ଗ୍ରୁପ୍ ସି କର୍ମଚାରୀଙ୍କ ପଦୋନ୍ନତି ନୀତି ହେବ ସରଳ, ଦରକାର ନାହିଁ ୫ ବର୍ଷର ସିସିଆର୍‌

ଭୁବନେଶ୍ୱର – ରାଜ୍ୟ ସରକାରଙ୍କ ଗ୍ରୁପ୍ ସି କର୍ମଚାରୀମାନଙ୍କ ପଦୋନ୍ନତି ଲାଗି ଏଣିକି ଆଉ ୫ ବର୍ଷର ସିସିଆର ( ଚରିତ୍ର ପ୍ରମାଣପତ୍ର ) କିମ୍ବା ପାରଦର୍ଶିତା ରିପୋର୍ଟ ( ପିଏଆର ) ଦରକାର ପଡିବ ନାହିଁ । ଏବେ ସଂପୃକ୍ତ କର୍ମଚାରୀଙ୍କ ଉପରିସ୍ଥ ଅଧିକାରୀଙ୍କ ଗୋଟିଏ ମାତ୍ର ସୁପାରିଶ ତାଙ୍କୁ ପଦୋନ୍ନତି ଦେବାରେ ସହାୟକ ହେବ । ଏ ନେଇ ୧୯୯୨ ଓଡିଶା ପ୍ରଶାସନିକ ସେବାର ପଦୋନ୍ନତି ନିୟମାବଳୀ ସଂଶୋଧନ ସଂପର୍କିତ ପ୍ରସ୍ତାବ କ୍ୟାବିନେଟର ଅନୁମୋଦନ ପାଇଛି ।
ରାଜ୍ୟ ସରକାରଙ୍କ ଅଧୀନରେ କାମ କରୁଥିବା ଗ୍ରୁପ୍ ସି କର୍ମଚାରୀଙ୍କ ପଦୋନ୍ନତି ଲାଗି ୫ ବର୍ଷର ସିସିଆର୍ ଦରକାର ପଡୁଥିଲା । ପୁଣି ପଦବୀ ଅନୁସାରେ ପ୍ରାର୍ଥୀ ଅଧିକ ଥିଲେ ପିଛିଲା ଭାବେ ତିନି ବର୍ଷର ସିସିଆର ନ ହେଲେ ପିଏଆର ଦରକାର ପଡୁଥିଲା । କିନ୍ତୁ ବିଭିନ୍ନ କାରଣ ଯୋଗୁଁ ଉପର ଅଧିକାରୀମାନେ ଭଲ ଭାବେ ସିସିଆର୍ କିମ୍ବା ପିଏଆରକୁ ରେକର୍ଡ କରୁ ନ ଥିବା ଅଭିଯୋଗ ହେଉଥିଲା । ଫଳରେ ଅନେକ ଗ୍ରୁପ୍ ସି କର୍ମଚାରୀଙ୍କ ପଦୋନ୍ନତି ବକେୟା ପଡିଥିଲା । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ୧୯୯୨ ଓଡିଶା ପ୍ରାଶାସନିକ ସେବା ନିୟମରେ ସଂଶୋଧନ ଆଣିବାକୁ ନିଷ୍ପତ୍ତି ନେଇଛନ୍ତି । ଏହି ସଂଶୋଧନ ବଳରେ ଉପରିସ୍ଥ ଅଧିକାରୀମାନଙ୍କ ଗୋଟିଏ ମାତ୍ର କ୍ଲିକ୍ ଗ୍ରୁପ୍ ସି କର୍ମଚାରୀଙ୍କ ପଦୋନ୍ନତିର ବାଟ ଖୋଲିବ ।

Comments are closed.