ପୁଣି ବିଗିଡ଼ିଲା ଆଜମ ଖାନଙ୍କ ସ୍ବାସ୍ଥ୍ୟାବସ୍ଥା

ଲକ୍ଷ୍ନୌ: ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ସ୍ୱାସ୍ଥ୍ୟ ପୁଣି ଥରେ ବିଗିଡ଼ି ଯାଇଛି। ସେ କରୋନାରୁ ସୁସ୍ଥ ହୋଇ ଜୁଲାଇ ୧୩ରେ ସୀତାପୁର ଜେଲକୁ ଫେରିଥିଲେ। କିନ୍ତୁ ସେ ଏବେ ନିଃଶ୍ୱାସ ନେବାରେ କଷ୍ଟ ହେଉଥିବା ଅଭିଯୋଗ କରିଛନ୍ତି। ତାଙ୍କ ଅମ୍ଳଜାନ ସ୍ତର ୮୮ରେ ପହଞ୍ଚିବା ପରେ ତୁରନ୍ତ ଡାକ୍ତରମାନଙ୍କୁ ସୂଚନା ଦିଆଯାଇଥିଲା। ଡାକ୍ତରଙ୍କ ଏକ ଟିମ୍ ଚେକଅପ୍ ପାଇଁ ଜେଲରେ ପହଞ୍ଚିଛନ୍ତି।

ଆଜମ ଖାନଙ୍କ ଅମ୍ଳଜାନ ସ୍ତର କ୍ରମାଗତ ଭାବରେ ହ୍ରାସ ପାଉଥିବାରୁ ତାଙ୍କୁ ସୁରକ୍ଷା ମଧ୍ୟରେ ଲକ୍ଷ୍ନୌ ନେବାକୁ ପ୍ରସ୍ତୁତି ଚାଲିଥିବା ଜଣାପଡିଛି।

ଆଜମ ଖାନଙ୍କ ଆଣ୍ଟିଜେନ ରିପୋର୍ଟ ପଜିଟିଭ୍ ହେବା ପରେ ୩୦ ଏପ୍ରିଲ ୨୦୨୧ରେ ଆରଟି-ପିସିଆର ପରୀକ୍ଷା କରାଯାଇଥିଲା। ଏହା ପରେ ତାଙ୍କୁ ମେ ୧ରେ ଲକ୍ଷ୍ନୌର ମେଦାନ୍ତା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଏହାରି ଭିତରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଅନେକ ଥର ବିଗିଡି ଯାଇଥିଲା।

ଆଜମ ଖାନ ଫେବୃଆରୀ ୨୦୨୦ ଠାରୁ ସୀତାପୁର ଜେଲରେ ଅଛନ୍ତି। ତାଙ୍କ ବିରୋଧରେ ରାମପୁରରେ ବେଆଇନ ଜମି ଦଖଲ ଏବଂ ନକଲି ସାର୍ଟିଫିକେଟ ଭଳି ଅନେକ ଅଭିଯୋଗ ରହିଛି। ଏହାପୂର୍ବରୁ ତାଙ୍କ ପତ୍ନୀ ଡକ୍ଟର ତଞ୍ଜିମ୍ ଫାତିମା ମଧ୍ୟ ଜେଲରେ ଥିଲେ, କିନ୍ତୁ ସେ ଜାମିନ ପାଇଛନ୍ତି ଏବଂ ଜେଲରୁ ମୁକୁଳିଛନ୍ତି ।

Comments are closed.