ଯୁକ୍ତ ଦୁଇରେ ମଧ୍ୟ ଆରମ୍ଭ ହେବ ୟୁଟ୍ୟୁବ୍ ଲାଇଭ କ୍ଲାସ୍

କରୋନା ମହାମାରୀର ପ୍ରଭାବ ମାନବ ସମାଜର ଜୀବନଶୈଳୀ ସମେତ ଉଣାଅଧିକ ସମସ୍ତ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିବାକୁ ବାଧ୍ୟ କରିଛି। ସେ ସାସ୍ଥ୍ୟ ହେଉ କି ଶିକ୍ଷା ଅଥବା ଦୈନନ୍ଦିନ ଜୀବନ… ଦେଖିବାକୁ ମିଳିଛି ଅନେକ ପରିବର୍ତ୍ତିତ ପଦ୍ଧତି। ବିଶେଷ କରି ଶିକ୍ଷା କ୍ଷେତ୍ରରେ ଏବେ ପ୍ରତ୍ୟକ୍ଷ ବା ଶ୍ରେଣୀ କକ୍ଷ ପାଠପଢା ବଦଳରେ ଅନଲାଇନ୍ କ୍ଲାସ୍ ରୁମ୍, ବିଭିନ୍ନ ଆପ୍ (ଡିଜିଟାଲ୍ ଆପ୍ଲିକେସନ୍) ଜରିଆରେ ଶିକ୍ଷାଦାନକୁ ଗୁରୁତ୍ବ ଦିଆଯାଉଛି। ସେହିକ୍ରମରେ ଏବେ ୟୁଟ୍ୟୁବ୍ ଲାଇଭ୍ କ୍ଲାସର ଚାହିଦା ବଢିଛି। ଅନ୍ୟ ଡିଜିଟାଲ୍ ମାଧ୍ୟମ ଅପେକ୍ଷା ୟୁଟ୍ୟବକୁ ଅଧିକ ଛାତ୍ରଛାତ୍ରୀ ବା ଅଭିଭାବକ ଗ୍ରହଣ କରିପାରୁଛନ୍ତି। ଏଣୁ ରାଜ୍ୟର ସମସ୍ତ ବିଦ୍ୟାଳୟ ଛାତ୍ରଛାତ୍ରୀ ତଥା ଅଭିଭାବକଙ୍କ ହିତକୁ ନଜରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରଥମେ ୟୁଟ୍ୟୁବ୍ ଲାଇଭ୍ କ୍ଲାସ୍ ଆରମ୍ଭ କରିଥିଲା। ଆଉ ଏବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀଙ୍କ ନିମନ୍ତେ ମଧ୍ୟ ଆସନ୍ତା ମାସରୁ ଏହି ପ୍ରକ୍ରିୟା ଆପଣାଯିବ। ଫଳରେ ରାଜ୍ୟର ଯେକୌଣସି ଅଞ୍ଚଳର ଛାତ୍ରଛାତ୍ରୀ, କ୍ଲାସକୁ ଆସନ୍ତୁ ବା ନ ଆସନ୍ତୁ, ଘରେ ବସି ମଧ୍ୟ ସୁବିଧାରେ ଶିକ୍ଷା ଗ୍ରହଣ କରିପାରିବେ ବୋଲି ଆଶା କରାଯାଉଛି।

