ଟୋକିଓ ଅଲିମ୍ପିକ୍ସ: ହକିରେ ଭାରତର ବିଜୟ ଅଭିଯାନ, ପ୍ରଥମ ମ୍ୟାଚ୍‌ରେ ନ୍ୟୁଜିଲାଣ୍ଡକୁ ୩-୨ରେ ହରାଇଲା

ଟୋକିଓ: ଚାରି ଦଶନ୍ଧି ପରେ ଅଲିମ୍ପିକ୍ ପଦକ ଲକ୍ଷ୍ୟରେ ଥିବା ଭାରତୀୟ ପୁରୁଷ ହକି ଦଳ ବିଜୟ ସହ ଅଭିଯାନ ଆରମ୍ଭ କରିଛି । ପ୍ରଥମ ମ୍ୟାଚ୍‌ରେ ଭାରତ ୩-୨ ଗୋଲ୍‌ରେ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଛି । ଭାରତ ପକ୍ଷରୁ ରୂପିନ୍ଦର ପାଲ୍ ସିଂ ପେନାଲ୍ଟି ଷ୍ଟ୍ରୋକ୍ ଜରିଆରେ ଗୋଟିଏ ଗୋଲ୍ ସ୍କୋର କରିଥିବା ବେଳେ ହରମନପ୍ରୀତ ସିଂ ଆଉ ୨ଟି ଗୋଲ୍ ଦେଇଥିଲେ । ମ୍ୟାଚ୍ ଶେଷ ଯାଏଁ ବେଶ୍ ସଂଘର୍ଷପୂର୍ଣ୍ଣ ହୋଇଥିଲା । ଭାରତ କିନ୍ତୁ ଅନ୍ତିମ ମୁହୂର୍ତ୍ତ ପର୍ଯ୍ୟନ୍ତ ଅଗ୍ରଣୀ ବଜାୟ ରଖି ବିଜୟ ସୁନିଶ୍ଚିତ କରିଥିଲା ।

ମ୍ୟାଚ୍ ଆରମ୍ଭରୁ ଷଷ୍ଠ ମିନିଟ୍ ରେ ଗୋଲ୍ ନେଇ ନ୍ୟୁଜିଲାଣ୍ଡ ଟିମ୍ ଭାରତକୁ ସ୍ତବ୍ଧ କରିଦେଇଥିଲା । ହେଲେ ଭାରତ ଲଢୁଆ ପ୍ରତ୍ୟାବର୍ତ୍ତନ କରିଥିଲା । ଭାରତ କ୍ରମାଗତ ତିନୋଟି ଗୋଲ୍ ଦେଇଥିଲା । ତୃତୀୟ କ୍ୱାର୍ଟର ପର୍ଯ୍ୟନ୍ତ ଭାରତ ୩-୨ ଗୋଲ୍ ଅଗ୍ରଣୀ ବଜାୟ ରଖିଥିଲା । ଚତୁର୍ଥ କ୍ୱାର୍ଟରରେ ନ୍ୟୁଜିଲାଣ୍ଡ ସ୍କୋରକୁ ବରାବର କରିବା ପାଇଁ ଯଥାସମ୍ଭବ ଉଦ୍ୟମ କରିଥିଲା । କିନ୍ତୁ ଭାରତୀୟ ଦଳର ପ୍ରାଚୀର ତଥା ଗୋଲରକ୍ଷକ ଶ୍ରୀଜେସ୍ ଏବଂ ରକ୍ଷଣଭାଗ କିୱି ଦଳର ସବୁ ଉଦ୍ୟମ ପଣ୍ଡ କରିଥିଲେ । ଶେଷ କିଛି ମିନିଟ୍‌ରେ ଶ୍ରୀଜେସ୍ ଚମତ୍କାର ରକ୍ଷଣ ପୂର୍ବକ ନ୍ୟୁଜିଲାଣ୍ଡ ଟିମକୁ ଗୋଲ୍ ସ୍କୋର କରିବାରୁ ରୋକିଥିଲେ ।

ଭାରତର ତାର ପରବର୍ତ୍ତୀ ମ୍ୟାଚ୍ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିବ । ଭାରତ କଷ୍ଟକର ଗ୍ରୁପ୍ ‘ଏ’ରେ ସ୍ଥାନ ପାଇଛି । ନ୍ୟୁଜିଲାଣ୍ଡ ଓ ଭାରତ ସହ ଏହି ଗ୍ରୁପରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା, ଅଷ୍ଟ୍ରେଲିଆ, ଜାପାନ ଓ ସ୍ପେନ୍ ଅଛନ୍ତି । ପ୍ରତି ଗ୍ରୁପ୍ ର ଶୀର୍ଷ ଚାରି ଦଳ ପରବର୍ତ୍ତୀ ରାଉଣ୍ଡକୁ ଉନ୍ନୀତ ହେବେ । ଗ୍ରୁପ୍ ‘ବି’ରେ ବେଲଜିୟମ, କାନାଡା, ଜର୍ମାନୀ, ବ୍ରିଟେନ, ନେଦରଲାଣ୍ଡସ୍ ଓ ଦକ୍ଷିଣ ଆଫ୍ରିକା ସ୍ଥାନ ପାଇଛନ୍ତି ।

Comments are closed.