୁଣି ଭର୍ତ୍ତି ହୋଇଥିଲେ । ଦିଲୀପ କୁମାରଙ୍କ କୌଣସି ସନ୍ତାନ ସନ୍ତତି ନାହାନ୍ତି । ଲୋକପ୍ରିୟ ଅଭିନେତ୍ରୀ ସାଇରା ବାନୋ ତାଙ୍କର ପତ୍ନୀ । ଜୀବନ୍ତ ଓ ବଳିଷ୍ଠ ଅଭିନୟ ପାଇଁ ତାଙ୍କୁ ହଲିଉଡର ପ୍ରଖ୍ୟାତ ଅଭିନେତା ମାର୍ଲୋନ ବ୍ରାଣ୍ଡୋ ଓ ଇଟାଲୀର କିମ୍ବଦନ୍ତୀ ମାର୍ସେଲୋ ମାସ୍ତୋରିଆନଙ୍କ ସହ ତୁଳନା କରାଯାଏ ।
ଭାରତୀୟ ସିନେମାର ସର୍ବଶ୍ରେଷ୍ଠ ଅଭିନେତାଙ୍କ ମଧ୍ୟରେ ଦିଲୀପ କୁମାର ଥିଲେ ଅନ୍ୟତମ । ଚାଳିଶ ଦଶକରେ ଫିଲ୍ମରେ କ୍ୟାରିୟର ଆରମ୍ଭ କରିଥିବା ଅଭିନେତାଙ୍କ ମଧ୍ୟରେ ଦିଲୀପ କୁମାର ଥିଲେ ଅନ୍ୟତମ । ରାଜକପୁର, ଦେବାନନ୍ଦଙ୍କ ଥିଲେ ସେ ସମସାମୟିକ । ୧୯୨୨ ମସିହା ଡିସେମ୍ବରରେ ଆଜିର ପାକିସ୍ତାନର ପେଶୱାରରେ ଜନ୍ମ ଗ୍ରହଣ କରିଥିଲେ ଦିଲୀପ କୁମାର । ପ୍ରକୃତ ନାମ ଥିଲା ୟୁସୁଫ କୁମାର । କିନ୍ତୁ ସିନେମା ଅଭିନୟ ଜଗତରେ ପାଦ ଦେଲା ପରେ ସେ ଦିଲୀପ କୁମାର ନାମ ଗ୍ରହଣ କରିଥିଲେ । ଅଭିନେତ୍ରୀ ସୁରେୟା ତାଙ୍କ ନାମ ଦିଲୀପ କୁମାର ରଖିଥିଲେ । ଆଉ ଏହି ନାଁରେ ହି ୟୁସୁଫ ପରିଚିତ ହେଲେ ।
୧୯୪୪ ‘ଜୁଆର ଭଟ୍ଟା’ ଥିଲା ଦିଲୀପ କୁମାରଙ୍କ ଅଭିନୀତ ପ୍ରଥମ ଫିଲ୍ମ । କିନ୍ତୁ ୧୯୪୯ର ଫିଲ୍ମ ଅନ୍ଦାଜ ତାଙ୍କୁ ଖ୍ୟାତି ଆଣି ଦେଇଥିଲା । ଏହି ଫିଲ୍ମରେ ରାଜ କପୁର ଓ ନର୍ଗିସ ମଧ୍ୟ ଅଭିନୟ କରିଥିଲେ । ଅନେକ ଫିଲ୍ମରେ ବିୟୋଗାନ୍ତକ ନାୟକ ଭୂମିକାରେ ଚମତ୍କାର ଅଭିନୟ ଯୋଗୁଁ ତାଙ୍କୁ ଟ୍ରାଜେଡି କିଙ୍ଗ୍ ବୋଲି କୁହାଯାଉଥିଲା । ଦେବଦାସ ଫିଲ୍ମର ଟାଇଟଲ ଅଭିନୟରେ ଦିଲୀପଙ୍କ ଅଭିନୟ ଭାରତୀୟ ସିନେମାରେ ଏକ ମାଇଲଖୁଂଟ ହୋଇ ରହିଛି । ସବୁ ପ୍ରକାର ଭୂମିକାରେ ଜୀବନ୍ତ ଓ ବଳିଷ୍ଠ ଅଭିନୟ ହିଁ ତାଙ୍କୁ ଲୋକପ୍ରିୟତାର ଶୀର୍ଷରେ ପହଂଚାଇଥିଲା । ଚରିତ୍ର ଅଭିନେତା ଭାବେ ବି ଅଶେଷ ଲୋକପ୍ରିୟତା ହାସଲ କରିଥିଲେ ଦିଲୀପ କୁମାର । ୧୯୯୮ରେ ‘ମଜବୁର’ ଥିଲା ଦିଲୀପଙ୍କ ଅଭିନୀତି ଶେଷ ଚଳଚ୍ଚିତ୍ର ।
ମେଲା, ନୟାଦୌର, ମୁଗଲ-ଏ-ଆଜମ, ଗଙ୍ଗା ଯମୁନା, ଦେବଦାସ, ଅନ୍ଦାଜ, ଗୋପୀ, ମଶାଲ, ଶକ୍ତି, ସୌଦାଗର ଭଳି ଅନେକ ଫିଲ୍ମରେ ନିଜ ଉଚ୍ଚକୋଟୀର ଅଭିନୟର ଛାପ ଛାଡି ଯାଇଛନ୍ତି ଦିଲୀପ । ୬୫ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ ଦିଲୀପ କୁମାର ।
ଦାଦା ସାହେବ ଫାଲକେ ପୁରସ୍କାର ଭଳି ଅନେକ ଜାତୀୟ ଓ ଅନ୍ତର୍ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଥିଲେ ଦିଲୀପ । ୧୯୬୬ରେ ସେ ସାଇରା ବାନୋଙ୍କୁ ବିବାହ କରିଥିଲେ ।

Comments are closed.