ପଦ୍ମ ସମ୍ମାନ ପାଇଁ ନିଜ ପସନ୍ଦର ପ୍ରେରଣାଦାୟୀ ବ୍ୟକ୍ତିଙ୍କୁ ଚୟନ କରିବାକୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ଅପିଲ

ନୂଆଦିଲ୍ଲୀ: ପଦ୍ମ ସମ୍ମାନ ପାଇଁ ଲୋକଙ୍କୁ ନିଜ ପସନ୍ଦର ପ୍ରାର୍ଥୀଙ୍କ ନାମ ସୁପାରିସ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପିଲ କରିଛନ୍ତି । ତୃଣମୂଳ ସ୍ତରରେ ସମାଜ ପ୍ରତି ଉଲ୍ଲେଖନୀୟ ଅବଦାନ ଥିବା ପ୍ରେରଣାଦାୟୀ ବ୍ୟକ୍ତି ବିଶେଷଙ୍କୁ ପଦ୍ମ ସମ୍ମାନ ପାଇଁ ଚୟନ କରିବା ପାଇଁ ମୋଦି ଲୋକଙ୍କୁ କହିଛନ୍ତି ।

ମୋଦି ଏକ ଟ୍ୱିଟ୍ କରି କହିଛନ୍ତି ଭାରତରେ ଅନେକ ପ୍ରତିଭାସମ୍ପନ୍ନ ଲୋକ ଅଛନ୍ତି ଯେଉଁମାନେ ତୃଣମୂଳ ସ୍ତରରେ ଉତ୍କୃଷ୍ଟ କାର୍ଯ୍ୟ କରୁଛନ୍ତି । ଏପରି ଅନେକ ଲୋକ ଓ ସେମାନଙ୍କ କାର୍ଯ୍ୟ ସମ୍ପର୍କରେ ଆମେ ଜାଣିନଥାଉ କିମ୍ବା ଶୁଣିବାକୁ ପାଇନଥାଉ । ଯଦି ଏପରି ଲୋକଙ୍କୁ ଆପଣ ଜାଣନ୍ତି,ତେବେ ପଦ୍ମ ସମ୍ମାନ ପାଇଁ ସେମାନଙ୍କ ନାମ ଆପଣ ସୁପାରିସ କରିପାରିବେ । ପଦ୍ମ ସମ୍ମାନ ପାଇଁ ଚୟନ ପ୍ରକ୍ରିୟା ସେପ୍ଟେମ୍ବର ୧୫ ଯାଏଁ ଜାରି ରହିବ । ଏଥିସହ ମୋଦି ଏକ ୱେବସାଇଟ୍ ଲିଙ୍କ୍ http://padmaawards.gov.in ଦେଇଛନ୍ତି, ଯେଉଁଥିରେ ଲୋକେ ନିଜ ସୁପାରିସ କରିପାରିବେ ।

ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ହେଉଛି ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ମଧ୍ୟରେ ଅନ୍ୟତମ ।

ଗତ କିଛି ବର୍ଷ ଧରି ମୋଦି ସରକାର ବିଭିନ୍ନ କ୍ଷେତ୍ରରେ ସମାଜ ପ୍ରତି ଆଜୀବନ ଅବଦାନ ରହିଥିବା ଅଜଣା, ଅପରିଚିତ ସାଧାରଣ ଲୋକଙ୍କୁ ପଦ୍ମ ସମ୍ମାନ ପ୍ରଦାନ କରିଆସୁଛନ୍ତି ।
୧୯୫୪ରେ ପ୍ରଥମେ ପ୍ରଦାନ କରାଯାଇଥିବା ପଦ୍ମ ସମ୍ମାନ ପ୍ରତିବର୍ଷ ଗଣତନ୍ତ୍ର ଦିବସ ଅବସରରେ ଘୋଷଣା କରାଯାଏ ।

Comments are closed.