ଦିଲ୍ଲୀରେ ଆଜିଠାରୁ ଖୋଲିବ ସିନେମା ହଲ୍, ମଲ୍ଟିପ୍ଲେକ୍ସ ଓ ସ୍ପା; ଶତ ପ୍ରତିଶତ କ୍ଷମତା ସହ ଚାଲିବ ମେଟ୍ରୋ

ନୂଆଦିଲ୍ଲୀ: ହ୍ରାସ ପାଉଥିବା କରୋନା ସଂକ୍ରମଣ ମଧ୍ୟରେ ଆଜିଠାରୁ ଦିଲ୍ଲୀରେ ଅନଲକ୍-୮ ଲାଗୁ ହେବ। ଅନଲକ୍ ର ଏହି ପର୍ଯ୍ୟାୟରେ ୩ ମାସରୁ ଅଧିକ ସମୟ ଧରି ବନ୍ଦ ଥିବା ସିନେମା ହଲ୍ ଏବଂ ସ୍ପା ଗୁଡ଼ିକୁ ବଡ଼ ଆଶ୍ବସ୍ତି ମିଳିଛି | ଅନଲକ୍-୮ ଅଧୀନରେ ସର୍ତ୍ତ ସହିତ ସିନେମା ହଲ୍ ଏବଂ ସ୍ପା ଖୋଲିବାକୁ ଅନୁମତି ଦିଆଯାଇଛି ।

ଏହା ସହିତ ଦିଲ୍ଲୀ ମେଟ୍ରୋ ଏବଂ ବସ୍ ଯୋଗେ ଯାତ୍ରା କରୁଥିବା ଲୋକଙ୍କୁ ମଧ୍ୟ ଆରାମ ଦିଆଯାଇଛି। ମେଟ୍ରୋ ଅଧିକାରୀ କହିଛନ୍ତି ଯେ ଆଜିଠାରୁ ଟ୍ରେନ୍ ଗୁଡିକ ପୂର୍ଣ୍ଣ କ୍ଷମତା ସହିତ କାର୍ଯ୍ୟ କରିବ, କିନ୍ତୁ ଛିଡା ହୋଇ ଯାତ୍ରାକୁ ଅନୁମତି ଦିଆଯିବ ନାହିଁ। ଦିଲ୍ଲୀ ମେଟ୍ରୋ ରେଳ ନିଗମ (ଡିଏମ୍ଆରସି) ଜୁନ୍ ୭ ରୁ ୫୦ ପ୍ରତିଶତ ସିଟ୍ କ୍ଷମତା ବିଶିଷ୍ଟ ଟ୍ରେନ୍ ଚଳାଉଛି । କୋଭିଡ -୧୯ କାରଣରୁ ଦୀର୍ଘ ଦିନ ପରେ ମେଟ୍ରୋ ସେବା ୧୦୦ ପ୍ରତିଶତ କ୍ଷମତା ସହ ପୁନଃ ଆରମ୍ଭ ହୋଇଛି |

ବିବାହ ଉତ୍ସବରେ ବର୍ତ୍ତମାନ ସର୍ବାଧିକ ୧୦୦ ଲୋକଙ୍କୁ ଅନୁମତି ଦିଆଯାଇଛି। ଏଥି ସହିତ ଅନ୍ତିମ ସଂସ୍କାରରେ ଲୋକଙ୍କ ସଂଖ୍ୟା ୨୦ ରୁ ୧୦୦କୁ ବୃଦ୍ଧି କରାଯାଇଛି।

ଜୁଲାଇ ୨୬ ରୁ ସିନେମା ହଲ୍, ଥିଏଟର ମଲ୍ଟିପ୍ଲେକ୍ସ ମଧ୍ୟ ୫୦ ପ୍ରତିଶତ ସିଟ୍ କ୍ଷମତା ସହିତ ଖୋଲାଯିବାକୁ ଥିବାବେଳେ ବ୍ୟବସାୟିକ ପ୍ରଦର୍ଶନୀ ମଧ୍ୟ ଆୟୋଜନ କରିବାକୁ ଅନୁମତି ଦିଆଯାଇଛି । କିନ୍ତୁ ଏଥିରେ କେବଳ ବ୍ୟବସାୟିକ ପରିଦର୍ଶକ ଯୋଗଦେବାକୁ ସମର୍ଥ ହେବେ, ସାଧାରଣ ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିବ ନାହିଁ | ଜୁଲାଇ ୨୬ରୁ ଦିଲ୍ଲୀର ସ୍ପା ଖୋଲିବ ବୋଲି ଡିଡିଏମଏ କହିଛି ।

ଏପ୍ରିଲ ଏବଂ ମେ ମାସରେ କରୋନାର ଦ୍ୱିତୀୟ ଲହରୀ ସମୟରେ ଦିଲ୍ଲୀରେ ସଂକ୍ରମଣ ଏବଂ ମୃତ୍ୟୁ ଉଦବେଗଜନକ ଭାବେ ବୃଦ୍ଧି ଘଟିଥିଲା। ତେବେ ଗତ କିଛି ସପ୍ତାହ ମଧ୍ୟରେ ସ୍ଥିତିରେ ଉନ୍ନତି ଘଟିଛି ଏବଂ ସରକାର ପର୍ଯ୍ୟାୟକ୍ରମେ ସହରକୁ ଖୋଲୁଛନ୍ତି। ରବିବାର ଦିନ ଦିଲ୍ଲୀରେ ୬୬ଟି ନୂଆ କରୋନା ମାମଲା ରିପୋର୍ଟ ହୋଇଥିବାବେଳେ ଦୁଇ ଜଣ ପ୍ରାଣ ହରାଇଛନ୍ତି।

Comments are closed.