ହାଇତିର ରାଷ୍ଟ୍ରପତି ଜୋଭେନେଲ ମୋଇସେଙ୍କୁ ହତ୍ୟା

ପୋର୍ଟ-ଅଉ-ପ୍ରିନ୍ସ: ହାଇତିର ରାଷ୍ଟ୍ରପତି ଜୋଭେନେଲ ମୋଇସେଙ୍କୁ ତାଙ୍କ ବ୍ୟକ୍ତିଗତ ବାସଭବନରେ ହତ୍ୟା କରାଯାଇଛି। ହାଇତିର ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ ଏହି ଘଟଣା ସମ୍ପର୍କରେ ସ୍ପଷ୍ଟ କରିଛନ୍ତି। ଏକ କମାଣ୍ଡୋ ଟିମ୍ ରାଷ୍ଟ୍ରପତି ମୋଇସେଙ୍କୁ ତାଙ୍କ ବାସଭବନରେ ପଶି ଗୁଳି କରି ହତ୍ୟା କରିଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ମଧ୍ୟବର୍ତ୍ତୀକାଳୀନ ପ୍ରଧାନମନ୍ତ୍ରୀ କ୍ଲୋଡ୍ ଜୋସେଫ ବୁଧବାର ଏକ ବିବୃତ୍ତିରେ କହିଛନ୍ତି ଯେ ରାତି ଅଧରେ କିଛି ଅଜ୍ଞାତ ଲୋକ ରାଷ୍ଟ୍ରପତି ଜୋଭେନେଲ ମୋଇସେଙ୍କ ବ୍ୟକ୍ତିଗତ ବାସଭବନ ଉପରେ ଆକ୍ରମଣ କରିଥିଲେ ଏବଂ ତାଙ୍କୁ ଗୁଳିକରି ହତ୍ୟା କରିଥିଲେ। ସେମାନଙ୍କ ମଧ୍ୟରୁ କେତେକ ସ୍ପାନିଶ୍ ଭାଷାରେ କଥା ହେଉଥିଲେ । ବୁଧବାର ରାତି ପ୍ରାୟ ଗୋଟାଏ ବେଳେ ଏହି ଘଟଣା ଘଟିଛି | ଏଥିରେ ରାଷ୍ଟ୍ରପତି ଜୋଭେନେଲ ମୋଇସେଙ୍କ ପତ୍ନୀ ମଧ୍ୟ ଆହତ ହୋଇଥିବା ଜଣାପଡିଛି । ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ପୂର୍ବତନ ରାଷ୍ଟ୍ରପତି ମିସେଲ ମାର୍ଟେଲି ଇସ୍ତଫା ଦେବା ପରେ ଫେବୃଆରୀ ୨୦୧୭ଠାରୁ ୫୩ ବର୍ଷୀୟ ଜୋଭେନେଲ ମୋଇସେ କ୍ଷମତାରେ ଥିଲେ।

ମୋଇସେଙ୍କ ବିରୋଧରେ ଅନେକ ଦୁର୍ନୀତି ଅଭିଯୋଗ ହୋଇଥିଲା ଏବଂ ତାଙ୍କ ସରକାର ବିରୋଧରେ ହିଂସାତ୍ମକ ଆନ୍ଦୋଳନ ମଧ୍ୟ ହୋଇଆସୁଥିଲା । ଲୋକମାନେ ତାଙ୍କ ଇସ୍ତଫା ଦାବି କରିଥିଲେ । ଚଳିତ ବର୍ଷ ଆରମ୍ଭରେ ହାଇତି ରାଜଧାନୀ ତଥା ଅନ୍ୟାନ୍ୟ ସହରରେ ମୋଇସେଙ୍କ ବିରୋଧରେ ବ୍ୟାପକ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା।

ହାଇତିର ବିରୋଧୀ କହିଛନ୍ତି ଯେ ମୋଇସେଲଙ୍କ ପାଞ୍ଚ ବର୍ଷର କାର୍ଯ୍ୟକାଳ ୭ ଫେବୃଆରୀ ୨୦୨୧ରେ ଶେଷ ହୋଇଥିଲେ ମଧ୍ୟ ସେ ଆଉ ବର୍ଷକ ପାଇଁ କ୍ଷମତାରେ ରହିବେ ବୋଲି କହିଥିଲେ । ତାଙ୍କୁ ହତ୍ୟ ସହ କ୍ଷମତାରୁ ହଟାଇବାକୁ ଧମକ ମିଳୁଛି ବୋଲି ମୋଇସେ ଅଭିଯୋଗ କରିଥିଲେ ।

Comments are closed.