କୋଭିଡ-୧୯ ନିୟମ ଉଲ୍ଲଂଘନ ପାଇଁ ବନ୍ଦ ହେଲା ଦିଲ୍ଲୀର ଜନପଥ ବଜାର

ନୂଆଦିଲ୍ଲୀ: କୋଭିଡ-୧୯ ପ୍ରୋଟୋକଲ ଏବଂ ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଡିଡିଏମ୍ଏ) ର ନିର୍ଦ୍ଦେଶନାମା ଉଲ୍ଲଂଘନ ପାଇଁ ଦିଲ୍ଲୀ ସରକାର ସୋମବାର ଜନପଥ ବଜାର ବନ୍ଦ କରିଛନ୍ତି। ପରବର୍ତ୍ତୀ ଆଦେଶ ଯାଏଁ ଏହି ବଜାର ବନ୍ଦ ରହିବ ବୋଲି ଦିଲ୍ଲୀ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି ନିର୍ଦ୍ଦେଶରେ ଦିଲ୍ଲୀ ସରକାର କହିଛନ୍ତି ଯେ, ଡିଡିଏମ୍ଏର ଆଦେଶକୁ ଉଲ୍ଲଂଘନ କରିବା ଏବଂ କୋଭିଡ-୧୯ ର ପ୍ରସାରକୁ ରୋକିବା ପାଇଁ ଉପଯୁକ୍ତ ଆଚରଣ ବିଧି ପାଳନ ନକରିବା ଯୋଗୁଁ ଜନପଥ ବଜାର ବନ୍ଦ ରହିଛି। ନୂଆଦିଲ୍ଲୀ ମ୍ୟୁନିସିପାଲିଟି କାଉନସିଲର ନିର୍ଦ୍ଦେଶକ (ଏନଫୋର୍ସମେଣ୍ଟ) ଏବଂ କନୌଟ୍ ପ୍ଲେସର ଥାନା ଅଧିକାରୀ ତୁରନ୍ତ ଏହି ଆଦେଶକୁ କାର୍ଯ୍ୟକାରୀ କରିବା ଏବଂ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

କରୋନା ଦ୍ଵିତୀୟ ଲହର ଯୋଗୁଁ ଦିଲ୍ଲୀରେ ଏପ୍ରିଲ ୧୯ରୁ ମେ ୩୦ ପର୍ଯ୍ୟନ୍ତ ଲକଡାଉନ୍ ହୋଇଥିଲା। ଅନଲକ୍ ପାଇଁ ଦିଲ୍ଲୀ ସରକାର ପର୍ଯ୍ୟାୟ କ୍ରମେ କଟକଣା କୋହଳ କରୁଛନ୍ତି। ଜୁନ୍ ୭ରୁ ବଜାର ଖୋଲିବାକୁ ଅନୁମତି ଦିଆଯାଇଥିଲା।

ଗତ ସପ୍ତାହରେ, ଡିଡିଏମଏ କୋଭିଡ-୧୯ ସମ୍ବନ୍ଧୀୟ ନିୟମ ଉଲ୍ଲଂଘନ ପାଇଁ ଲଜପତ ନାଗର, ଲକ୍ଷ୍ମୀ ନଗର, କମଲା ନଗର, ସରୋଜିନୀ ନଗର ଏବଂ ସଦର ବଜାର ଏବଂ କରୋଲ ବାଗର ବଜାରର କିଛି ଅଂଶ ବନ୍ଦ କରି ଦିଆଯାଇଥିଲା ।

Comments are closed.