ଅସିତ୍ ତ୍ରିପାଠୀଙ୍କ କଳାହାଣ୍ଡି ଗସ୍ତ: ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ପରିଦର୍ଶନ

ଶୁଭାରମ୍ଭ କଲେ ବେହେରା - ଡେଙ୍ଗାଗୁଡ଼ା ୩୩ କେଭି ଲାଇନ୍

ଭୁବନେଶ୍ବର: ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ଅସିତ୍ ତ୍ରିପାଠୀ ଆଜି କଳାହାଣ୍ଡି ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟସ୍ଥଳ ପରିଦର୍ଶନ କରିଛନ୍ତି । ଏଥି ସହିତ ଭବାନୀପାଟଣାଠାରେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି ।

ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ କିପରି ତ୍ବରାନ୍ବିତ ଭାବେ କରାଯାଇପାରିବ ଏବଂ ଜିଲ୍ଲାକୁ ପ୍ରଗତିର ଉର୍ଦ୍ଧ୍ବ ସୋପାନକୁ ନେଇହେବ ତା ’ ଉପରେ ସେ ଅଧିକାରୀମାନଙ୍କ ଜିଲ୍ଲା ପାଇଁ ବାସ୍ତବ ଧର୍ମୀ କାର୍ଯ୍ୟଖସଡ଼ା ପ୍ରସ୍ତୁତ କରି ସେ ଦିଗରେ କାର୍ଯ୍ୟ କରିବା ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରିଥିଲେ । ସେ ଅର୍ଥକରୀ ଫସଲ , ଟସର ଚାଷ , ମତ୍ସ୍ୟଚାଷ , ପଶୁପାଳନ , ଖାଦ୍ୟ ପ୍ରକ୍ରିୟାକରଣ ଏବଂ ଅନ୍ୟାନ୍ୟ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା ଦିଗରେ ଲୋକଙ୍କୁ ପ୍ରୋତ୍ସାହିତ କରିବା ନିମନ୍ତେ ପରାମର୍ଶ ଦେଇଥିଲେ । ଆଗାମୀ ଦିନରେ କଳାହାଣ୍ଡିର ଛବିକୁ ପରିବର୍ତ୍ତନ କରିବାକୁ ହେବ । ତେଣୁ ଆଗକୁ ଅଧିକ ଅର୍ଥନୈତିକ କାର୍ଯ୍ୟକ୍ରମ ଗ୍ରହଣ କରି ଯୁବବର୍ଗଙ୍କୁ କିପରି କର୍ମସଂସ୍ଥାନର ସୁଯୋଗ ଯୋଗାଇ ଦିଆଯାଇପାରିବ ସେ ନେଇ ଅଧିକାରୀମାନଙ୍କୁ କହିଥିଲେ । ଜଳସେଚନ ସୁବିଧା ହେତୁ ଜିଲ୍ଲାରେ ରହିଥିବା ଭୂସଂପଦର ସଂପୂର୍ଣ୍ଣ ଉପଯୋଗ କରିବା , କୃଷି କ୍ଷେତ୍ରରେ ବିବିଧିକରଣ କରିବା ଆଦି ଉପରେ ସେ ଜୋର ଦେଇଥିଲେ । ଏହି ଅବସରରେ ସେ ଜିଲ୍ଲାରେ ନୂତନ ଉଦ୍ୟୋଗ ସୃଷ୍ଟି ପାଇଁ ଆଗ୍ରହୀ ଉଦ୍ୟୋଗୀମାନଙ୍କୁ ସାକ୍ଷାତ ଦେଇ ସେମାନଙ୍କ ସହ ଆଲୋଚନା କରିଥିଲେ ।

