ପୁଣି ଚର୍ଚ୍ଚାରେ ପେଗାସସ୍ , ଭାରତର ୪୦ରୁ ଊର୍ଦ୍ଧ୍ୱ ସାମ୍ବାଦିକଙ୍କ ହୋଇଛି ଫୋନ୍ ହ୍ୟାକିଂ!

ନୂଆଦିଲ୍ଲୀ: ପୁଣିଥରେ ଚର୍ଚ୍ଚାରେ ସ୍ପାଇଂ ସଫ୍ଟୱେୟାର ପେଗାସସ୍ । ଇସ୍ରାଏଲର ଏକ ଗୁଇନ୍ଦା ସଂସ୍ଥା ‘ଏନ୍‌ଏସ୍‌ଓ’ ଦ୍ୱାରା ନିର୍ମିତ ଏହି ସର୍ଭିଲାନ୍ସ ସଫ୍ଟୱେୟାର ଜରିଆରେ ଭାରତ ସମେତ ବିଭିନ୍ନ ଦେଶର ସରକାର ନିଜ ନାଗରିକଙ୍କ ବେଆଇନ ସର୍ଭିଲାନ୍ସ କରିଥିବା ଅଭିଯୋଗ ହୋଇଛି । ବ୍ରିଟେନର ଖବରକାଗଜ ‘ଦି ଗାର୍ଡିଆନ’ରେ ପ୍ରକାଶିତ ଏକ ରିପୋର୍ଟରେ ଏହି ଚାଞ୍ଚଲ୍ୟକର ଖୁଲାସା ହୋଇଛି ।

ପେଗାସସ୍ ସଫ୍ଟୱେୟାର ମାଧ୍ୟମରେ ଭାରତରେ ମଧ୍ୟ ୪୦ରୁ ଊର୍ଦ୍ଧ୍ୱ ସାମ୍ବାଦିକଙ୍କ ଫୋନ୍ ହ୍ୟାକିଂ ସହ ସେମାନଙ୍କ ଉପରେ ଗୁଇନ୍ଦାଗିରି କରାଯାଇଥିବା ଦାବି ହୋଇଛି । ସାମ୍ବାଦିକଙ୍କ ବ୍ୟତୀତ ଦୁଇ ଜଣ ମନ୍ତ୍ରୀ, ଜଣେ ବିଚାରପତି ଏବଂ ତନିି ବିରୋଧୀ ନେତାଙ୍କ ଉପରେ ମଧ୍ୟ ପେଗାସସ୍ ସ୍ପାଏ ସଫ୍ଟୱେୟାର ଜରିଆରେ ନଜର ରଖାଯାଇଛି ବୋଲି କୁହାଯାଇଛି ।
ପେଗାସସ୍ ସଫ୍ଟୱେୟାର ଦ୍ୱାରା ଗୁଇନ୍ଦାଗିରିର ଖୁଲାସା ପରେ କେନ୍ଦ୍ର ସରକାର ଉପରେ ଅଙ୍ଗୁଳି ଉଠିଛି । ଖୋଦ୍ ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ ଏନେଇ ମୋଦି ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି ଯଦି, ମୋଦି ସରକାର ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉପରେ ସତ ନ କୁହନ୍ତି,ତେବେ ଆମେରିକାର ୱାଟରଗେଟ୍ ସ୍କାଣ୍ଡାଲ୍ ଭଳି ସବୁ ସତ୍ୟ ଆପେ ଆପେ ସାର୍ବଜନୀନ ହୋଇଯିବ ।

ଭାରତୀୟ ନ୍ୟୁଜ୍ ପୋର୍ଟାଲ ‘ଦି ୱାୟାର’ ମୁତାବକ ଭାରତ ସରକାର ୨୦୧୭ ରୁ ୨୦୧୯ ପର୍ଯ୍ୟନ୍ତ ପ୍ରାୟ ୩୦୦ ଭାରତୀୟଙ୍କ ଉପରେ ଗୁଇନ୍ଦାଗିିରି କରିଛନ୍ତି । ଏମାନଙ୍କ ମଧ୍ୟରେ ସାମ୍ବାଦିକ, ଓକିଲ, ସାମାଜିକକର୍ମୀ, ବିରୋଧୀ ଦଳ ନେତା, ଉଦ୍ୟୋଗପତି ଓ ବିଚାରପତି ଅଛନ୍ତି । ପେଗାସସ୍ ସହାୟତାର ସରକାର ଏହି ଲୋକମାନଙ୍କ ଫୋନ୍ ହ୍ୟାକିଂ କରିଛନ୍ତି ।
ପେଗାସସ୍ ବିବାଦ ନେଇ ସନ୍ଦେହ ଚକ୍ଷୁରେ ଥିବା କେନ୍ଦ୍ର ସରକାର ସବୁ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଲୋକଙ୍କ ଉପରେ ଗୁଇନ୍ଦାଗିରି କରାଯାଉଥିବା ଅଭିଯୋଗ ଭିତ୍ତିହୀନ ବୋଲି ସରକାର କହିଛନ୍ତି ।

ଏହା ପୂର୍ବରୁ ପେଗାସସ୍ ୨୦୧୯ରେ ବିବାଦ ଘେରକୁ ଆସିଥିଲା । ସେତେବେଳ ମେସେଜିଂ ଆପ୍ ହ୍ୱାଟ୍‌ସଆପ୍ ଏହି ଇସ୍ରାଏଲ୍ ଗୁଇନ୍ଦା ସଂସ୍ଥା ଉପରେ ମକଦ୍ଦମା ବି କରିଥିଲା ।

Comments are closed.