ଆଜିଠାରୁ ଟୋକିଓ ଅଲିମ୍ପିକ୍ସ, ସର୍ବଶ୍ରେଷ୍ଠ ପ୍ରଦର୍ଶନ ଲକ୍ଷ୍ୟରେ ଭାରତ

ଟୋକିଓ: ବର୍ଷେ କାଳ ସ୍ଥଗିତ ରହିବା ପରେ ଶୁକ୍ରବାର ଠାରୁ ଆରମ୍ଭ ହେଉଛି ଟୋକିଓ ଅଲିମ୍ପିକ୍ସ । କରୋନା ମହାମାରୀ ଜନିତ ନିରାଶା ମଧ୍ୟରେ ବିଶ୍ୱ କ୍ରୀଡାର ଏହି ମହାକୁମ୍ଭ ଆୟୋଜନ ପାଇଁ ପ୍ରସ୍ତୁତ ଟୋକିଓ ନଗରୀ । ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ଚଳିତ ଥରର ସଂସ୍କରଣକୁ ‘ଆଶାର ଅଲିମ୍ପିକ୍ସ’ ଭାବେ ଅଭିହିତ କରିଥିବା ବେଳେ ନିଜ ଇତିହାସରେ ସବୁଠୁ ବଡ଼ ଦଳ ସହ ଯାଇଥିବା ଭାରତ ମଧ୍ୟ ଏଥର ନିଜ କ୍ରୀଡା ସାମର୍ଥ୍ୟର ପ୍ରଦର୍ଶନ ପାଇଁ ଅଣ୍ଟା ଭିଡିଛି । ଏଥର ଟୋକିଓରେ ଏକ ନୂଆ ଇତିହାସ ରଚିବାକୁ ଲକ୍ଷ୍ୟ ରଖିଛି ଭାରତୀୟ ଦଳ । ବିଶେଷକରି ଶୁଟିଂ, ବକ୍ସିଂ, ରେସଲିଂରେ ଏକାଧିକ ପଦକ ସହ ନିଜ ନୈରାଶ୍ୟଜନକ ଅଲିମ୍ପିକ୍ସ ରେକର୍ଡ ସୁଧାରିବାକୁ ଆଉ ଏକ ସୁଯୋଗ ପାଇଛି ଭାରତ ।

କୋଭିଡ୍‌-୧୯ ଯୋଗୁଁ ଗୋଟିଏ ବର୍ଷ ସ୍ଥଗିତ ରହିବା ପରେ ବି ଟୋକିଓ ଅଲିମ୍ପିକ୍ସ ଉପରୁ ଏହି ମହାମାରୀର ବିପଦ ଟଳି ନାହିଁ । ଆୟୋଜକ ନଗରୀ ଟୋକିଓରେ ବି କରୋନା ସ୍ଥିତି ବେଶ୍ ଗମ୍ଭୀର । ଏଠାରେ ପ୍ରତ୍ୟହ ହଜାରେରୁ ଊର୍ଦ୍ଧ୍ୱ ମାମଲା ରେକର୍ଡ କରାଯାଉଛି । ତନ୍ମଧ୍ୟରୁ ଅଲିମ୍ପିକ୍ସରେ ଏଯାବତ ଠାବ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ନଗଣ୍ୟ ଥିଲେ ବି ପ୍ରତିଯୋଗୀଙ୍କ ମନରେ ଭୟ ରହିଛି । ସଂକ୍ରମଣ ଭୟକୁ ଦୃଷ୍ଟିରେ ରଖି ଦର୍ଶକଙ୍କୁ ବାରଣ କରାଯାଇଛି । ଫଳରେ ଏହି କ୍ରୀଡା ମହାକୁମ୍ଭ ସହ ଜଡିତ ସେହି ଉତ୍ସାହ ନାହିଁ । ତଥାପି ଟୋକିଓ ଅଲିମ୍ପିକ୍ସକୁ ଆଶାର ବର୍ତ୍ତିକା ଭାବେ ଉପସ୍ଥାପନ କରିବାକୁ ଆଇଓସି ପକ୍ଷରୁ ଯଥାସମ୍ଭବ ଉଦ୍ୟମ କରାଯାଇଛି ଏବଂ ଏହାର ସକାରାତ୍ମକ ଦିଗ ଉପରେ ଧ୍ୟାନ ଦେବାକୁ ଅଂଶଗ୍ରହଣକାରୀ ଆଥଲେଟ ମାନଙ୍କୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ଆଇଓସି ସଭାପତି ଥୋମାସ୍ ବାକ୍ କହିଛନ୍ତି ଯେ, କରୋନା ସଙ୍କଟର ମୁକାବିଲା କରିବା ପାଇଁ ଟୋକିଓ ଅଲିମ୍ପିକ୍ସ ଏକ ମାଧ୍ୟମ । ଅଲିମ୍ପିକ୍ସ ପରେ ଆଶାର ଏହି ବାର୍ତ୍ତା ଆତ୍ମବିଶ୍ୱାସର ସନ୍ଦେଶରେ ପରିଣତ ହେବ ।

