ସଂସଦୀୟ କମିଟି ବୈଠକରେ ଉଠିବ ପେଗାସସ୍ ଗୁଇନ୍ଦାକାଣ୍ଡ, ଆଇଟି ଓ ଗୃହ ମନ୍ତ୍ରଣାଳୟ ଅଧିକାରୀଙ୍କୁ ହେବ ପଚରାଉଚରା

ନୂଆଦିଲ୍ଲୀ: ରାଜନେତା, ସାମ୍ବାଦିକ ତଥା ଅନ୍ୟ ବିଶିଷ୍ଟ ବ୍ୟକ୍ତି ମାନଙ୍କ ଫୋନ୍ ହ୍ୟାକିଂ ତଥା ପେଗାସସ୍ ଗୁଇନ୍ଦାଗିରି ପ୍ରସଙ୍ଗରେ ସଂସଦରେ ହଟ୍ଟଗୋଳ ଜାରି ରହିଛି । ଯୁଗ୍ମ ସଂସଦୀୟ କମିଟି ଦ୍ବାରା ଏହାର ତଦନ୍ତ ସହ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଇସ୍ତଫା ଦାବି କରିଛି କଂଗ୍ରେସ। ଫୋନ୍ ହ୍ୟାକିଂ ନେଇ ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ତୀବ୍ର ବିତର୍କ ହେବାର ସମ୍ଭାବନା ରହିଛି।

ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ସହ ଜଡ଼ିତ ଷ୍ଟାଣ୍ଡିଂ କମିଟିର ଏକ ବୈଠକ ଜୁଲାଇ ୨୮ରେ ଡକାଯାଇଛି। ବୈଠକରେ ସୂଚନା ପ୍ରଯୁକ୍ତି, ଗୃହ ଏବଂ ଯୋଗାଯୋଗ ମନ୍ତ୍ରଣାଳୟର ଅଧିକାରୀମାନଙ୍କୁ ଡକାଯାଇଛି। ବୈଠକର ଏଜେଣ୍ଡା ହେଉଛି ‘ଡାଟା ସୁରକ୍ଷା ଏବଂ ନାଗରିକଙ୍କ ଗୋପନୀୟତା’। କମିଟିର ନିକଟତମ ସୂତ୍ର ଅନୁଯାୟୀ, ଇସ୍ରାଏଲ୍ ସଫ୍ଟୱେର୍ ପେଗାସସ୍ ବ୍ୟବହାର କରି ଚାଲିଥିବା ଫୋନ୍ ଗୁଇନ୍ଦା କାଣ୍ଡକୁ ନେଇ ବୈଠକରେ ଆଲୋଚନା ହୋଇପାରେ ।

ଏହି କମିଟିର ସଭାପତି ତଥା କଂଗ୍ରେସ ସାଂସଦ ଶଶି ଥରୁର ଦୁଇ ଦିନ ପୂର୍ବେ ଟ୍ୱିଟ୍ ମାଧ୍ୟମରେ ପେଗାସସ୍ ପ୍ରସଙ୍ଗରେ ସରକାରଙ୍କୁ ଅନେକ ପ୍ରଶ୍ନ ପଚାରିଥିଲେ। ଥରୁର କହିଥିଲେ ଯେ ଯଦି ସରକାର କହୁଛନ୍ତି ଏହା ଗୁଇନ୍ଦଗିରି ନୁହେଁ, ତେବେ ଏହା କିଏ କରିଛି ଜାଣିବା ପାଇଁ ଏକ ନିରପେକ୍ଷ ତଦନ୍ତ ଜରୁରୀ। ଥରୁର କହିଥିଲେ ଯେ ପେଗାସସ୍ ତିଆରି କରୁଥିବା କମ୍ପାନୀ ଏହାର ସଫ୍ଟୱେର୍ କେବଳ ସରକାର ମାନଙ୍କୁ ବିକ୍ରି କରୁଛି।

Comments are closed.