ଅଲିମ୍ପିକ୍ସର ଅସାଧାରଣ ଇତିହାସ

ବିଜନ କୁମାର ମହାପାତ୍ର

ଅଲିମ୍ପିକ୍ସ । ବିଶ୍ୱର ସର୍ବବୃହତ, ମର୍ଯ୍ୟାଦାଜନକ ଓ ଲୋକପ୍ରିୟ କ୍ରୀଡା ପ୍ରତିଯୋଗିତା । କ୍ରୀଡାର ମହାକୁମ୍ଭ । ଅଲିମ୍ପିକ୍ସରେ ଥରେ ଭାଗ ନେବା ସବୁ କ୍ରୀଡାବିତଙ୍କ ଲକ୍ଷ୍ୟ ଥାଏ । ଏଥିରେ ଜୟ ପରାଜୟ ଅପେକ୍ଷା ଅଂଶଗ୍ରହଣ କରି ଶ୍ରେଷ୍ଠତ୍ୱ ପାଇଁ ଲଢେଇ କରିବା ହିଁ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ । ସୁସ୍ଥ ଖେଳୁଆଡ ମନୋଭାବ ସହ ଶ୍ରେଷ୍ଠତ୍ୱ ପ୍ରଦର୍ଶନ ପାଇଁ ଯଥାସମ୍ଭବ ପ୍ରୟାସ ହିଁ ଅଲିମ୍ପିକ୍ସର ମୂଳମନ୍ତ୍ର । ବିଶ୍ୱ ମୈତ୍ରୀ, ଶାନ୍ତି ଓ ଭ୍ରାତୃତ୍ୱର ବାର୍ତ୍ତା ବହନ କରେ ଅଲିମ୍ପିକ୍ସ ।

ଅଲିମ୍ପିକ୍ସର ଆଉ ଏକ ସଂସ୍କରଣ ଜାପାନ ରାଜଧାନୀ ଟୋକିଓରେ ଏହିମାସ ୨୩ ତାରିଖରେ ଆରମ୍ଭ ହେବାକୁ ଯାଉଛି । ଗତବର୍ଷ ଜୁଲାଇ ୨୪ରୁ ଅଗଷ୍ଟ ୯ ଯାଏଁ ଆୟୋଜନ ହେବାକୁ ଥିଲା ଟୋକିଓ ଅଲିମ୍ପିକ୍ସ । କିନ୍ତୁ କୋରୋନା ମହାମାରୀ ଯୋଗୁଁ ବର୍ଷେ ଘୁଂଚାଇ ଦିଆଯାଇଥିଲା ଅଲିମ୍ପିକ୍ସ । ବର୍ଷକ ପରେ ବି ମହାମାରୀ ଛାୟା ଓ କଡା କଟକଣା ମଧ୍ୟରେ ଦର୍ଶକବିହୀନ ଭାବେ ଆୟୋଜିତ ହେବ ଟୋକିଓ ଅଲିମ୍ପିକ୍ସ । ଏଥିପାଇଁ ଏଥରର ଅଲିମ୍ପିକ୍ସ ରୋମାଂଚ ଫିକା ପଡିଯାଇଛି ।

ଅଲିମ୍ପିକ କ୍ରୀଡା ହେଉଛି ପ୍ରାଚୀନ ଗ୍ରୀସର ଅବଦାନ । ଆଜିକୁ ୩ ହଜାର ବର୍ଷ ପୂର୍ବେ ଗ୍ରୀସରେ ସୃଷ୍ଟି ହୋଇଥିଲା ଅଲିମ୍ପିକ କ୍ରୀଡା । ଫ୍ରାନ୍ସର ଜଣେ ଶିକ୍ଷାବିତ ଓ କ୍ରୀଡାପ୍ରେମୀ ବାରୋଁ ପିୟର ଡି’ କୁବର୍ଟିନଙ୍କ ଅକ୍ଲାନ୍ତ ଉଦ୍ୟମ ଫଳରେ ଉନ୍ନବିଂଶ ଶତାବ୍ଦୀର ଶେଷଭାଗରେ ଏହି କ୍ରୀଡାର ପୁନରୁଦ୍ଧାର ହୋଇଥିଲା । ୧୮୯୬ ମସିହାରେ ସେହି ଗ୍ରୀସର ରାଜଧାନୀ ଏଥେନ୍‌ସରେ ଆୟୋଜିତ ହୋଇଥିଲା ପ୍ରଥମ ଆଧୁନିକ ଅଲିମ୍ପିକ କ୍ରୀଡା ।

