କରୋନା ଅପଡେଟ୍: ପୁଣି ବଢ଼ିଲା ମୃତ୍ୟୁ ସଂଖ୍ୟା; ଦିନକରେ ୧୨୦୬ ମୃତ, ୪୨,୭୬୬ ନୂଆ ମାମଲା

ନୂଆଦିଲ୍ଲୀ: ଭାରତରେ କରୋନା ମହାମାରୀର ସଙ୍କଟ ଶେଷ ହୋଇନାହିଁ। ଏବେ ବି ଦୈନିକ ୪୦ ହଜାରରୁ ଉର୍ଦ୍ଧ୍ବ ମାମଲା ସାମ୍ନାକୁ ଆସୁଛି। ସେପଟେ ୧୨ ଦିନ ପରେ ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ବଢ଼ି ଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସଦ୍ୟତମ ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟାରେ ଦେଶରେ ୪୨,୭୬୬ ନୂଆ ମାମଲା ରୁଜୁ ହୋଇଛି ​​ଏବଂ ଏହି ଘାତକ ରୋଗରେ ୧୨୦୬ ଲୋକଙ୍କ ମୃତ୍ୟୁ ହୋଇଛି । ଏହାପୂର୍ବରୁ ଜୁନ୍ ୨୬ରେ ୧୨୫୮ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଏହାଛଡ଼ା ଗତ ୨୪ ଘଣ୍ଟାରେ ୪୫୨୫୪ ଜଣ ରୋଗୀ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି, ଅର୍ଥାତ୍ ଗତକାଲି ୩୬୯୪ ସକ୍ରିୟ ମାମଲା ହ୍ରାସ ପାଇଛି।

କରୋନା ସକ୍ରିୟ ମାମଲା 5 ଲକ୍ଷ ତଳେ ରହିଛି। ବର୍ତ୍ତମାନ ଭାରତରେ ୪ ଲକ୍ଷ ୫୫ ହଜାର ୩୩ ସକ୍ରିୟ ରୋଗୀ ଅଛନ୍ତି। କରୋନାରେ ଏଯାବତ୍ ୪ ଲକ୍ଷ ୭ ହଜାର ୧୪୫ ଲୋକଙ୍କ ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ମୋଟ ୨ କୋଟି ୯୯ ଲକ୍ଷ ୩୩ ହଜାର ୫୩୮ ଲୋକ ସୁସ୍ଥ ହୋଇଛନ୍ତି। ମହାମାରୀ ଆରମ୍ଭରୁ ମୋଟ ତିନି କୋଟି ୭ ଲକ୍ଷ ୯୫ ହଜାର ୭୧୬ ଲୋକ ସଂକ୍ରମିତ ହୋଇଛନ୍ତି।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଜୁଲାଇ ୯ ପର୍ଯ୍ୟନ୍ତ ସାରା ଦେଶରେ ୩୭ କୋଟି ୨୧ ଲକ୍ଷ କରୋନା ଟିକା ଦିଆଯାଇଛି। ଗତ ୨୪ ଘଣ୍ଟାରେ ଦେଶରେ ୩୦ ଲକ୍ଷ ୫୫ ହଜାର ୮୦୨ ଟିକା ଦିଆଯାଇଥିଲା। ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ଅନୁଯାୟୀ ଏପର୍ଯ୍ୟନ୍ତ ପ୍ରାୟ ୪୩ କୋଟି କରୋନା ପରୀକ୍ଷା କରାଯାଇଛି। ଗତ ଦିନରେ ପ୍ରାୟ ୧୮ ଲକ୍ଷ କରୋନା ନମୁନା ପରୀକ୍ଷା କରାଯାଇଥିଲା, ଯାହାର ପଜିଟିଭିଟି ହାର ହେଉଛି ୩ ପ୍ରତିଶତରୁ କମ୍ |

Comments are closed.