ଶୁକ୍ରବାର ଉଦଘାଟନୀ ଉତ୍ସବ ସହ ଅଗଷ୍ଟ ୮ ଯାଏଁ ଅନୁଷ୍ଠିତ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସର ଶୁଭାରମ୍ଭ ହେବ । ବାକ୍ ଆଶାବାଦୀ ଯେ ଏହି ଅଲିମ୍ପିକ୍ସ ପ୍ରତିଯୋଗିତା ଆନନ୍ଦ ଓ ଆଶ୍ୱସ୍ତିର ମୁହୂର୍ତ୍ତ ହେବ ।

ଅଲିମ୍ପିକ୍ସରେ ଭାରତର ପ୍ରଦର୍ଶନକୁ ଅନୁଧ୍ୟାନ କରାଗଲେ ୧୩୦ କୋଟି ଜନସଂଖ୍ୟା ବିଶିଷ୍ଟ ଏହି ଦେଶର ପ୍ରଦର୍ଶନ ନୈରଶ୍ୟଜନକ ରହିଛି । ୧୯୦୦ ମସିହାରେ ସର୍ବପ୍ରଥମ ଆଧୁନିକ ଅଲିମ୍ପିକ୍ସରେ ପଦାର୍ପଣ ପରଠୁ ଭାରତ ଏଯାବତ କେବଳ ୨୮ଟି ପଦକ ହିଁ ଜିତିପାରିଛି । ବ୍ୟକ୍ତିଗତ ଇଭେଣ୍ଟରେ ଏପର୍ଯ୍ୟନ୍ତ ଭାରତ ସୁଟର ଅଭିନବ ବିନ୍ଦ୍ରାଙ୍କ ମାଧ୍ୟମରେ ଏକମାତ୍ର ସ୍ୱର୍ଣ୍ଣ ପଦକ ହିଁ ଜିିତିବାକୁ ସକ୍ଷମ ହୋଇଛି । ବିନ୍ଦ୍ରା ଏହି ଐତିହାସିକ ସଫଳତା ୨୦୦୮ ବେଜିଂ ଅଲିମ୍ପିକ୍ସରେ ହାସଲ କରିଥିଲେ । କିନ୍ତୁ ଏଥର ଭାରତ ସର୍ବାଧିକ ୧୨୫ ଆଥଲେଟ୍ ପଠାଇଥିବା ବେଳେ ବିଗତ ସଂସ୍କରଣ ତୁଳନାରେ ପଦକ ସଂଖ୍ୟା ବଢିବା ନେଇ ଆଶା ରହିଛି । ଭାରତର ପଦକ ସଂଖ୍ୟା ଏଥର ଦୁଇଅଙ୍କ ଛୁଇଁବ ବୋଲି ଆଶା କରାଯାଉଛି । ଭାରତୀୟ ଆଥଲେଟଙ୍କ ମଧ୍ୟରେ ଶୁଟିଂ ଟିମ୍ ପଦକ ଦୌଡର ସର୍ବାଗ୍ରେ ରହିଛନ୍ତି । ଭାରତର ଏଥର ୧୫ ଶୁଟର ଅଲିମ୍ପିକ୍ସରେ ଭାଗ ନେଉଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଟୁବ ଶୁଟର ଅଛନ୍ତି, ଯେଉଁମାନେ ନିକଟରେ ଅନ୍ତର୍ଜାତୀୟ ସ୍ତରରେ ବେଶ୍ ସଫଳତା ଅର୍ଜନ କରିଛନ୍ତି । ୧୯ ବର୍ଷୀୟ ମନୁ ଭାକରଙ୍କ ଠାରୁ ଆରମ୍ଭ କରି ୨୦ ବର୍ଷୀୟ ଏଲାଭନେିଲ ଭାଲାରିଭାନ, ୧୮ ବର୍ଷୀୟ ଦିବ୍ୟାଂଶ ସିଂହ ପାନୱାର ଏବଂ ୨୦ ବର୍ଷୀୟ ଐଶ୍ୱର୍ଯ୍ୟ ପ୍ରତାପ ସିଂହ ତୋମର ଭଳି ଯୁବ ଶୁଟରଙ୍କ ଠାରୁ ଭାରତ ପଦକ ଆଶାରେ ରହିଛି ।