ପ୍ରାଚୀନ ଗ୍ରୀସ ଓ ଅଲିମ୍ପିକ କ୍ରୀଡା

ଇତିହାସ କୁହେ ଯେ, ଖ୍ରୀଷ୍ଟପୂର୍ବ ଅଷ୍ଟମ ଶତାବ୍ଦୀରୁ ଖ୍ରାଷ୍ଟାବ୍ଦ ଚତୁର୍ଥ ଶତାବ୍ଦୀ ଯାଏଁ ପ୍ରାଚୀନ ଗ୍ରୀସ୍‌ରେ ଗ୍ରୀକ୍ ଦେବତା ଜିୟସଙ୍କ ସମ୍ମାନରେ ହେଉଥିବା ଧାର୍ମିକ ଉତ୍ସବ ଅବସରରେ ଆୟୋଜିତ ହେଉଥିଲା ଏକ କ୍ରୀଡା ପ୍ରତିଯୋଗିତା । ପ୍ରତି ଚାରିବର୍ଷ ବ୍ୟବଧାନରେ ଆୟୋଜିତ ହେଉଥିଲା ଅଲିମ୍ପିକ କ୍ରୀଡା । ଦକ୍ଷିଣ ଗ୍ରୀସ୍‌ର ଅଲିମ୍ପିଆ ନାମକ ଏକ ସ୍ଥାନରେ କ୍ରୀଡା ପ୍ରତିଯୋଗିତା ଆୟୋଜିତ ହେଉଥିଲା । ତେଣୁ ସେହି ସ୍ଥାନ ଅନୁସାରେ ପ୍ରତିଯୋଗିତାର ନାମ ଥିଲା ଅଲିମ୍ପିକ । ଅଲିମ୍ପିଆ ଗ୍ରୀକ୍‌ମାନଙ୍କ ପାଇଁ ଥିଲା ଏକ ପବିତ୍ର ଧାର୍ମିକ ସ୍ଥଳ ।

ଖ୍ରୀଷ୍ଟପୂର୍ବ ୭୭୬ରେ ପ୍ରଥମ ପ୍ରାଚୀନ ଅଲିମ୍ପିକ କ୍ରୀଡା ଆୟୋଜିତ ହୋଇଥିଲା ଲିପିବଦ୍ଧ ପ୍ରମାଣ ରହିଛି । କୋରୋବସ ନାମକ ଜଣେ ରୋଷେୟା ପ୍ରଥମ ପ୍ରାଚୀନ ଅଲିମ୍ପିକ୍ସର ଏକ ମାତ୍ର ଇଭେଣ୍ଟରେ ବିଜୟୀ ହୋଇଥିଲା । ସେହି ଇଭେଣ୍ଟ ଥିଲା ୧୯୨ ମିଟର ଫୁଟ୍‌ରେସ୍‌, ଯାହାକୁ କି ‘ଷ୍ଟେଡ’ କୁହାଯାଉଥିଲା । ଏହି ଷ୍ଟେଡ୍ ଶବ୍ଦରୁ ହିଁ ଆଧୁନିକ ଷ୍ଟେଡିୟମ ଶବ୍ଦର ଉତ୍ପତ୍ତି ହୋଇଛି । ପ୍ରାଚୀନ ଗ୍ରୀସରେ ଅନ୍ୟ ପ୍ରତିଯୋଗିତା ମଧ୍ୟ ଆୟୋଜିତ ହେଉଥିଲା । କିନ୍ତୁ ଅଲିମ୍ପିଆରେ ଆୟୋଜିତ ହେଉଥିବା କ୍ରୀଡା ପ୍ରତିଯୋଗିତା ଥିଲା ସର୍ବାଧିକ ଲୋକପ୍ରିୟ । ଆଉ ଏକ କିମ୍ବଦନ୍ତୀ ଅନୁସାରେ ଗ୍ରୀକ୍ ଦେବତା ଜିୟସଙ୍କ ପୁତ୍ର ହେରାକ୍ଲିସ ( ହରକ୍ୟୁଲେସ ) ଓ ତାଙ୍କ ମାଆ ଅଲସିମିନ ଅଲିମ୍ପିକ କ୍ରୀଡାର ସଂସ୍ଥାପକ ଥିଲେ । ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ ଶେଷବେଳକୁ ଅଲିମ୍ପିକ୍ସ କ୍ରୀଡା ସବୁ ଗ୍ରୀକ୍ କ୍ରୀଡା ଉତ୍ସବ ମଧ୍ୟରେ ଥିଲା ବେଶ୍ ଲୋକପ୍ରିୟ । ପ୍ରାରମ୍ଭିକ କିଛି ବର୍ଷ ପ୍ରାଚୀନ ଅଲିମ୍ପିକ୍ସରେ କେବଳ ପୁରୁଷମାନେ ହିଁ ଅଂଶଗ୍ରହଣ କରିବା ନିୟମ ଥିଲେ । ମହିଳାଙ୍କ ଅଂଶଗ୍ରହଣ ନିଷିଦ୍ଧ ଥିଲା । ଏପରିକି ମହିଳାମାନଙ୍କୁ ଅଲିମ୍ପିକ ପ୍ରତିଯୋଗିତା ଦେଖିବାକୁ ମଧ୍ୟ ଅନୁମତି ନ ଥିଲା ।

