ପେଗାସସ୍ ମାମଲାରେ ସଂସଦରେ ଆଲୋଚନା ଦାବିରେ ଏକାଠି ହେଲେ ୧୪ ବିରୋଧୀ ଦଳ

ନୂଆଦିଲ୍ଲୀ: ପେଗାସସ୍ ଗୁଇନ୍ଦା କେଳେଙ୍କେରୀ, ଦରବୃଦ୍ଧି ଏବଂ କୃଷି ଆଇନ ପ୍ରସଙ୍ଗରେ ସଂସଦରେ ବିରୋଧୀ ଦଳଙ୍କ ହଟ୍ଟଗୋଳ ଜାରି ରହିଛି ।

ଇତିମଧ୍ୟରେ ପେଗାସସ୍ ଗୁଇନ୍ଦା କେଳେଙ୍କେରୀ ମାମଲାରେ ୧୪ଟି ବିରୋଧୀ ଦଳ ଏକାଠି ହୋଇଛନ୍ତି । ଆଜି ବିରୋଧୀ ଦଳଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଥିଲା । ପେଗାସସ୍ ମାମଲାରେ ସରକାରଙ୍କୁ ଘେରିବାକୁ ଏଥିରେ ଯୋଜନା ପ୍ରସ୍ତୁତ କରାଯାଇଥିଲା । ବୈଠକ ପରେ କଂଗ୍ରେସ ନେତା ତଥା ୱାୟାନାଡ୍ ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି ଯେ ପେଗାସସ୍ ମାମଲା, ଦରବୃଦ୍ଧି ଏବଂ କୃଷକ ପ୍ରସଙ୍ଗରେ ଆମେ ମାଲିସ୍ କରିବୁ ନାହିଁ। ଆମେ ସଂସଦରେ ଏହି ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ଚାହୁଁଛୁ।

ରାହୁଲ କହିଛନ୍ତି ଯେ ଆମେ ସଂସଦକୁ ଚଳାଇବାକୁ ଦେଉ ନାହୁଁ ବୋଲି କହି ସରକାର ବିରୋଧୀଙ୍କୁ ବଦନାମ କରୁଛନ୍ତି। କିନ୍ତୁ ଆମେ ଲୋକ, କୃଷକ ଏବଂ ଦେଶ ସହ ଜଡିତ ପ୍ରସଙ୍ଗ ଉଠାଉଛୁ।

ବିରୋଧୀ ଦଳ ବୈଠକରେ କଂଗ୍ରେସସ ସହ ଦ୍ରାବିଡ ମୁନ୍ନେତ୍ରା କାଜଗାମ(ଡିଏମକେ), ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିସି), ରାଷ୍ଟ୍ରୀୟ ଜନତା ଦଳ, ସମାଜବାଦୀ ପାର୍ଟି, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ (ମାର୍କ୍ସବାଦୀ), କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ, ନ୍ୟାସନାଲ କନଫରେନ୍ସ, ଆମ୍ ଆଦମୀ ପାର୍ଟି, ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍, ରାଷ୍ଟ୍ରିୟ ସମାଜ ପାର୍ଟି, କେରଳ କଂଗ୍ରେସ (ମି), ବିଦୁଥାଇ ଚିରୁଥାଇଗାଲ କାଚି ଏବଂ ଏସ୍ ଦଳର ନେତାମାନେ ଯୋଗ ଦେଇଥିଲେ ।

ବୁଧବାର ରାଜ୍ୟସଭା କାର୍ଯ୍ଯ ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ହୋହଲ୍ଲା ଆରମ୍ଭ କରିଥିଲେ। ଏହି କାରଣରୁ କାର୍ଯ୍ୟ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସ୍ଥଗିତ ରହିଥିଲା। ଗୃହକାର୍ଯ୍ୟ ପୁଣି ୧୨ଟାରୁ ଆରମ୍ଭ ହୋଇଥିଲା, କିନ୍ତୁ ବିରୋଧୀଙ୍କ ଆଭିମୁଖ୍ୟ ଅପରିବର୍ତ୍ତିତ ରହିଥିଲା | ଅନ୍ୟପକ୍ଷରେ ଲୋକସଭାରେ ବିରୋଧୀ ସାଂସଦଙ୍କ ସ୍ଲୋଗାନ ଯୋଗୁଁ ଗୃହକୁ ୧୨:୩୦ ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା

Comments are closed.