ବର୍ଷ-ତମାମ ଇକୋ-କଟେଜ ସୁବିଧା ପାଇଁ ପ୍ରଚେଷ୍ଟା ଆରମ୍ଭ: ଘରୋଇ ଅଂଶୀଦାର ସହଭାଗିତାରେ ପ୍ରକଳ୍ପ ନିର୍ମାଣ ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର:  ବିଶ୍ବସ୍ତରୀୟ ଇକୋ-ରିଟ୍ରିଟ୍ ହବ୍ ର ସଫଳ ଆୟୋଜନ ପରେ ରାଜ୍ୟରେ ବର୍ଷ-ତମାମ ଇକୋ-କଟେଜ ସୁବିଧା ସୃଷ୍ଟି ପାଇଁ ସରକାରଙ୍କ ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି । ଆଜି ମୁଖ୍ୟ ଶାସନ ସଚିବ ସୁରେଶ  ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏ ବିଷୟରେ ଆଲୋଚନା ଏବଂ ନିତୀଗତ ନିଷ୍ପତ୍ତି ହୋଇଛି । ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡରେ ଅନୁଷ୍ଠିତ ଏହି ବୈଠକରେ ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଲ କୁମାର ଦେବ ବର୍ଷ ତମାମ ଇକୋ-କଟେଜ ନିର୍ମାଣ ଓ ପରିଚାଳନା ସମ୍ବନ୍ଧିତ ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ରାଜ୍ୟରେ ବର୍ଷ-ତମାମ ଇକୋ-କଟେଜ ପାଇଁ ଥିବା ସମ୍ଭାର ଓ ସମ୍ଭାବନାକୁ ବିଚାରକରି ଘରୋଇ ଅଂଶୀଦାର ସହଭାଗିତା ( ପି.ପି.ପି ମୋଡ୍ ) ରେ ପ୍ରକଳ୍ପ ନିର୍ମାଣ ପାଇଁ ମୁଖ୍ୟ ଶାସନ ସଚିବ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଇକୋ-କଟେଜ ନିର୍ମାଣ ନିମନ୍ତେ ସରକାରଙ୍କ ତରଫରୁ ଭି.ଜି.ଏଫ୍ ପାଣ୍ଠି ସହ ଅନ୍ୟାନ୍ୟ ଭିତିଭୂମି ସୁବିଧା ଯୋଗାଇ ଦିଆଯିବ ବୋଲି ମହାପାତ୍ର କହିଥିଲେ । ନିର୍ଦ୍ଦିଷ୍ଟ ମାନକ ଭିତ୍ତିକ ଏକ ସ୍ବଚ୍ଛ ଏବଂ ପ୍ରକାଶିତ ପ୍ରକ୍ରିୟା ମାଧ୍ୟମରେ ଯୋଗ୍ୟ ଘରୋଇ ସହଭାଗୀ ଚୟନ କରିବା ପାଇଁ ମୁଖ୍ୟ ଶାସନ ସଚିବ ପର୍ଯ୍ୟଟନ ବିଭାଗଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ହିରାକୁଦ , ବାଲିପୁଟ , ପାରାଦ୍ବୀପ , ଦାରିଙ୍ଗିବାଡି , ପତି ସୋନପୁର ଏବଂ କୋରାପୁଟ ଆଦି ସ୍ଥାନରେ ବର୍ଷ-ତମାମ ଇକୋ-କଟେଜ ନିର୍ମାଣର ସମ୍ଭାବନା ଥିବା ବିଷୟ ବୈଠକରେ ଆଲୋଚନା ହୋଇଥିଲା । ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର ଜିଲ୍ଲାର ହିରାକୁଦ ଏବଂ କଟକ ଜିଲ୍ଲାର ବାଲିପୁଟ ( ସାତକୋଶିଆ ) ଠାରେ ଏହି ପ୍ରକଳ୍ପ ପରୀକ୍ଷାମୂଳକ ଭାବେ ଆରମ୍ଭ କରିବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଥିଲା ।

ଏହି ଦୁଇଟି ସ୍ଥାନରେ ପ୍ରକଳ୍ପ ନିମନ୍ତେ ପ୍ରାୟ ୬ ଏକର ଲେଖାଏଁ ସ୍ଥାନ ଚିହ୍ନଟ କରାଯାଇଥିଲା ; ଏବଂ , ପ୍ରତ୍ୟେକ ସ୍ଥାନରେ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରାୟ ୬.୨୫ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା ।

ପର୍ଯ୍ୟଟନ ବିଭାଗର ପାନ୍ଥନିବାସ ଏବଂ ରାସ୍ତାପାର୍ଶ ସୁବିଧାକେନ୍ଦ୍ର ଗୁଡିକୁ ଘରୋଇ ସହଭାଗିତାରେ କାର୍ଯ୍ୟକ୍ଷମ କରିବା ପାଇଁ ମୁଖ୍ୟ ଶାସନ ସଚିବ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ଏଗୁଡିକ ସଠିକ୍ ଭାବେ କାର୍ଯ୍ୟକାରୀହେଲେ ଉଭୟ ଘରୋଇ ଏବଂ ବିଦେଶୀ ପର୍ଯ୍ୟଟକ ଓ ଭ୍ରମଣକାରୀମାନେ ବିଶେଷ ସୁବିଧା ପାଇବାସହ ସନ୍ତୋଷ ଲାଭ କରିବେ ବୋଲି ବରିଷ୍ଠ ଅଧିକାରୀମାନେ ମତ ଦେଇଥିଲେ ।

ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା , ଜଙ୍ଗଲ ଓ ପରିବେଶ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡଃ ମୋନା ଶର୍ମା , ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା , ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ବିଶାଳ କୁମାର ଦେବ , ପର୍ଯ୍ୟଟନ ନିର୍ଦ୍ଦେଶକ ସଚ୍ଚିନ୍ ରାମଚନ୍ଦ୍ର ଯାଦବ , ଇପିକଲ୍‌ର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ଭୁପେନ୍ଦ୍ର ସିଂ ପୁନିଆଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧୁକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

 

Comments are closed.