ବିସ୍ମୟ ବାଳକ ଆରବ

ବୟସ ମାତ୍ର ସାଢେ ୪ ବର୍ଷ। ବ୍ରହ୍ମପୁର ସହରର ଏକ ଇଁରାଜୀ ମାଧ୍ୟମ ବିଦ୍ୟାଳୟରେ ଏଲକେଜି ଷ୍ଟାଣ୍ଡାର୍ଡର ଛାତ୍ର ସେ। ଯେଉଁ ବୟସରେ ଅନ୍ୟ ପିଲାଏ ଇଁରାଜୀ ଲେଖାପଢ଼ା ଆରମ୍ଭ କରନ୍ତି ସେହି ବୟସରେ କିନ୍ତୁ ଏହି ଛୁଆ ଜଣକ ଇଁରାଜୀ ନିର୍ଭୁଲ ଭାବେ ଲେଖି ପଢି ପାରୁଛନ୍ତି। ୧ରୁ ୧୦୦ ହେଉ ଅବା ୧୦୦ରୁ ୧ ଓଲଟା ଗଣତି ସେ ସମ୍ପୂର୍ଣ୍ଣ ଠିକ୍ ଠିକ୍ କହିପାରନ୍ତି। କୌଣସି ଇଁରାଜୀ ବହି ତାଙ୍କ ହାତରେ ଧରାଇ ଦିଅନ୍ତୁ, ସେ ପୃଷ୍ଠା ଖୋଲି ପଢ଼ିବା ଆରମ୍ଭ କରି ଦିଅନ୍ତି, ତାହା ବି ନିର୍ଭୁଲ ଭାବେ। ତାଙ୍କ ଇଁରାଜୀ ପଢ଼ିବା ଶୈଳୀ ମଧ୍ୟ ଆମୋଦଦାୟକ। ଏଣୁ ବ୍ରହ୍ମପୁର ନୀଳାଞ୍ଚଳ ନଗର ଚତୁର୍ଥ ଗଳିରେ ରହୁଥିବା ଆରବ ପଟ୍ଟନାୟକ ଦାସଙ୍କୁ ବିସ୍ମୟ ବାଳକ କହିଲେ ହୁଏତ ଭୁଲ ହେବନି।

ସିଦ୍ଧାର୍ଥ ଶଙ୍କର ଦାସ ଓ ବନ୍ୟା ପଟ୍ଟନାୟକଙ୍କ ଗେହ୍ଲା ପୁଅ ଆରବ। ପୂର୍ବରୁ ଏହି ପରିବାର ବାଙ୍ଗାଲୁରୁରେ ରହୁଥିଲେ। ବର୍ଷକ ତଳୁ ବ୍ରହ୍ମପୁରକୁ ଆସି ଯାଇଛନ୍ତି। ପିଲାଟି ଦିନରୁ କାର୍ଟୁନ ଦେଖିବା କିମ୍ବା ଅଧିକ ସମୟ ଖେଳରେ ବିତାଇବା ଅପେକ୍ଷା ଆରବ ପଢାପଢି ପ୍ରତି ଅଧିକ ଆଗ୍ରହ ଦେଖାଇ ଆସିଛନ୍ତି। ୩୦ରୁ ଅଧିକ ଇଁରାଜୀ ପଦ୍ୟ (ରାଇମ୍) ସେ ମୁଖସ୍ଥ କରି ସାରିଲେଣି। ଅଭିନୟ ସହ ସୁନ୍ଦର ଭାବରେ ଗାଇ ପାରନ୍ତି। ଅନେକ ସାଧାରଣ ଜ୍ଞାନବାଚକ ପ୍ରଶ୍ନର ନିର୍ଭୁଲ ଓ ଫଟାଫଟ ଉତ୍ତର ଦେଇପାରନ୍ତି ସେ। ସେଥିପାଇଁ ତ ଘର, ପଡ଼ିଶାରୁ ଆରମ୍ଭ କରି ସ୍କୁଲ ଆଉ ସମ୍ପର୍କୀୟ ସମସ୍ତଙ୍କ ନିକଟରେ ସେ ପ୍ରଶଂସା ପାଉଛନ୍ତି।

୨୬.୧.୨୦୧୭ରେ ବାଣପୁରରେ ଜନ୍ମିତ ଆରବ ନିଜ ବିଚକ୍ଷଣ ବୁଦ୍ଧି ପାଇଁ ଚର୍ଚ୍ଚିତ। ଆଉ ଏବେ ତାଙ୍କ ଦକ୍ଷତାକୁ ସ୍ବୀକୃତି ଦେଇଛନ୍ତି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ କର୍ତ୍ତୃପକ୍ଷ। ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ୍ ୨୦୨୧ ତାଲିକାରେ ଆରବଙ୍କ କୃତିତ୍ବକୁ ସାମିଲ କରିଛନ୍ତି। ଗତ ମେ ମାସରେ ଆରବଙ୍କ ପିତା ମାତା ଏ ନେଇ ଆବେଦନ କରିଥିଲେ। ନିକଟରେ ଆଇବିଆର୍ କର୍ତ୍ତୃପକ୍ଷ ତାହାକୁ ସ୍ବୀକୃତି ଦେବା ଆମ ରାଜ୍ୟ ପାଇଁ ଗୌରବର ବିଷୟ।

Comments are closed.