ପେଗାସସ୍ ତାଲିକାରେ ଥିଲେ ବିଏସ୍ଏଫ୍ ର ପୂର୍ବତନ ଡିଜି, କେଜ୍ରିୱାଲଙ୍କ ମୁଖ୍ୟ ପରାମର୍ଶଦାତା

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦାଗିରି ମାମଲାରେ ଦିନକୁ ଦିନ ନୂଆ ଖୁଲାସା ହେଉଛି। ଏହି ଗୁଇନ୍ଦାଗିରିର ସମ୍ଭାବ୍ୟ ଟାର୍ଗେଟରେ ଥିବା ଲୋକଙ୍କ ତାଲିକାରେ ଆଉ କିଛି ହାଇ ପ୍ରୋଫାଇଲ୍ ନାମ ଯୋଡି ହୋଇଯାଇଛି | ‘ଦି ୱାୟାର’ର ରିପୋର୍ଟ ଅନୁଯାୟୀ, ସୀମା ସୁରକ୍ଷା ବଳ (ବିଏସଏଫ)ର ପୂର୍ବତନ ମହାନିର୍ଦେଶକ (ଡିଜି) କେ.କେ ଶର୍ମା, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ବରିଷ୍ଠ ଅଧିକାରୀ ରାଜେଶ୍ୱର ସିଂ ଏବଂ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ମୁଖ୍ୟ ପରାମର୍ଶଦାତା ଭି.କେ ଜୈନଙ୍କ ଫୋନ୍ ମଧ୍ୟ ପେଗାସସ୍ ସ୍ପାଏଓ୍ବେର୍ ଦ୍ବାରା ହ୍ୟାକ୍ ହୋଇଥାଇପାରେ ବୋଲି କୁହାଯାଇଛି ।

ଏହାଛଡ଼ା ରିସର୍ଚ୍ଚ ଆନାଲିସିସ୍ ୱିଙ୍ଗ (ର’) ର ଅବସରପ୍ରାପ୍ତ ଅଧିକାରୀ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜୁନିଅର ଅଫିସର ଏବଂ ଦୁଇଜଣ ପୂର୍ବତନ ସେନା ଅଧିକାରୀ ମଧ୍ୟ ଗୁଇନ୍ଦାଗିରିର ଟାର୍ଗେଟ ଥିବା ସନ୍ଦେହ କରାଯାଉଛି। ଏହି ବ୍ୟକ୍ତିଙ୍କ ନାମ ୫୦ ହଜାର ଫୋନ୍ ନମ୍ବର ଡାଟାବେସରେ ସାମିଲ କରାଯାଇଥିଲା, ଯାହା ପେଗାସସ୍ ମାଧ୍ୟମରେ ହ୍ୟାକ୍ ହୋଇଥାଇ ପାରେ ବୋଲି କୁହାଯାଇଛି । ଇସ୍ରାଏଲ୍ ଗୁଇନ୍ଦା କମ୍ପାନୀ ଏନ୍ଏସ୍ଓ ଗ୍ରୁପ୍ ହେଉଛି ପେଗାସସ୍ ସ୍ପାଏଓ୍ବେର୍ ର ନିର୍ମାତା । ଏନ୍ଏସ୍ଓ ଗ୍ରୁପ୍ ଏହି ଅତ୍ୟାଧୁନିକ ଗୁଇନ୍ଦା ସଫ୍ଟଓୟାର କେବଳ ସରକାର ମାନଙ୍କୁ ବିକ୍ରି କରେ ବୋଲି କହିଛି ।

Comments are closed.