ହିମାଚଳ ପ୍ରଦେଶରେ ଭୂସ୍ଖଳନ, ପୋଲ ଭୁଶୁଡ଼ି ୯ ମୃତ

ସିମଲା: ହିମାଚଳ ପ୍ରଦେଶର କିନୌର ସ୍ଥିତ ସାଙ୍ଗଲା ଘାଟିରେ ଭୂସ୍ଖଳନ ଯୋଗୁଁ ଏକ ପୋଲ ଭୁଶୁଡ଼ି ପଡିବାରୁ ୯ ଜଣଙ୍କର ମୃତ୍ୟୁ ହୋଇଛି। କିନୌର ଜିଲ୍ଲା ଏସପି ସାଜୁ ରାମ ରାଣା କହିଛନ୍ତି ଯେ ଏହି ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି। ଭୂସ୍ଖଳନ ଯୋଗୁଁ ବାଟସେରୀ ବ୍ରିଜ ଭୁଶୁଡି ପଡିଥିଲା। ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ଉପସ୍ଥିତ ଥିବା ଏସପି କହିଛନ୍ତି।

ସୂଚନାନୁସାରେ, କିଛି ପର୍ଯ୍ୟଟକଙ୍କୁ ନେଇ ସାଙ୍ଗଲା ଯାଉଥିବା ଏକ ଗାଡି ଭୂସ୍ଖଳନର ଶିକାର ହୋଇଥିଲା। ପର୍ଯ୍ୟଟକମାନେ ଛତିଶଗଡର ଥିଲେ ବୋଲି କୁହାଯାଇଛି। ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି। ଭୂସ୍ଖଳନର ଯୋଗୁଁ ବଡ଼ ବଡ଼ ପଥର ଖଣ୍ଡ ପର୍ବତରୁ ଦ୍ରୁତ ଗତିରେ ଖସି ଆସି ପୋଲକୁ ଧକ୍କା ଦେଇଥିଲା । ସେଠାରେ ଚାଲିଥିବା ନିର୍ମାଣ କାର୍ଯ୍ୟରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ରହିଛି। ସେଠାରେ ଉପସ୍ଥିତ ଥିବା ଲୋକମାନେ ଏହି ଭୟଙ୍କର ଦୃଶ୍ୟକୁ ମୋବାଇଲ୍ ଫୋନରେ କଏଦ କରିଥିଲେ।

Comments are closed.