ବ୍ୟାଡମିଣ୍ଟନ କିମ୍ବଦନ୍ତୀ ନନ୍ଦୁ ନାଟେକରଙ୍କ ପରଲୋକ

ପୁଣେ: ଭାରତର ପୂର୍ବତନ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକରଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ନନ୍ଦୁ ନାଟେକର ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ଭାବେ ୧୯୫୬ରେ ଏକ ଆନ୍ତର୍ଜାତୀୟ ଟାଇଟଲ୍ ଜିତିଥିଲେ | ସେ ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ମୃତ୍ୟୁ ପରେ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କ ପରଲୋକରେ ପ୍ରଧାନମନ୍ତ୍ରୀ ମୋଦି ଦୁଃଖ ପ୍ରକାଶ କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ଟ୍ୱିଟ୍ କରି ଲେଖିଛନ୍ତି, “ଭାରତର କ୍ରୀଡା ଇତିହାସରେ ଶ୍ରୀ ନନ୍ଦୁ ନାଟେକରଙ୍କର ଏକ ସ୍ବତନ୍ତ୍ର ସ୍ଥାନ ରହିଛି। ସେ ଜଣେ ଶ୍ରେଷ୍ଠ ବ୍ୟାଡମିଣ୍ଟନ ଖେଳାଳି ତଥା ଜଣେ ମହାନ ପରାମର୍ଶଦାତା ଥିଲେ। ତାଙ୍କର ସଫଳତା ଉଦୀୟମାନ କ୍ରୀଡ଼ାବିତଙ୍କୁ ଅନୁପ୍ରାଣିତ କରିଛି। ତାଙ୍କର ଦେହାନ୍ତରେ ଦୁଃଖିତ। ତାଙ୍କ ପରିବାର ଓ ବନ୍ଧୁଙ୍କ ପ୍ରତି ମୋର ସମବେଦନା । ଓଁ ଶାନ୍ତି। ”

ନିଜ କ୍ୟାରିୟରରେ ୧୦୦ରୁ ଅଧିକ ଜାତୀୟ ତଥା ଆନ୍ତର୍ଜାତୀୟ ଟାଇଟଲ୍ ଜିତିଥିବା ନାଟେକର ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ଥିଲେ। ତାଙ୍କ ଜଣେ ପୁଅ ଓ ଦୁଇ ଝିଅ ଅଛନ୍ତି। ତାଙ୍କ ସମୟର ସବୁଠାରୁ ଲୋକପ୍ରିୟ ଖେଳାଳି ଭାବରେ ବିବେଚିତ ହୋଇଥିବା ନାଟେକର ପୂର୍ବତନ ବିଶ୍ୱ ନମ୍ବର ତିନି ଖେଳାଳି ଥିଲେ |

ପଶ୍ଚିମ ମହାରାଷ୍ଟ୍ରର ସାଙ୍ଗଲିରେ ଜନ୍ମଗ୍ରହଣ କରିଥିବା ନାଟେକରଙ୍କୁ ୧୯୬୧ ମସିହାରେ ସମ୍ମାନଜନକ ଅର୍ଜୁନ ପୁରସ୍କାର ପ୍ରଦାନ କରାଯାଇଥିଲା।

Comments are closed.