ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ଶରଦ ପାୱାର, ରାଜନୈତିକ ମହଲରେ ଚର୍ଚ୍ଚା

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ କଂଗ୍ରେସ ଏବଂ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଶନିବାର ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ପ୍ରାୟ ଏକ ଘଣ୍ଟା ଧରି ଦୁଇ ନେତାଙ୍କ ମଧ୍ୟରେ ବ୍ୟକ୍ତିଗତ ବାର୍ତ୍ତାଳାପ ହୋଇଥିଲା | ଉଭୟଙ୍କ ମଧ୍ୟରେ ବୈଠକ ନେଇ ରାଜନୈତିକ ମହଲରେ ଅନେକ ଚର୍ଚ୍ଚା ହେଉଛି । ତେବେ ଏନସିପି ଏପର୍ଯ୍ୟନ୍ତ ମୋଦି-ପାଓ୍ବାର ବୈଠକର ପ୍ରକୃତ କାରଣ ପ୍ରକାଶ କରି ନାହିଁ।

ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ଏନସିପି ମୁଖ୍ୟ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ମଧ୍ୟ ଭେଟିଥିଲେ। ଏହି ବୈଠକ ନେଇ ଏନସିପି କହିଛି ଯେ ଦୁଇ ନେତାଙ୍କ ମଧ୍ୟରେ ନୂତନ ଭାବେ ଗଠିତ ସହଯୋଗ ବିଭାଗ ସହ ଦେଶରେ କରୋନାର ସ୍ଥିତି ଏବଂ ବ୍ୟାଙ୍କିଙ୍ଗ ସଂସ୍କାର ସମ୍ପର୍କରେ ଆଲୋଚନା ହୋଇଛି ।

ତେବେ ରାଜନୈତିକ ବିଶେଷଜ୍ଞଙ୍କ କହିଛନ୍ତି ଯେ, ସଂସଦର ଆଗାମୀ ଅଧିବେଶନରେ ମରାଠା ସଂରକ୍ଷଣ ପ୍ରସଙ୍ଗ ଉଠାଇବା ପୂର୍ବରୁ ଏନସିପି ଏହାକୁ ମୋଦିଙ୍କ ଆଗରେ ରଖିବାକୁ ଚେଷ୍ଟା କରୁଥିଲା, ଯାହାଫଳରେ କେନ୍ଦ୍ର ଏ ଦିଗରେ କିଛି ଦୃଢ଼ ପଦକ୍ଷେପ ନେଇପାରିବ। କିଛି ଦିନ ପୂର୍ବରୁ ସୁପ୍ରିମକୋର୍ଟ ମରାଠା ସଂରକ୍ଷଣକୁ ବାତିଲ କରିଦେଇଥିଲେ।

ବିଶେଷଜ୍ଞମାନେ ଆହୁରି ମଧ୍ୟ କହିଛନ୍ତି ଯେ ଏନସିପି ମୁଖ୍ୟ ଶରଦ ପାୱାର, ଅଜିତ ପାୱାର ଏବଂ ଉଦ୍ଧବ ଠାକରେଙ୍କ ଉପରେ କଂଗ୍ରେସ ରାଜ୍ୟ ସଭାପତି ନାନା ପାଟୋଲେଙ୍କ ବିବାଦୀୟ ମନ୍ତବ୍ୟ ନେଇ ପାଓ୍ବାର ରାଗିଛନ୍ତି ଏବଂ କଂଗ୍ରେସକୁ ଏକ ଦୃଢ ବାର୍ତ୍ତା ଦେବାକୁ ଚାହୁଁଛି ଏନସିପି ।

Comments are closed.