ଯଦିଓ ସଂକ୍ରମଣ କମିବାରେ ଲାଗିଛି, ତଥାପି ତୃତୀୟ ପର୍ଯ୍ୟାୟ ମହାମାରୀ ବିପଦ ଟଳିନି। ଏଣୁ ମହାମାରୀ ସତର୍କତା ସାଙ୍ଗକୁ ସେ ବିଦ୍ୟାଳୟ ହେଉ କି ଯୁକ୍ତ ଦୁଇ (କନିଷ୍ଠ) ମହାବିଦ୍ୟାଳୟ ସମସ୍ତ ବିଦ୍ୟାର୍ଥୀଙ୍କ ପାଠପଢାକୁ ସୁବିଧାଜନକ କରିବା ଉପରେ ଗୁରୁତ୍ବାରୋପ କରି ଆସିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିକ୍ରମରେ ଏବେ ରାଜ୍ୟର ୭ଟି ଯୁକ୍ତ ଦୁଇ କଲେଜ (ହାୟର ସେକଣ୍ଡାରୀ ସ୍କୁଲ)କୁ ୟୁଟ୍ୟୁବ୍ ଲାଇଭ୍ କ୍ଲାସ୍ ଆୟୋଜନ ନିମନ୍ତେ ନିର୍ଦ୍ଦେଶ ହୋଇଛି। ବିଭିନ୍ନ କଲେଜକୁ କଳା, ବିଜ୍ଞାନ ଓ ବାଣିଜ୍ୟର ଭିନ୍ନ ଭିନ୍ନ ପାଠ୍ୟକ୍ରମର କ୍ଲାସ୍ ନିମନ୍ତେ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ପରାମର୍ଶ ହୋଇଛି। ବ୍ରହ୍ମପୁର ଖଲ୍ଲିକୋଟ ଜୁନିୟର କଲେଜରେ ଯୁକ୍ତ ଦୁଇ ବଟନୀ ଓ ଆକାଉଣ୍ଟିଂ କୋର୍ସ ନିମନ୍ତେ ପ୍ରସ୍ତୁତ କରାଯାଇଛି ଷ୍ଟୁଡିଓ ରୁମ୍। ସେଠାରେ ନିର୍ଦ୍ଦିଷ୍ଟ ବିଷୟର ଅଧ୍ୟାପକ ଅଧ୍ୟାପିକାମାନେ ବସି ପିଲାଙ୍କୁ ୟୁଟ୍ୟୁବ୍ ଜରିଆରେ ସିଧାପ୍ରସାରଣରେ ପଢାଇବେ। ଏଥିପାଇଁ ଏସି, ମ୍ୟାଗ୍ନେଟିକ୍ ବୋର୍ଡ, ସାଉଣ୍ଡ ପ୍ରୁଫ୍ ରୁମ୍, ଲାଇଟ୍, କ୍ୟାମେରା, ସାଉଣ୍ଡ୍ ସିଷ୍ଟମ୍ ଆଦି ଲକ୍ଷାଧିକ ଟଙ୍କା ବ୍ୟୟରେ ବ୍ୟବସ୍ଥା କରାଯାଇ ସାରିଲାଣି। ଏହା ଫଳରେ କେବଳ ବର୍ତ୍ତମାନ ନୁହେଁ, ଆଗାମୀ ଦିନରେ ମଧ୍ୟ ଅନ୍‌ଲାଇନ୍ କ୍ଲାସ୍ କରିବାକୁ ଏକ ଭିତ୍ତିଭୂମି ରାଜ୍ୟରେ ଏବେ ପ୍ରସ୍ତୁତ ହେବାରେ ଲାଗିଲାଣି। ପ୍ରଥମେ ସ୍କୁଲସ୍ତରରେ ଆଉ ଏବେ ଯୁକ୍ତ ଦୁଇ କଲେଜସ୍ତରରେ ଏହି ପଦ୍ଧତି ଭବିଷ୍ୟତର ଶିକ୍ଷାଦାନ ସକାଶେ ବେଶ୍ ସହାୟକ ହେବ ଏଥିରେ କୌଣସି ଦ୍ବନ୍ଦ୍ବ ନାହିଁ। ଆଗାମୀ ଦିନର ଆବଶ୍ୟକତାକୁ ଦେଖି ଏବେଠାରୁ ପ୍ରସ୍ତୁତି କରିବାର ଏହି କୌଶଳ ହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସରକାରର ଭବିଷ୍ୟଦ୍ରଷ୍ଟା ଶାସନର ଏକ ନଜିର ବୋଲି କୁହାଯାଇ ପାରେ।

Comments are closed.