ଏଥି ସହିତ ଅସିତ୍ ତ୍ରିପାଠୀ କେତେକ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କରି ସେଠାରେ କିପରି ଉନ୍ନତ ଭିତ୍ତିଭୂମିର ବିକାଶ କରି ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରାଯାଇପାରିବ ତାହା ସୂଚିତ କରିଥିଲେ । ତା’ଛଡ଼ା ଘରୋଇ ସହଭାଗିତାରେ କିପରି ବୋଟିଂ , ରେସ୍ତୋଂରା ଏବଂ ହୋଟେଲ ଆଦି କରାଯାଇପାରିବ ସେ ସଂପର୍କରେ ଆଲୋଚନା କରିଥିଲେ । ସେ ଭବାନୀପାଟଣା ଟାଉନ ହଲ୍ ପରିଦର୍ଶନ କରି ସେଠାରେ ଚାଲିଥିବା ନବୀକରଣ କାର୍ଯ୍ୟ ନିରୀକ୍ଷଣ କରିବା ସହିତ ଭଙ୍ଗାବାରୀ ଯାଇ ସେଠାରେ ନିର୍ମାଣାଧୀନ ମେଡିକାଲ କଲେଜ ବୁଲି ଦେଖିଥିଲେ । ସେଠାରୁ ଯାଇ ଜାରିଙ୍ଗ ଛେଳି ପାଳନ କେନ୍ଦ୍ର , ଭତ୍ରାଜୋର ମଧ୍ୟମ ଜଳସେଚନ ପ୍ରକଳ୍ପ , ଜୁନାଗଡ଼ଠାରେ ନିର୍ମିତ ବିଜୁ ପଟ୍ଟନାୟକ ସୋଟର୍ସ କମ୍ପ୍ଲେକ୍ସ ଏବଂ ଲେପ୍ରା ସୋସାଇଟି ଦ୍ବାରା ପରିଚାଳିତ ନେତ୍ର ଚିକିତ୍ସାଳୟ , ଛୁରିଆଗଡ଼ କଳାଗ୍ରାମ ଓ ବିଜୁ ଏକ୍ସପ୍ରେସ୍ ୱେ ପରିଦର୍ଶନ କରି ସଂପୃକ୍ତ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ପରେ ଧର୍ମଗଡ଼ ବ୍ଲକ୍‌ର ବେହେରା ଯାଇ ସେଠାରେ ବେହେରା – ଡେଙ୍ଗାଗୁଡ଼ା ୩୩ କେଭି ଇନ୍ଦ୍ରାବତୀର ନୂତନ ଲାଇନ୍‌ର ଶୁଭ ଉଦଘାଟନ୍ କରିଥିଲେ । ସେ ନିକଟ ଅତୀତରେ ଜିଲ୍ଲା ପ୍ରଶାସନ କୋଭିଡ୍ ମୁକାବିଲା ନିମନ୍ତେ ଯେଉଁ ପଦକ୍ଷେପ ନେଇଥିଲେ , ତା’ର ଭୂୟସୀ ପ୍ରଶଂସା କରିବା ସହିତ ସରକାରଙ୍କ ଆଗୁଆ ପଦକ୍ଷେପ ଏ କ୍ଷେତ୍ରରେ ଆମକୁ ଯଥେଷ୍ଟ ସୁରକ୍ଷା ଦେଇଥିବା ପ୍ରକାଶ କରିଥିଲେ ।

ତାଙ୍କର ଏହି ଗସ୍ତ କାଳରେ ଶକ୍ତି , ଶିଳ୍ପ , ଏମ୍ଏସ୍ଏମ୍ଇ , ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର , ଧର୍ମଗଡ଼ ବିଧାୟକ ମୌଷଧ ବାଗ୍ , ଜିଲ୍ଲାପାଳ ଡ . ପରାଗ ହର୍ଷଦ ଗଓ୍ବାଲୀ , ଧର୍ମଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷ ବଳରାମ ପୁଝାରୀ , ଜିଲ୍ଲା ପରିଷଦ ସଭ୍ୟା ବିମଳା ବାଗ , ପିଡି , ଡିଆର୍‌ଡିଏ ସୋମେଶ ଉପାଧ୍ୟାୟ ପ୍ରମୁଖ ଉପସ୍ଥିତ ଥିଲେ ।

Comments are closed.