ଟୋକିଓ ଅଲିମ୍ପିକ୍ସ: ହକିରେ ଭାରତର ଦ୍ୱିତୀୟ ବିଜୟ, ସ୍ପେନ୍‌କୁ ୩-୦ରେ ହରାଇଲା

ଟୋକିଓ: ଅଷ୍ଟ୍ରେଲିଆ ଠାରୁ ଶୋଚନୀୟ ପରାଜୟ ପରେ ଭାରତୀୟ ପୁରୁଷ ହକି ଦଳ ଦୃଢ ପ୍ରତ୍ୟାବର୍ତ୍ତନ କରିଛି । ମଙ୍ଗଳବାର ପୁଲ୍ ‘ଏ’ର ଏକ ମ୍ୟାଚ୍ ରେ ଭାରତ ୩-୦ ଗୋଲରେ ସ୍ପେନକୁ ହରାଇ ନିଜ ଅଭିଯାନକୁ ପୁଣି ଟ୍ରାକ୍ କୁ ଆଣିଛି ।

ଭାରତ ଗତ ମ୍ୟାଚରେ ଅଷ୍ଟ୍ରେଲିଆ ଠାରୁ ୧-୭ରେ ହାରିଥିଲା । ତେବେ ଆଜି ବିଶ୍ୱର ନବମ ମାନ୍ୟତାପ୍ରାପ୍ତ ଟିମ୍ ସ୍ପେନ୍ ବିପକ୍ଷରେ ମନପ୍ରୀତ ସିଂଙ୍କ ଦଳ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରିଥିଲା । ଭାରତ ତରଫରୁ ରୂପିନ୍ଦର ପାଲ୍ ସିଂ ଦୁଇଟି ଗୋଲ୍ ସ୍କୋର କରିଥିବା ବେଳେ ସିମ୍ରନଜୀତ ସିଂ ଗୋଟିଏ ଗୋଲ୍ ଦେଇଥିଲେ । ଭାରତର ଏହା ଦ୍ୱିତୀୟ ବିଜୟ । ବିଶ୍ୱ ମାନ୍ୟତାର ଚତୁର୍ଥ ସ୍ଥାନରେ ଥିବା ଭାରତ ନିଜ ପ୍ରଥମ ଗ୍ରୁପ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ୩-୨ରେ ପରାସ୍ତ କରିଥିଲା । ତିନୋଟି ମ୍ୟାଚରୁ ଦୁଇଟି ବିଜୟ ସହ ଭାରତ ଏବେ ପୁଲ୍ ‘ଏ’ ପଏଣ୍ଟ ତାଲିକାର ଦ୍ୱିତୀୟ ସ୍ଥାନକୁ ଉନ୍ନୀତ ହୋଇଛି । ଅଷ୍ଟ୍ରେଲିଆ ଶୀର୍ଷ ସ୍ଥାନ ବଜାୟ ରଖିଛି ।

ଅନ୍ୟପକ୍ଷେ ସ୍ପେନ୍ ଏଯାବତ୍ ଗୋଟିଏ ବି ମ୍ୟାଚ୍ ଜିତିନାହିଁ । ସ୍ପେନ୍ ପ୍ରଥମ ମ୍ୟାଚରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ସହ ୧-୧ ଡ୍ର ଖେଳିଥିଲା । ଦ୍ୱିତୀୟ ମ୍ୟାଚ୍‌ରେ ସ୍ପେନୀୟ ଦଳ ୪-୩ରେ ନ୍ୟୁଜିଲାଣ୍ଡ ଠାରୁ ପରାସ୍ତ ହୋଇଥିଲା । ଭାରତ ତାର ପରବର୍ତ୍ତୀ ମ୍ୟାଚ୍ ଗୁରୁବାର ଆର୍ଜେଣ୍ଟିନା ବିପକ୍ଷରେ ଖେଳିବ ।

ସ୍ପେନ୍ ବିପକ୍ଷରେ ଭାରତ ଆରମ୍ଭରୁ ଶୃଙ୍ଖଳିତ ପ୍ରଦର୍ଶନ କରିଥିଲା । ମ୍ୟାଚର ଦଶମ ମିନିଟରେ ଏକ ସୁଯୋଗ ମିଳିଥିଲେ ମଧ୍ୟ ଭାରତ ତାହା ହାତଛଡା କରିଦେଇଥିଲା । ପୁଣି ୧୨ତମ ମିନିଟରେ ଏକ ପେନାଲ୍ଟି କର୍ଣ୍ଣରକୁ ବି ଗୋଲରେ ରୂପାନ୍ତର କରିବାରେ ବିଫଳ ହୋଇଥିଲା ଭାରତ ।

ପ୍ରଥମ କ୍ୱାର୍ଟର ଶେଷ ଆଡକୁ ଭାରତ ପ୍ରତିପକ୍ଷ ଦଳର ଗୋଲ୍ ଭେଦ କରିବାରେ ସଫଳ ହୋଇଥିଲା । ମ୍ୟାଚର ୧୪ତମ ମିନିଟରେ ଅମିତ ରୋହିଦାସଙ୍କ ଏକ ପାସକୁ ସିମ୍ରନଜୀତ ସ୍ପେନ୍ ଗୋଲ ଭିତରକୁ ପଠାଇ ଭାରତକୁ ୧-୦ରେ ଅଗ୍ରଣୀ କରିଥିଲେ । ପୁଣି ୧୫ତମ ମିନିଟରେ ଏକ ପେନାଲ୍ଟି ଷ୍ଟ୍ରୋକରୁ ରୂପିନ୍ଦର ଗୋଲ୍ ଦେଇ ଭାରତର ଅଗ୍ରଣୀ ୨-୦କୁ ବୃଦ୍ଧି କରିଥିଲେ । ଦ୍ୱିତୀୟ ଓ ତୃତୀୟ କ୍ୱାର୍ଟରରେ କୌଣସି ଗୋଲ୍ ହୋଇନଥିଲା । ଚତୁଥ କ୍ୱାର୍ଟରରେ ରୂପିନ୍ଦର ପୁଣି ଏକ ପେନାଲ୍ଟି କର୍ଣ୍ଣରକୁ ସଫଳତାର ସହ ଗୋଲରେ ରୂପାନ୍ତରିତ କରିଥିଲେ । ଭାରତ ନିର୍ଣ୍ଣାୟକ ୩-୦ ଅଗ୍ରଣୀ ହାସଲ କରିବା ସହ ବିଜୟ ନିଶ୍ଚିତ କରିଥିଲା ।

Comments are closed.