ଅଲିମ୍ପିକ ପରମ୍ପରାର ପତନ

ଖ୍ରୀଷ୍ଟପୂର୍ବ ଦ୍ୱିତୀୟ ଶତାବ୍ଦୀର ମଧ୍ୟଭାଗରେ ଗ୍ରୀସ ରୋମ୍ ସାମ୍ରାଜ୍ୟ ଅଧୀନକୁ ଆସିଲା । ରୋମାନ ଶାସକଙ୍କ ଅଧିନରେ ଅଲିମ୍ପିକ କ୍ରୀଡା ଜାରି ରହିଲା ସତ, କିନ୍ତୁ ଆଗର ଭଳି ଗୁଣାତ୍ମକମାନ ରହିଲା ନାହିଁ । ପୂର୍ବର ମର୍ଯ୍ୟାଦା ଓ ଗୁରୁତ୍ୱ ହରାଇ ବସିଲା ଅଲିମ୍ପିକ କ୍ରୀଡା । ପ୍ରକୃତ ପ୍ରତିଯୋଗୀଙ୍କୁ ଉପେକ୍ଷା କରାଗଲା । ଖ୍ରୀଷ୍ଟାବ୍ଦ ୩୯୩ରେ ରୋମ ସମ୍ରାଟ ଥିଓଡେସିଅସ ଖ୍ରୀଷ୍ଟଧର୍ମ ଗ୍ରହଣ କଲା ପରେ ଗ୍ରୀସର ଅଲିମ୍ପିକ କ୍ରୀଡାକୁ ଧର୍ମବିରୋଧୀ ଆଖ୍ୟା ଦେବା ସମସ୍ତ ଗ୍ରୀକ୍ ଉତ୍ସବକୁ ନିଷିଦ୍ଧ କରିଥିଲେ । ପରିଣାମ ସ୍ୱରୂପ, ପାଖାପାଖି ୧୨ ଶହ ବର୍ଷ ପରେ ପ୍ରାଚୀନ ଅଲିମ୍ପିକ କ୍ରୀଡା ପରମ୍ପରାରେ ବିରାମ ଲାଗିଲା ।

