ପେଗାସସ୍ କେଳେଙ୍କେରୀ ନେଇ ପ୍ରବଳ ହଟ୍ଟଗୋଳ ଯୋଗୁଁ ଲୋକସଭା ମୁଲତବୀ, ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗିଥିବା ସାଂସଦ ହେବେ ନିଲମ୍ବିତ

ନୂଆଦିଲ୍ଲୀ: ପେଗାସସ୍ କେଳେଙ୍କେରୀ, ଦରବୃଦ୍ଧି ଏବଂ କୃଷି ଆଇନ ପ୍ରସଙ୍ଗରେ ସଂସଦରେ ବିରୋଧୀଙ୍କ ହଙ୍ଗାମା ଜାରି ରହିଛି। ଲୋକସଭାରେ ବିରୋଧୀ ସାଂସଦମାନେ ବାଚସ୍ପତିଙ୍କ ଉପରକୁ କାଗଜ ଫିଙ୍ଗିଛନ୍ତି ଏବଂ ‘ଖେଲୋ ହୋବେ’ ସ୍ଲୋଗାନ ଦେଇଛନ୍ତି। ଏହି କାରଣରୁ ଗୃହକାର୍ଯ୍ୟ ପ୍ରଥମେ ଅପରାହ୍ନ ୧୨:୩୦ ପର୍ଯ୍ୟନ୍ତ ଏବଂ ପରେ ୨ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ଅପରାହ୍ନ ୨ଟାରେ ବୈଠକ ଆରମ୍ଭ ହେବା ପରେ ବିରୋଧୀ ପୁଣି ହୋହଲ୍ଲା ଆରମ୍ଭ କରିଥିଲେ | ଏଭଳି ସ୍ଥିତିରେ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଏବଂ ପରେ ଅପରାହ୍ନ ୪ଟା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଥିଲା। ଅପରାହ୍ନ ୪ଟାରେ ପୁଣି ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀଙ୍କ ହଟ୍ଟଗୋଳ ବନ୍ଦ ହୋଇନଥିଲା । ଫଳରେ ଲୋକସଭିକୁ ଦିନକ ପାଇଁ ମୁଲତବୀ ରଖାଯାଇଛି।

ଅନ୍ୟପକ୍ଷରେ, ସୂତ୍ରରୁ ପ୍ରକାଶ ଯେ ବାଚସ୍ପତିଙ୍କ ଆସନକୁ କାଗଜ ଫିଙ୍ଗିବା ଏବଂ ଅସମ୍ମାନ ପ୍ରଦର୍ଶନ କରିଥିବାରୁ ଲୋକସଭାର ୧୦ ଜଣ ସାଂସଦଙ୍କୁ ଗୃହରୁ ନିଲମ୍ବିତ କରାଯାଇପାରେ। ଏହି ୧୦ ସାଂସଦ ହେଉଛନ୍ତି ଗୁରୁଜିତ ସିଂ ଔଜଲା, ଟିଏନ୍ ପ୍ରଥାପନ୍, ମାଣିକମ୍ ଟାଗୋର, ରବନୀତ ସିଂ ବିଟୁ, ହିବି ଇଡେନ୍, ଯୋତି ମଣି ସେନମାଲାଇ, ସପ୍ତଗିରି ଶଙ୍କାର ଉଲକା, ବି. ବୈଥିଲିଙ୍ଗମ୍ ଏବଂ ଏଏମ୍ ଆରିଫ୍ ।

Comments are closed.