ମୁଖ୍ୟମନ୍ତ୍ରୀଙ୍କ ୫-ଟି ମନ୍ତ୍ରକୁ ଜିଲ୍ଲାସ୍ତରରେ କାର୍ଯ୍ୟକାରୀ କରି ପରିବର୍ତ୍ତନର ବାର୍ତ୍ତାବହ ହୁଅନ୍ତୁ : ସୂଚନାମନ୍ତ୍ରୀ

ଭୁବନେଶ୍ୱର: ଆଜି ପୂର୍ବାହ୍ନରେ ଭର୍ଚୁଆଲ ମାଧ୍ୟମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀମାନଙ୍କ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଜଳସମ୍ପଦ , ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଯୋଗଦେଇ କହିଲେ ଯେ କରୋନା ମହାମାରୀର ଭୟାବହତା ସତ୍ତ୍ବେ ଜିଲ୍ଲା ସୂଚନା ଲୋକସମ୍ପର୍କ ଅଧିକାରୀମାନେ ନିଜର ଦାୟିତ୍ଵ ସୁଚାରୁ ରୂପେ ତୁଲାଇ ଆସିଛନ୍ତି । ଲକଡାଇନ୍ , ସଟଡାଉନ୍ , କଣ୍ଟନମେଣ୍ଟ ଜୋନ୍ ଘୋଷଣା , ବହିରାଗତ ଶ୍ରମଜୀବୀମାନଙ୍କର ଯିବାଆସିବା , କରୋନା ଟୀକାକରଣ ଆଦି ସମସ୍ତ କ୍ଷେତ୍ରରେ ଓତଃପ୍ରୋତ ଭାବେ ଜଡ଼ିତ ରହି ଗଣମାଧମକୁ ସମୁଚିତ ସୂଚନା ପ୍ରଦାନ କରିବାରେ ସେମାନେ ମୁଖ୍ୟ ଭୂମିକା ଗ୍ରହଣ କରିଛନ୍ତି । ଅମ୍ପାନ , ୟଶ୍ ବାତ୍ୟା ପରିପ୍ରେକ୍ଷୀରେ ପ୍ରଭାବିତ ଜିଲ୍ଲାଗୁଡ଼ିକରେ ସେମାନଙ୍କ ଦାୟିତ୍ବ ନିର୍ବାହ ପ୍ରଶଂସନୀୟ ହୋଇଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦିଗ୍‌ଦର୍ଶନ ଓ ୫ଟି ମନ୍ତ୍ରକୁ ଜିଲ୍ଲା ଓ ଉପଖଣ୍ଡ ସ୍ତରରେ କାର୍ଯ୍ୟକାରୀ କରି ରାଜ୍ୟର ବିକାଶ କ୍ଷେତ୍ରରେ ଆଶାନୁରୂପ ପରିବର୍ତ୍ତନର ବାର୍ତ୍ତାବହ ହେବା ପାଇଁ ମନ୍ତ୍ରୀ ଦାସ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧୁକାରୀ ଓ ଉପଖଣ୍ଡ ସୂଚନା ଲୋକସମ୍ପର୍କ ଅଧିକାରୀମାନଙ୍କୁ ଆହ୍ବାନ ଦେଇଥିଲେ । କରୋନା ମାହାମାରୀର ଦ୍ବିତୀୟ ଲହରରେ ଜନସାଧାରଣଙ୍କୁ ସଚେତନ କରିବାରେ ସେମାନେ ପ୍ରମୁଖ ଭୂମିକା ନିର୍ବାହ କରିଛନ୍ତି । ସମ୍ଭାବ୍ୟ ତୃତୀୟ ଲହର ବେଳେ ସେମାନେ ସେହିପରି ସଫଳତାର ସହ ନିଜର କର୍ତ୍ତବ୍ୟ ପାଳନ କରି ପାରିବେ ବୋଲି ମନ୍ତ୍ରୀ ଦାସ ଆଶା ପ୍ରକାଶ କରିଛନ୍ତି ।

ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ତଥା ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଲେ ଯେ ବର୍ତ୍ତମାନ ସମୟରେ ତୁରନ୍ତ ଗଣମାଧ୍ୟମକୁ ଖବର ତଥା ସୂଚନା ପ୍ରସାର ଦିଗରେ ସୋସିଆଲ ମିଡିଆର ଅବଦାନ ଅନସ୍ବୀକାର୍ଯ୍ୟ । ଜିଲ୍ଲାସ୍ତରରେ ପ୍ରଶାସନର ସଫଳତା , ବିଭିନ୍ନ ଯୋଜନାର ସଫଳ ରୂପାୟନ ଓ ଜୀବନ ଜୀବିକାର ଉର୍ଷ ଆଦି ଟିକିନିଖି ସଫଳତାର କାହାଣୀ ବିଭିନ୍ନ ଗଣମାଧ୍ୟମରେ ସ୍ଥାନିତ ହେବା ଦିଗରେ ସେମାନେ ସୋସିଆଲ ମିଡିଆର ଉପଯୋଗ କରିବା ସର୍ବାଦୌ ବାଞ୍ଚନୀୟ । ଟ୍ବିଟର , ଫେସ୍‌ବୁକ୍ ଓ ହ୍ବାଟସଅପ୍ ଆଦିର ସଫଳ ଉପଯୋଗ କରି ସେମାନେ ଜିଲ୍ଲାର ସକରାତ୍ମକ କାହାଣୀଗୁଡ଼ିକୁ ଖୁବ୍‌ଶୀଘ୍ର ଲୋକଲୋଚନକୁ ଆଣି ପାରିବେ । ଜିଲ୍ଲାର ଐତିହ୍ୟ , ସଂସ୍କୃତି ଓ ପାଠାଗାରର ଅମୂଲ୍ୟ ପୁସ୍ତକଗୁଡ଼ିକୁ ଡିଜିଟାଇଜେସନ୍ କରିବା ଦିଗରେ ସେମାନେ ପ୍ରୟାସ କରିବା ଆବଶ୍ୟକ ବୋଲି ପ୍ରମୁଖ ଶାସନ ସଚିବ ସେଠୀ ମତବ୍ୟକ୍ତ କରିଥିଲେ ।

ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ କହିଲେ ଯେ ରାଜ୍ୟ ସରକାରଙ୍କ ପ୍ରମୁଖ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡ଼ିକ ସମ୍ବନ୍ଧରେ ଜନସାଧାରଣଙ୍କୁ ଅବଗତ କରାଇବା ପାଇଁ ଜିଲ୍ଲା ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀମାନେ ଗୁରୁତ୍ବରୋପ କରିବା ନିତାନ୍ତ ଜରୁରୀ । ବିଭିନ୍ନ ପ୍ରତିକୂଳ ପରିସ୍ଥିତି ଓ ଜିଲ୍ଲାସ୍ତରରେ ଅନୁଭୂତ ହେଉଥିବା ସମସ୍ୟା ସଙ୍ଗେ ସୂଚନା ଓ ଲୋକସଂପର୍କ ଅଧିକାରୀମାନେ ସୁଚାରୁ ରୂପେ ଦାୟିତ୍ୱ ସମ୍ପାଦନ କରିବା ମଧ୍ୟ ତାତ୍ପର୍ଯ୍ୟପୂର୍ଣ୍ଣ । ବୈଷୟିକ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ରାଜ୍ୟରେ ଥିବା ସୂଚନା କେନ୍ଦ୍ରଗୁଡ଼ିକର ଉନ୍ନତି , ଇ – ଲାଇବ୍ରେରୀର ଆଦୃତି ଅର୍ଜନ , ଜିଲ୍ଲାର ପ୍ରମୁଖ ସ୍ଥାନରେ ଭିଡିଓ ପ୍ରାଚୀରମାନ ସ୍ଥାପନ କରିଆରେ ସୂଚନା ପ୍ରଦାନ , କୋଭିତ୍ ମହାମାରୀର ମାର୍ଗଦର୍ଶିକା ଓ ନିୟମାବଳୀ ଇତ୍ୟାଦିର ହୋର୍ଡ ମାଧ୍ୟମରେ ପ୍ରଚାର , କାର୍ଯ୍ୟରତ ସାମ୍ବାଦିକମାନଙ୍କ କଲ୍ୟାଣ ପାଇଁ ବିଭାଗ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ଯୋଜନାର ସବିଶେଷ ସ୍ଥିତି , ସାମ୍ବାଦିକ ଅକୃତି , ସୋସିଆଲ୍ ଓ ୱେବ୍ ମିଡିଆ ସମ୍ବନ୍ଧରେ ବିଶଦ ତଥ୍ୟ ପ୍ରଦାନ କରିବା ସହ ଜିଲ୍ଲାସ୍ତରରେ ୫ଟି ଉପକ୍ରମର କାର୍ଯ୍ୟାନ୍ଵୟନ କିପରି ଅଧିକ ଫଳପ୍ରଦ ହୋଇପାରିବ ସେ ଦିଗରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀମାନେ ତତ୍ପରତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ସୂଚନା ଅଧିକାରୀମାନେ ମଧ୍ୟ ସେମାନଙ୍କର ସମସ୍ୟାଗୁଡ଼ିକ ବାବଦରେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ।

ଏହି ଭର୍ଚୁଆଲ ବୈଠକରେ ଅତିରିକ୍ତ ନିର୍ଦ୍ଦେଶକ ଡ . ପ୍ରମୋଦ କୁମାର ମଲ୍ଲିକ , ଯୁଗ ନିର୍ଦ୍ଦେଶକ ସୁରେନ୍ଦ୍ର କୁମାର ପରିଡ଼ା , ଉପ ନିର୍ଦ୍ଦେଶକ ମାନସ ରଞ୍ଜନ ଖୁଣ୍ଟିଆ , ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ଦାସ , ଉପ ନିର୍ଦ୍ଦେଶକାରୀ ବିଶ୍ୱଜିତ୍ ଦାଶ ଏବଂ ବିଭାଗୀୟ ବରିଷ୍ଠ ଅଧୁକାରୀମାନେ ଉପସ୍ଥିତ ଥିଲେ ।

Comments are closed.