ଦୁର୍ନୀତି ବିରୋଧରେ ପୁଣି ସରକାରଙ୍କ କଡା ଆଭିମୁଖ୍ୟ ପିସି କାରବାର ପାଇଁ ଦୁଇ କନିଷ୍ଠ ଯନ୍ତ୍ରୀ ନିଲମ୍ବିତ

ନୂଆପଡ଼ା : ଦୁର୍ନୀତି ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଜିରୋ ଟଲରାନ୍ସ ନୀତିର ଆଉ ଏକ ପ୍ରତିଫଳନ ଦେଖିବାକୁ ମିଳିଛି ନୂଆପଡା ଜିଲ୍ଲାରେ । ଜିଲ୍ଲାର ସିନାପାଲି ବ୍ଲକରେ ପିସି କାରବାରରେ ସଂପୃକ୍ତ ୨ କନିଷ୍ଠ ଯନ୍ତ୍ରୀଙ୍କୁ ଜିଲ୍ଲାପାଳ ନିଲମ୍ବିତ କରିଛନ୍ତି । ନିଳମ୍ବିତ ଦୁଇ କନିଷ୍ଠ ଯନ୍ତ୍ରୀ ହେଲେ ଉପେନ୍ଦ୍ର ତିହାଡ଼ି ଏବଂ ନାରାୟଣ ସାହୁ । ଏହି ଦୁଇ ବ୍ୟକ୍ତି ପିସି ନେଉଥିବା ଭିଡିଓ ଭାଇରାଲ ହେବା ପରେ ଜିଲ୍ଲାପାଳ ଏହି ପଦକ୍ଷେପ ନେଇଛନ୍ତି । ସେହିପରି ଦୁର୍ନୀତିକୁ ଏଡାଇବା ପାଇଁ ଜିଲ୍ଲାପାଳ ଏକ ବଳିଷ୍ଠ ପଦକ୍ଷେପ ନେଇଛନ୍ତି । ଏଣିକି ଠିକା କାମ ବାବଦକୁ ଟଙ୍କା ଇ- ଟ୍ରାନ୍ସଫର ମାଧ୍ୟମରେ ସିଧାସଳଖ ଠିକାଦାରଙ୍କ ଖାତାକୁ ପଠାଇବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି ।

ଗତ ୫ ଦିନ ତଳେ କନିଷ୍ଠ ଯନ୍ତ୍ରୀ ଉପେନ୍ଦ୍ର ଏବଂ ନାରାୟଣ ଠିକାଦାରଙ୍କ ଠାରୁ ପିସି ନେଉଥିବା ଭିଡିଓ ଭାଇରାଲ ହୋଇଥିଲା । ଏହି ଘଟଣା ନେଇ ଗଣମାଧ୍ୟମରେ ଖବର ପ୍ରକାଶିତ ହେବା ପରେ ଜିଲ୍ଲାପାଳ ସ୍ବଧାଦେବ ସିଂହ ଏହାକୁ ଗୁରୁତ୍ବର ସହ ନେଇଥିଲେ । ଆଉ ଏହାର ତଦନ୍ତ ପାଇଁ ଉପ ଜିଲ୍ଲାପାଳ ତରଣୀସେନ ନାଏକଙ୍କ ନେତୃତ୍ବରେ ଡିପିଓ ବିବେକାନନ୍ଦ ମହାନନ୍ଦ , ଡିଆରଡିଏ ଏପିଡି ( ଅର୍ଥ ) ଅପ୍ରିତ ପ୍ରଧାନ ପ୍ରମୁଖଙ୍କୁ ନେଇ ଏକ ଟିମ୍ ଗଠନ କରିଥିଲେ । ଏହି ଟିମ୍ ସିନାପାଲି ବ୍ଲକ କାର୍ଯ୍ୟାଳୟ ଓ ଗଣ୍ଡାବାହାଲି ପଞ୍ଚାୟତ କାର୍ଯ୍ୟାଳୟରେ ତଦନ୍ତ କରିଥିଲେ । ଗତ ୧୭ ତାରିଖରେ ଉପଜିଲ୍ଲାପାଳ ଶ୍ରୀ ନାଏକଙ୍କ ନେତୃତ୍ବରେ ଏହି ଟିମ ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ଆଉ ଏହି ରିପୋର୍ଟ ଭିତ୍ତିରେ ଆଜି ଜିଲ୍ଲାପାଳ ସ୍ବଧାଦେବ ସିଂ ପିସି କାରବାର ଘଟଣାରେ ଉଭୟଙ୍କୁ ନିଲମ୍ବିତ କରିଛନ୍ତି ।

ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଚିଠି ସଂଖ୍ୟା ୨୩୫୦ରେ କନିଷ୍ଠ ଯନ୍ତ୍ରୀ ଉପେନ୍ଦ୍ର ତିହାଡି ଓ ଚିଠି ସଂଖ୍ୟା ୨୩୫୨ ରେ କନିଷ୍ଠ ଯନ୍ତ୍ରୀ ନାରାୟଣ ସାହୁଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି । ସେହିପରି ଜିଲ୍ଲାରେ ଠିକା କାମରେ ସ୍ୱଚ୍ଛତା ଆଣିବା ପାଇଁ ଜିଲ୍ଲାପାଳ ଏକ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣିକି ଜିଲ୍ଲାର ସମସ୍ତ ଉନ୍ନୟନ କାର୍ଯ୍ୟର ଠିକା କାମରେ ଇ ଟ୍ରାନ୍ସଫର ମାଧ୍ୟମରେ ଠିକାଦାରଙ୍କୁ ସିଧାସଳଖ ଅର୍ଥ ପ୍ରଦାନ କରାଯିବ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ଅପରିପକ୍ଷେ ଉଭୟ ନିଲମ୍ବିସମ୍ପୃକ୍ତ ଦୁଇ ଜଣ କନିଷ୍ଠ ଯନ୍ତ୍ରୀଙ୍କ ନାଁରେ ଡ୍ରାଫ ଚାର୍ଯ୍ୟ କରିବାକୁ ସିନାପାଲି ବିଡିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ନିଲମ୍ବନ ସମୟ ମଧ୍ୟରେ ଦୁଇ ଜଣ କନିଷ୍ଠ ଯନ୍ତ୍ରୀ ଡିଆରଡିଏ ପିଡି କାର୍ଯ୍ୟାଳୟରେ କାମ କରିବେ ବୋଲି ଡିଆରଡିଏ ପିଡି ମଧୁଛନ୍ଦା ସାହୁ ସୂଚନା ଦେଇଛନ୍ତି । ତେବେ , ଏହି କାର୍ଯ୍ୟାନୁଷ୍ଠାନ ଦ୍ବାରା ଜିଲ୍ଲାର ଅସାଧୁ ଅଧିକାରୀଙ୍କ ମଧ୍ୟରେ ଛନକା ପଶି ଯାଇଥିବା ବେଳେ ଏହି ପଦକ୍ଷେପକୁ ସାଧାରଣରେ ପ୍ରଶଂସା କରାଯାଇଛି ।

Watch Live: Bahuda Yatra, the Return Journey of Deities

Comments are closed.