ବାରୋଁ ଡି କୁବୋର୍ଟିନ ଓ ଆଧୁନିକ ଅଲିମ୍ପିକ୍ସ

୧,୫୦୦ ବର୍ଷ ପରେ ପୁଣି ଅଲିମ୍ପିକ କ୍ରୀଡାର ପୁନରୁଦ୍ଧାର ପାଇଁ ଉଦ୍ୟମ ହେଲା । ବାରୋଁ ପିୟର ଡି କୁବର୍ଟିନ ନାମକ ଜଣେ ଫରାସୀ ବୁଦ୍ଧିଜୀବୀ, ଶିକ୍ଷାବିତ ଓ କ୍ରୀଡାପ୍ରେମୀ ପ୍ରାଚୀନ ଅଲିମ୍ପିକ୍ସ ଢାଞ୍ଚାରେ ଏକ ବିଶ୍ୱ କ୍ରୀଡା ପ୍ରତିଯୋଗିତା ଆୟୋଜନର ପରିକଳ୍ପନା କରିଥିଲେ । ଗ୍ରୀସ୍‌ର ପ୍ରାଚୀନ ଅଲିମ୍ପିକ ସ୍ଥଳ ପରିଦର୍ଶନ କଲା ପରେ ଆଧୁନିକ ଅଲିମ୍ପିକ କ୍ରୀଡା ଆୟୋଜନ ଦିଗରେ ବ୍ରତୀ ହୋଇଥିଲେ କ୍ୟୁବର୍ଟିନ । ଅଲିମ୍ପିକ କ୍ରୀଡା ପୁନରୁଦ୍ଧାର ପାଇଁ ଫ୍ରାନସର ତତ୍କାଳୀନ କ୍ରୀଡା ସଂଘ – ଦି ୟୁନିଅନ ଅଫ ଫ୍ରେଞ୍ଚଆଥଲେଟିକ ସ୍ପୋର୍ଟସ ସୋସାଇଟିଜ୍‌ର ୧୮୯୨ ମସିହା ନଭେମ୍ବର ମାସରେ ହୋଇଥିବା ବୈଠକରେ ପ୍ରସ୍ତାବ ଉପସ୍ଥାପନ କରିଥିଲେ କୁବର୍ଟିନ । ଦୁଇବର୍ଷ ପରେ ୧୮୯୪ରେ କୁବର୍ଟିନଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ଆନ୍ତର୍ଜାତିକ ଅଲିମ୍ପିକ କମିଟି-ଆଇଓସି । ଏହି କମିଟି ହିଁ ଆଧୁନିକ ଅଲିମ୍ପିକ କ୍ରୀଡାର ପରିଚାଳନା ସଂସ୍ଥା ।

୧୮୯୬ ମସିହାରେ ଗ୍ରୀସ ରାଜଧାନୀ ଏଥେନ୍ସରେ ଆୟୋଜିତ ହୋଇଥିଲା ପ୍ରଥମ ଆଧୁନିକ ଅଲିମ୍ପିକ କ୍ରୀଡା । କ୍ରୀଡା ପୁନରୁଦ୍ଧାର ପାଇଁ କୁବର୍ଟିନଙ୍କ ଉଦ୍ୟମ ଶେଷରେ ସଫଳ ହୋଇଥିଲା । ଗ୍ରୀସ୍ ରାଜା ପ୍ରଥମ ଜର୍ଜିୟସ ଓ ୬୦ ହଜାର ଦର୍ଶକଙ୍କ ଉପସ୍ଥିତିରେ ଉଦ୍‌ଘାଟନୀ ସମାରୋହ ଅନୁଷ୍ଠିତ ହୋଇଥିଲା । ୧୩ଟି ଦେଶର ୨୮୦ ପ୍ରତିଯୋଗୀ ଉଦ୍‌ଘାଟନୀ ସଂସ୍କରଣରେ ଅଂଶଗ୍ରହଣ କରିଥିଲେ । ସମସ୍ତେ ଥିଲେ ପୁରୁଷ ପ୍ରତିଯୋଗୀ । ଟ୍ରାକ୍ ଆଣ୍ଡ ଫିଲ୍ଡ, ସନ୍ତରଣ, କୁସ୍ତି, ସାଇକେଲ ଚାଳନା, ଭାରୋତ୍ତୋଳନ, ବନ୍ଧୁକ ଚାଳନା, ଅସୀ ଚାଳନା, ଜିମ୍ନାଷ୍ଟିକ୍ସ ଓ ଟେନିସର ୪୩ ଇଭେଣ୍ଟରେ ପ୍ରତିଯୋଗିତା ହୋଇଥିଲା । ଯୋଡି ହୋଇଗଲା ଅଲିମ୍ପିକ କ୍ରୀଡା ଇତିହାସରେ ଆଉ ଏକ ନୂଆ ଅଧ୍ୟାୟ ।

Comments are closed.