‘ଜୀବନ ଶାଶ୍ୱତ ଓ ଅମୃତମୟ’: କଥାକାର ରାମଚନ୍ଦ୍ର ବେହେରା ସାହିତ୍ୟ ଏକାଡେମୀ ଆନୁକୂଲ୍ୟରେ ଅତିବଡ଼ୀ ପୁରସ୍କାର ପ୍ରଦାନ

ସାରସ୍ବତ ସାଧନା ପାଇଁ ୧୫ ଜଣ ସମ୍ବଦ୍ଧିତ

ଭୁବନେଶ୍ବର: ଆଜି ଓଡ଼ିଶା ସାହିତ୍ୟ ଏକାଡେମୀର ୨୮ତମ ପୁରସ୍କାର ବିତରଣୀ ଉତ୍ସବରେ ଏକାଡେମୀର ସର୍ବୋଚ୍ଚ ଅତିବଡ଼ୀ ଜଗନ୍ନାଥ ଦାସ ପୁରସ୍କାର ବିଶିଷ୍ଟ କଥାଶିଳ୍ପୀ ତଥା ସାରସ୍ବତ ସାଧକ ଡ.ରାମଚନ୍ଦ୍ର ବେହେରାଙ୍କୁ ପ୍ରଦାନ କରାଯାଇଛି । ସ୍ଥାନୀୟ ସଂସ୍କୃତି ଭବନଠାରେ ନିରାଡମ୍ବର ଭାବେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ପର୍ଯ୍ୟଟନ , ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ । ଡ.ବେହେରାଙ୍କୁ ମାନପତ୍ର , ପୁଷ୍ପଗୁଚ୍ଛ ଏବଂ ୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ଚେକ୍ ଆକାରରେ ପ୍ରଦାନ କରାଯାଇଥିଲା । ଏଥି ସହିତ ସାରସ୍ବତ ସାଧନା ଓ ଓଡ଼ିଆ ବାଣୀଭଣ୍ଡାରକୁ ଉଲ୍ଲେଖନୀୟ ଯୋଗଦାନ ନିମନ୍ତେ ୧୫ ଜଣ ବୟୋଜ୍ୟେଷ୍ଠ ସାରସ୍ଵତ ସାଧକ/ସାଧକାଙ୍କୁ ମଧ୍ୟ ମାନପତ୍ର , ଉପଢୌକନ ଓ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା । ସମ୍ବର୍ଦ୍ଧିତ ସାରସ୍ଵତ ବ୍ୟକ୍ତିତ୍ଵମାନେ ହେଲେ ରାସେଶ୍ୱରୀ ମିଶ୍ର , ମହେଶ୍ୱର ମୂଳିଆ , ଡ.ଜୀବନକୃଷ୍ଣ ମହାପାତ୍ର , ନିର୍ମଳପ୍ରଭା ନାୟକ , ରାଧାବିନୋଦ ନାୟକ , ଡ.କୃପାସିନ୍ଧୁ ନାୟକ , ଡ.ସ୍ଵରାଜ୍ୟ ଲକ୍ଷ୍ମୀ ମିଶ୍ର , ବାଇଧର ସାହୁ , ଡ.ଦିଗରାଜ ବ୍ରହ୍ମା , ବାବାଜୀ ଚରଣ ପଟ୍ଟନାୟକ , ଗିରିଜା ଶଙ୍କର ଶର୍ମା , ସୌଭାଗିନୀ ମିଶ୍ର , ଦେବେନ୍ଦ୍ର କୁମାର ଦାଶ , ଅଶୋକ କୁମାର ପଟ୍ଟନାୟକ , ଡ.ରୁଦ୍ର ନାରାୟଣ ପୃଷ୍ଟି । ଏକାଡେମୀର ସଭାପତି ବିଶିଷ୍ଟ କବି ଡ.ହୃଷିକେଶ ମଲ୍ଲିକ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବାବେଳେ ସମ୍ମାନିତ ଅତିଥି ଭାବେ ବିଭାଗୀୟ ଶାସନ ସଚିବ ସୁରେଶ ଚନ୍ଦ୍ର ଦଳାଇ ଏବଂ ଅତିରିକ୍ତ ଶାସନ ସଚିବ ତଥା ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଯୋଗଦେଇ ସାହିତ୍ୟ ସାଧକମାନେ ପାଠକ ସୃଷ୍ଟି ଦିଗରେ ତାଙ୍କର ଲେଖନୀ ଚାଳନା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଏକାଡେମୀର ସଚିବ ଶ୍ରୀ ପ୍ରବୋଧ କୁମାର ରାଉତ ସ୍ଵାଗତ ଭାଷଣ ଦେଇଥିବାବେଳେ ଉପସଭାପତି ଡ . ସଂଗ୍ରାମ ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।

ଅତିବଡ଼ୀ ପୁରସ୍କାର ପ୍ରାପକ ବିଶିଷ୍ଟ କଥାକାର ଡ.ବେହେରା ଜୀବନ ଶାଶ୍ବତ ଓ ଅମୃତମୟ ବୋଲି ଉଲ୍ଲେଖ କରିବା ସହିତ ଲେଖକୀୟ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ । ଏହି ପୁରସ୍କାର ପାଇବା ନିମନ୍ତେ ତାଙ୍କୁ ମନୋନୀତ କରାଯାଇଥିବାରୁ ସେ ଓଡ଼ିଆ ଭାଷା , ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଏକାଡେମୀକୁ କୃତଜ୍ଞତା ଜଣାଇଥିଲେ ।

ଏହି ଅବସରରେ ମନ୍ତ୍ରୀ ପାଣିଗ୍ରାହୀ କୋଭିଡ୍ କଟକଣା ସତ୍ତ୍ୱେ ସଂସ୍କୃତି ବିଭାଗ କଳାକାର , ଶିଳ୍ପୀ , ସାହିତ୍ୟିକମାନଙ୍କୁ ଉତ୍ସାହିତ , ସମ୍ବର୍ଦ୍ଧିତ କରିବାରେ ନିରନ୍ତର ଭାବେ ପ୍ରୟାସ କରିଆସୁଛି ବୋଲି କହିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏଥ ପ୍ରତି ରହିଥିବା ସ୍ୱୀକୃତି ଓ ସମର୍ଥନ ପାଇଁ କୃତଜ୍ଞତା ଜଣାଇଥିଲେ ।

ଏଠାରେ ପ୍ରକାଶଯୋଗ୍ୟ ଯେ ଏହି ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଜ୍ୟ ବ୍ୟାପୀ ପ୍ରବନ୍ଧ , ବସ୍ତୁତା , ସାହିତ୍ୟ ସମ୍ବନ୍ଧୀୟ ସାଧାରଣ ଜ୍ଞାନ ଓ କବିତା ଆବୃତ୍ତି ପ୍ରତିଯୋଗିତା ଆୟୋଜନ କରାଯାଇ ଗତ ୨୫ ତାରିଖ ଏକାଡେମୀ ସ୍ୱନକ୍ଷତ୍ର ଦିବସରେ ପୁରସ୍କୃତ କରାଯିବା ପାଇଁ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏଥିରେ ୧୧୮୬ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ । ବିଜୟୀ ପ୍ରତିଯୋଗୀମାନଙ୍କୁ ଜିଲ୍ଲାପାଳମାନଙ୍କ ଜରିଆରେ ପୁରସ୍କୃତ କରିବା ପାଇଁ ବ୍ୟବସ୍ଥା କରାଯାଇଥିବା କଥା ସୂଚିତ କରାଯାଇଥିଲା ।

Comments are closed.