ଗୋଟିଏ ପଟେ ଶୁଟିଂ ଭଳି ବଡ଼ ଦଳ ରହିଥିବା ବେଳେ ଅନ୍ୟପଟେ ମୀରବାଈ ଚାନୁ ଏବଂ ଭାବନୀ ଦେବୀଙ୍କ ଭଳି ଆଥଲେଟ୍ ନିଜ ଇଭେଣ୍ଟରେ ଏକାକୀ ଭାରତର ପ୍ରତିନିଧିତ୍ୱ କରିବେ । ମହିଳା ରେସଲିଂରେ ମୀରାବାଇ ଏବଂ ଫେନ୍ସିିଂରେ ଭବାନୀ ଦେବୀ ହେଉଛନ୍ତି ଭାରତର ଏକମାତ୍ର ପ୍ରତିଯୋଗୀ । ୨୦୧୬ ରିଓ ଅଲିମ୍ପିକ୍ସରେ ବିଫଳତା ପରଠୁ ମୀରାବାଇ ବହୁ ଦୂର ଅତିକ୍ରମ କରିସାରିଛନ୍ତି । ୨୦୧୭ରେ ମୀରାବାଇ ବିଶ୍ୱ ଚାମ୍ପିୟନ ହୋଇଥିବା ବେଳେ ୨୦୧୮ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସେ ସ୍ୱର୍ଣ୍ଣ ସହ କ୍ଲିନ୍ ଆଣ୍ଡ ଜର୍କରେ ବିଶ୍ୱ ରେକର୍ଡ କରିଥିଲେ । ସେହିପରି ଫେନ୍ସିଂ ଭଳି କ୍ରୀଡାରେ ଭାରତର ଦକ୍ଷତା ନଥିବା ବେଳେ ଭବାନୀ ଦେବୀ ଏହି ଇଭେଣ୍ଟରେ ଅଲିମ୍ପିକ୍ସ ଯୋଗ୍ୟତା ହାସଲ କରି ସମସ୍ତଙ୍କୁ ଚକିତ କରିଥିଲେ ।

ତୀରନ୍ଦାଜୀରେ ଭାରତର ପଦକ ସମ୍ଭାବନା ହେଉଛନ୍ତି ବିଶ୍ୱର ଏକ ନମ୍ବର ତୀରନ୍ଦାଜ ଦୀପିକା କୁମାରୀ । ଟୋକିଓରେ ସ୍ମରଣୀୟ ପ୍ରଦର୍ଶନ ସହ ୨୦୧୨ ଲଣ୍ଡନ ଅଲିମ୍ପିକ୍ସର ନିରାଶାକୁ ଭରଣା କରିବା ପାଇଁ ଚାହିଁବେ ଦୀପିକା । ସ୍ୱାମୀ ଅତନୁ ଦାସଙ୍କ ସହ ଦୀପିକା ମିକ୍ସଡ୍ ଡବଲ୍ସ ଇଭେଣ୍ଟରେ ମଧ୍ୟ ପଦକ ଦାବିଦାର ।

ଭାରତର ଏକାଧିକ ପଦକ ଆଶା ଥିବା ଆଉ ଏକ ଇଭେଣ୍ଟ ହେଲା ବକ୍ସିଂ । ଶୁଟିଂ ଭଳି ବକ୍ସିଂ ପାଇଁ ମଧ୍ୟ ଏଥର ଭାରତର ଏକ ବୃହତ ଦଳ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେବ । ବିଶ୍ୱର ନମ୍ବର ୱାନ ବକ୍ସର ଅମିତ ପଘଂଲ (୫୨ କେଜି)ଙ୍କ ସମେତ ୬ ଥରର ବିଶ୍ୱ ଚାମ୍ପିୟନ ଏମସି ମେରୀକମ୍ (୫୧), ପୂର୍ବତନ ଏସିଆଡ୍ ଚାମ୍ପିୟନ ବିକାଶ କ୍ରିଷନ (୬୯) ବକ୍ସିଂରେ ଭାରତର ପଦକ ଦାବିଦାର । ଏଥର ଭାରତର ୯ ଜଣ ବକ୍ସର ଅଲିମ୍ପିକ୍ସରେ ଅଂଶ ଗ୍ରହଣ କରୁଛନ୍ତି ।

