ଜମ୍ମୁରେ ଡ୍ରୋନକୁ ଖସାଇଲା ପୋଲିସ୍‌, ବିସ୍ଫୋରକ ଜବତ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ଡ୍ରୋନ୍ ଦ୍ୱାରା ଆତଙ୍କୀ ଯୋଜନାକୁ ପଣ୍ଡ କରିଛି ପୋଲିସ୍ । ଜମ୍ମୁ-କାଶ୍ମୀରର କନାଚକ ଅଞ୍ଚଳରେ ଏକ ଡ୍ରୋନ୍‌କୁ ଗୁଳି କରି ଖସାଇଛି ପୋଲିସ୍ । ସୀମାପଟୁ ଆସିଥିବା ଏହି ଡ୍ରୋନରୁ ବିସ୍ଫୋରକ ମିଳିଛି ।

ବାୟୁସେନା ଘାଟିରେ ଡ୍ରୋନ ଦ୍ୱାରା ଆକ୍ରମଣ ପରଠୁ ଜମ୍ମୁର ବିଭିନ୍ନ ଅଞ୍ଚଳରେ ବହୁଥର ଏଭଳି ଡ୍ରୋନ୍ ଦେଖାଗଲାଣି । ବୁଧବାର ସତାୱରୀ ଅଞ୍ଚଳରେ ଏକ ଡ୍ରୋନ ଉଡ଼ୁଥିବା ଦେଖାଯାଇଥିଲା । ଜୁଲାଇ ୧୬ରେ ଜମ୍ମୁ ବାୟୁସେନା ଘାଟି ପାଖରେ ପୁଣିଥରେ ଡ୍ରୋନ ଉଡ଼ିଥିଲା । ଡ୍ରୋନ୍ ଆକ୍ରମଣକୁ ପ୍ରତିହତ କରିବା ପାଇଁ ଜାତୀୟ ସୁରକ୍ଷା ବାହିନୀ (ଏନ୍‌ଏସ୍‌ଜି) ପକ୍ଷରୁ ଉପତ୍ୟକାର ଗୁରୁତ୍ୱାପୂର୍ଣ୍ଣ ସ୍ଥାନ ବିଶେଷକରି ସେନା ବେସ୍ ଗୁଡିକରେ ଆଣ୍ଟି-ଡ୍ରୋନ୍ ସିଷ୍ଟମ୍ ନିୟୋଜିତ କରାଯାଇଛି ।
ବାୟୁସେନା ମଧ୍ୟ ଡ୍ରୋନ ଆକ୍ରମଣ ପ୍ରତିହତ କରିବାକୁ ଜମ୍ମୁରେ ଏହାର ବିଭିନ୍ନ ବିମାନଘାଟିରେ ଆଣ୍ଟି-ଡ୍ରୋନ୍ ସିଷ୍ଟମ୍ ଲଗାଇଛି । ଏପରିକି ଛୋଟ ଡ୍ରୋନ୍ ବିରୋଧରେ ବି କଡ଼ା ପଦକ୍ଷେପ ନିଆଯାଇଛି ।

Comments are closed.