ଟୋକିଓ ଅଲିମ୍ପିକ୍ସ: ଟେନିସ୍, ତୀରନ୍ଦାଜୀ, ବ୍ୟାଡମିଣ୍ଟନରେ ଭାରତ ନିରାଶ, ଫେନସିଂରେ ଲଢ଼ୁଆ ପ୍ରଦର୍ଶନ ସତ୍ତ୍ୱେ ଭବାନୀ ଦେବୀଙ୍କ ବିଦାୟ

ଟୋକିଓ: କ୍ରୀଡ଼ାର ମହାକୁମ୍ଭ ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ତୃତୀୟ ଦିନରେ ଭାରତକୁ ଏଯାବତ୍ ନିରାଶ ହେବାକୁ ପଡ଼ିଛି | ତୀରନ୍ଦାଜୀ, ବ୍ୟାଡମିଣ୍ଟନ ଏବଂ ଫେନସିଂରେ ଭାରତ ପରାଜୟର ସମ୍ମୁଖୀନ ହୋଇଛି ।

ପୁରୁଷ ସିଙ୍ଗଲ୍ସ ଟେନିସ ପ୍ରତିଯୋଗିତାରେ ଭାରତର ଏକମାତ୍ର ପ୍ରତିଯୋଗୀ ସୁମିତ ନାଗଲ୍ ବିଦାୟ ନେଇଛନ୍ତି । ଦ୍ବିତୀୟ ରାଉଣ୍ଡରେ ସେ ବିଶ୍ବର ଦ୍ବିତୀୟ ମାନ୍ୟତା ପ୍ରାପ୍ତ ଖେଳାଳି ରୁଷିଆର ଡାନିଲ ମେଡଭେଡେଭଙ୍କ ଠାରୁ ସିଧାସଳଖ ୬-୨,୬-୧ ସେଟରେ ପରାସ୍ତ ହୋଇଛନ୍ତି । ଏଥିସହ ଟେନିସ ଇଭେଣ୍ଟରେ ଭାରତର ଅଭିଯାନ ଶେଷ ହୋଇଯାଇଛି ‌‌ । ପୂର୍ବରୁ ମହିଳା ଡବଲ୍ସରେ ସାନିଆ ମିର୍ଜା ଓ ଅଙ୍କିତା ରାଧାଙ୍କ ଯୋଡ଼ି ପ୍ରଥମ ରାଉଣ୍ଡରେ ହାରି ବାଦ୍ ପଡ଼ଥିଲେ ।

ଭାରତୀୟ ପୁରୁଷ ତୀରନ୍ଦାଜୀ ଦଳ ପ୍ରଥମ ରାଉଣ୍ଡରେ ଚମତ୍କାର ବିଜୟ ସହ ଅଭିଯାନ ଆରମ୍ଭ କରିଥିଲା ​​କିନ୍ତୁ ପରେ ଏକପାଖିଆ କ୍ବାର୍ଟର ଫାଇନାଲରେ ଦକ୍ଷିଣ କୋରିଆ ଠାରୁ ୬-୦ରେ ପରାସ୍ତ ହୋଇ ପଦକ ଦୌଡ଼ ରୁ ବାଦ୍ ପଡ଼ିଛି ।

ବ୍ୟାଡମିଣ୍ଟନରେ ବି ଭାରତକୁ ନିରାଶ ହେବାକୁ ପଡ଼ିଛି। ପୁରୁଷ ଡବଲ୍ସ ଗ୍ରୁପ୍ ” ମ୍ୟାଚରେ ସାତ୍ତ୍ୱିକସାଇରାଜ ରାଙ୍କିରେଡି ଏବଂ ଚିରାଗ ଶେଟ୍ଟୀ ବିଶ୍ୱର ଏକ ନମ୍ବର ଯୋଡି ଇଣ୍ଡୋନେସିଆର ମାର୍କସ ଗିଡୋନ ଫର୍ନାଲିଡି ଏବଂ କେଭିନ ସଞ୍ଜୟ ସୁକାମୁଲଜୋଙ୍କ ଠାରୁ ପରାସ୍ତ ହୋଇଛନ୍ତି। ଭାରତୀୟ ଯୋଡି ୨୧-୧୩, ୨୧-୧୨ରେ ହାରି ବିଦାୟ ନେଇଛନ୍ତି |

ଟୋକିଓ ଅଲିମ୍ପିକ୍ସ ୨୦୨୦ରେ ଜବରଦସ୍ତ ଡେବ୍ୟୁ କରିଥିବା ଭବାନୀ ଦେବୀ ମହିଳା ଫେନସିଂର ସେଓ୍ବର ଇଭେଣ୍ଟର ଲଢ଼ୁଆ ପ୍ରଦର୍ଶନ ସତ୍ତ୍ୱେ ରାଉଣ୍ଡ-୩୨ରେ ହାରି ଯାଇଛନ୍ତି । ଏହି ଭାରତୀୟ ଫେନ୍ସର ଦ୍ୱିତୀୟ ରାଉଣ୍ଡରେ ଫ୍ରାନ୍ସର ଚତୁର୍ଥ ସିଡ୍ ମନନ୍ ବ୍ରୁନେଟଙ୍କ ଠାରୁ ୧୫-୭ ରେ ପରାସ୍ତ ହୋଇଥିଲେ |

Comments are closed.