ସେହିପରି ରେସଲିଂ ମଧ୍ୟ ଭାରତ ପାଇଁ ଏକ ପଦକ ଇଭେଣ୍ଟ ରହି ଆସିଛି । ଚଳିତ ଥର ୭ ଜଣ ରେସଲର ଅଲିମ୍ପିକ୍ସ ପ୍ରତିଯୋଗିତାରେ ଅବତୀର୍ଣ୍ଣ ହେଉଥିବା ବେଳେ ଷ୍ଟାର ଯୋଡି ବଜରଙ୍ଗ ପୁନିଆ (୬୫ କେଜି) ଏବଂ ଭିନେଶ ଫୋଗଟ (୫୩ କେଜି)ଙ୍କ ଉପରେ ନଜର ରହିବ । ଗତ ତିନି ବର୍ଷ ଧରି ଏହି ଭାରତୀୟ ଯୋଡି ଅନେକ ଅନ୍ତର୍ଜାତୀୟ ଟୁର୍ଣ୍ଣାମେଣ୍ଟରେ ପ୍ରାଧାନ୍ୟ ଜାହିର କରିଆସିଛନ୍ତି । ଡାର୍କହର୍ସ ଭାବେ ବିବେଚିତ ଦୀପକ ପୁନିଆ (୮୬) ମଧ୍ୟ ଚମକ ଦେଖାଇବା ସମ୍ଭାବନାକୁ ଏଡାଇ ଦେଇହେବ ନାହିଁ ।

ପୁରୁଷ ହକି ଦଳ ଦୀର୍ଘ ୪୧ ବର୍ଷର ଅନ୍ତ ଘଟାଇବ ବୋଲି ଆଶା ରହିଛି । ମନପ୍ରୀତ ସିଂଙ୍କ ନେତୃତ୍ୱାଧୀନ ଦଳ ଏନେଇ ସଂକଳ୍ପବଦ୍ଧ ଅଛି । ବହୁ ବର୍ଷ ପରେ ଏଥର ହକି ଦଳ ପୋଡିୟମ୍ ଫିନିଶ୍ କରିବ ବୋଲି ବିଶେଷଜ୍ଞ ଆଶାବାଦୀ ଅଛନ୍ତି । ଭାରତ ଶେଷଥର ୧୯୮୦ରେ ଅଲିମ୍ପିକ୍ସ ପଦକ ଜିତିଥିଲା । ରାଣୀ ରାମପାଲଙ୍କ ନେତୃତ୍ୱରେ ମହିଳା ଦଳ ଠାରୁ ମଧ୍ୟ ପଦକର ଆଶା କରାଯାଉଛି ।

ବ୍ୟାଡମିଣ୍ଟନରେ ବିଶ୍ୱ ଚାମ୍ପିୟନ ପିଭି ସିନ୍ଧୁ ଟାଇଟଲ ଦାବିଦାର ଭାବେ ଗଣା ଯାଉଥିବା ବେଳେ ଟେବୁଲ ଟେନିସରେ ଭାରତର ଦୁଇ ଷ୍ଟାର ଯୋଡି ଶରତ କମଲ ଏବଂ ମାନିକା ବାତ୍ରାଙ୍କ ଉପରେ ନଜର ରହିବ । ସିନ୍ଧୁ ରିଓ ଅଲିମ୍ପିକ୍ସରେ ଐତିହାସକ ରୌପ୍ୟ ପଦକ ଜିତିଥିଲେ । ଏଥର ଏହି ଷ୍ଟାର ଖେଳାଳି ଆଉ ପାଦେ ଆଗେଇବାକୁ ଲକ୍ଷ୍ୟ ରଖିଛନ୍ତି ।

ଆଥଲେଟିକ୍ସରେ ନୀରଜ ଚୋପ୍ରା ଓ ତେଜିନ୍ଦର ସିଂହ ତୁର ଭାରତର ପଦକ ସମ୍ଭାବନା ଥିବା ବେଳେ ଅଶ୍ୱଚାଳନାରେ ଏକମାତ୍ର ପ୍ରତିଯୋଗୀ ଭାବେ ଫାଉଦ୍ ମିର୍ଜାଙ୍କ ଉପରେ ନଜର ରହିବ । ସନ୍ତରଣରେ ଭାରତର ସାଜନ ପ୍ରକାଶ ଓ ଶ୍ରୀହରି ନଟରାଜ ଅଲିମ୍ପିକ ‘ଏ’ କ୍ୱାଲିଫିକେସନ ଲକ୍ଷ୍ୟ ହାସଲ କରିବାରେ ବିରଳ ସଫଳତା ପାଇଥିଲେ ।

Comments are closed.