ଦେଶର ସବୁଠୁ ବଡ଼ ବନ୍ଧୁକ ଲାଇସେନ୍ସ ସ୍କାମ୍‌ର ପର୍ଦ୍ଦାଫାସ୍‌, ସିବିଆଇ ରାଡାରରେ ଜମ୍ମୁକାଶ୍ମୀରର ବହୁ ଜିଲ୍ଲା ମାଜିଷ୍ଟ୍ରେଟ୍‌

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ବନ୍ଧୁକ ଲାଇସେନ୍ସ ସ୍କାମ୍‌ର ପର୍ଦ୍ଦାଫାସ୍ କରିଛି ସିବିଆଇ । ଏହି ସ୍କାମ୍‌ରେ ଜାମ୍ମୁକାଶ୍ମୀରର ବହୁ ଜିଲ୍ଲା ମାଜିଷ୍ଟ୍ରେଟ୍‌ଙ୍କ ମଧ୍ୟ ସମ୍ପୃକ୍ତି ଥିବା ଜଣାପଡ଼ିଛି । ସେମାନେ ମୋଟାଅଙ୍କର ଲାଞ୍ଚ ବଦଳରେ ବନ୍ଧୁକ ଡିଲରଙ୍କୁ ବେଆଇନ ଲାଇସେନ୍ସ ଜାରି କରିଥିବା ଅଭିଯୋଗ ହୋଇଛି । ୨୦୧୨ରୁ ଏଭଳି ବେଆଇନ୍ସ କାରବାର ଚାଲିଥିବା ସିବିଆଇ ତଦନ୍ତ ବେଳେ ସାମ୍ନାକୁ ଆସିଛି ।

ସିବିଆଇ କହିଛି ଯେ, ଅର୍ଥ ବଦଳରେ ଜମ୍ମୁକାଶ୍ମୀରର ଅନେକ ଜିଲ୍ଲା ମାଜିଷ୍ଟ୍ରେଟ୍ ଏଯାବତ ପ୍ରାୟ ୨.୭୮ ଲକ୍ଷରୁ ଊର୍ଦ୍ଧ୍ୱ ବେଆଇନ ବନ୍ଧୁକ ଲାଇସେନ୍ସ ଜାରି କରିଛନ୍ତି । ଭାରତର ଏହା ସବୁଠୁ ବଡ଼ ହତିଆର ଲାଇସେନ୍ସ ସ୍କାମ୍ ବୋଲି କୁହାଯାଉଛି ।
ଏହି ମାମଲାରେ ସିବିଆଇ ଜମ୍ମୁକାଶ୍ମୀରର ୨୦ ବନ୍ଧୁକ କାରଖାନା ସମେତ ପ୍ରାୟ ୪୦ ସ୍ଥାନରେ ଚଢ଼ାଉ କରିଛି । ଦୁଇ ଆଇଏଏସ୍ ଅଧିକାରୀ ସାହିଦ୍ ଇକ୍‌ବାଲ୍ ଚୌଧୁରୀ ଏବଂ ନୀରଜ କୁମାରଙ୍କ ଘର ଓ କାର୍ଯ୍ୟାଳୟ ଉପରେ ବି ଚଢ଼ାଉ ହୋଇଛି । ଚୌଧୁରୀ ସ୍ପ୍ରତି ଆଦିବାସୀ ବ୍ୟାପାର ବିଭାଗର ସଚିବ ଅଛନ୍ତି । ସେ ପୂର୍ବରୁ ଜାମ୍ମୁକାଶ୍ମୀରର ୬ଟି ଜିଲ୍ଲାରେ କଲେକ୍ଟର ଭାବେ କାର୍ଯ୍ୟ କରିଛନ୍ତି ।

ଜମ୍ମୁକାଶ୍ମୀରରେ ବେଆଇନ ବନ୍ଧୁକ ଲାଇସେନ୍ସ ରାକେଟ୍‌ର ପର୍ଦ୍ଦାଫାସ୍ ପ୍ରଥମେ ୨୦୧୭ରେ ରାଜସ୍ଥାନର ଆତଙ୍କବାଦୀ ନିରୋଧୀ ସ୍କାଡ୍ ଦ୍ୱାରା ହୋଇଥିଲା । ଚାରି ଅପରାଧୀଙ୍କ ଠାରୁ ଜବତ ହତିଆରର ଲାଇସେନ୍ସ ଜାମ୍ମୁକାଶ୍ମୀରର ଆଇଏଏସ୍ ଅଧିକାରୀଙ୍କ ଦ୍ୱାରା ଜାରି କରାଯାଇଥିବା ନେଇ ରାଜସ୍ଥାନ ଏଟିଏସ୍ ଜାଣିବାକୁ ପାଇଥିଲା । ତଦନ୍ତ ବେଳେ ଜଣାପଡ଼ିଥିଲା ଯେ, ଜାଲ୍ ଦସ୍ତାବିଜ୍ ଏବଂ ସେନା କର୍ମଚାରୀଙ୍କ ନାମରେ ପ୍ରାୟ ୩୦୦୦ ଲାଇସେନ୍ସ ଜାରି କରାଯାଇଛି । ସେତେବେଳେ ଜମ୍ମୁକାଶ୍ମୀରରେ ପିଡିପି-ବିଜେପିର ମେଣ୍ଟ ସରକାର ଉପରେ ବି ଅଙ୍ଗୁଳି ଉଠିଥିଲା । ବେଆଇନ ବନ୍ଧୁକ ଲାଇସେନ୍ସ ମାମଲାରେ ଅଭିଯୁକ୍ତ ମାନଙ୍କୁ ପିଡିପି-ବିଜେପି ମେଣ୍ଟ ସରକାର ଘଣ୍ଟ ଘୋଡ଼ାଉଥିବା ଅଭିଯୋଗ ହୋଇଥିଲା ।

Comments are closed.