ରହସ୍ୟମୟ ପୁରୀର ଅଠରନଳା

ଶ୍ରୀକ୍ଷେତ୍ର ପୁରୀରେ ପ୍ରବେଶ କରିବା ସମୟରେ ଆମକୁ ଯେଉଁ ସେତୁ ବା ପୋଲକୁ ସର୍ବ ପ୍ରଥମେ ଅତିକ୍ରମ କରିବାକୁ ପଡିଥାଏ ତାହାକୁ ଲୋକ ମୁଖରେ ‘ ଅଠରନଳା ‘ କୁହାଯାଏ। ଏହି ସ୍ଥାନରୁ ଶ୍ରୀମନ୍ଦିର ଶିଖରରେ ଉଡୁଥିବା ପତିତପାବନ ବାନା ଓ ନୀଳଚକ୍ର ସ୍ପଷ୍ଟ ଦେଖାଯାଇଥାଏ।

ଏହି ଅଠରନଳା ପୋଲ କେବେ ନିର୍ମାଣ କରାଯାଇଥିଲା, ସେ ନେଇ ଐତିହାସିକ ମାନେ କିଛି ନିର୍ଦ୍ଦିଷ୍ଟ ମତ ରଖିନାହାନ୍ତି। ମାଦଳା ପାଞ୍ଜି ତଥ୍ୟ ଆଧାରରେ ୧୩ ଶହ ଶତାବ୍ଦୀରେ ବୀର ନରସିଂହ ଦେବ ଏହି ବନ୍ଧ ନିର୍ମାଣ କରିଥିଲେ। କିନ୍ତୁ ଗବେଷକ ମାନଙ୍କ ମତରେ ରାଜା ମତ୍ସ୍ୟ କେଶରୀ ଓ ବରାହ କେଶରୀ ଏହି ଅଠରନଳା ପ୍ରତିଷ୍ଠା କରିଥିଲେ। ସେମାନଙ୍କ ସମୟ ଥିଲା ୧୦୫୦ ରୁ ୧୦୭୧ ମସିହା। କେବଳ ଯେ ଏହି ବନ୍ଧ ନିର୍ମାଣର ସମୟକୁ ନେଇ ଭିନ୍ନ ମତ ରହିଛି ତା ନୁହେଁ, ଅଠରନଳା ଯେଉଁ ନଦୀ ଉପରେ ନିର୍ମିତ, ସେଇ ନଦୀର ମଧ୍ୟ ଏକାଧିକ ନାମକୁ ନେଇ ରହିଛି ଦ୍ଵନ୍ଦ। ଏହି ରହସ୍ୟମୟ ଅଠରନଳାଟି କେତେକଙ୍କ ମତରେ ଗଙ୍ଗୁଆ ନଦୀ ଉପରେ ନିର୍ମିତ ତ ଅନ୍ୟ ମତରେ ମାଟିଆ ତଥା ମଧୁପୁର ନଦୀ ଉପରେ ପ୍ରତିଷ୍ଠିତ ବୋଲି ମତ ରଖିଛନ୍ତି। ଆମେ ଯାହାକୁ ଅଠରନଳା ବୋଲି କହୁଛୁ ବାସ୍ତବରେ ତାହାର ଉଣେଇସି ଟି ସେତୁ ରହିଛି।

କେତେକ ଐତିହାସିକ ମାନଙ୍କ ମତରେ ପୂର୍ବେ ମାଳିନୀ ନାମକ ଏକ ନଦୀ ପୁରୀ କୁ ଦୁଇଭାଗ କରି ସମୁଦ୍ରରେ ମିଶୁଥିଲା। ଏହାର ଏକ ଶାଖା ନଦୀ ପୁରୀର ନଗର ସୀମାରେ ପଶ୍ଚିମ ଦିଗକୁ ପ୍ରବାହିତ ହେଉଥିଲା। ଏହି ଶାଖା ନଦୀର ନାମ ଥିଲା ମୂଷା ନଦୀ। ଯାହା ପୁରୀକୁ ବାହ୍ୟ ଜଗତରୁ ବିଛିନ୍ନ କରି ରଖୁଥିଲା। ଯାତ୍ରୀ ମାନଙ୍କ ଯାତାୟାତ ସମସ୍ୟା ଦୂର କରିବା ପାଇଁ ଗଙ୍ଗ ବଂଶର ରାଜା ଦ୍ଵିତୀୟ ନରସିଂହ ଦେବ ଏହି ମୂଷା ନଦୀ ଉପରେ ଏହି ଅଠରନଳା କରାଇଥିଲେ। ଅନ୍ୟ ତଥ୍ୟ ଆଧାରରେ ଗଙ୍ଗବଂଶର ରାଜା ଦ୍ଵିତୀୟ ଭାନୁଦେଵ ୧୩ ଶହ ଶତାବ୍ଦୀରେ ଏହାକୁ ନିର୍ମାଣ କରାଇଥିଲେ।

କିମ୍ବଦନ୍ତୀ ଅନୁସାରେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଏହି ବନ୍ଧକୁ ନିର୍ମାଣ କରିବାକୁ ଚେଷ୍ଟା କରି ବାରମ୍ବାର ବିଫଳ ହେବା ପରେ ନିଜର ୧୮ ଟି ସନ୍ତାନ କୁ ବଳି ଦେବା ପରେ ଏହି ଅଠରନଳା ତିଆରି କରିବାକୁ ସକ୍ଷମ ହୋଇଥିଲେ। ଅଠରନଳା ପୋଲରେ ୧୮ଟି ଫୁକାର ରହିଛି। ଏହି ଫୁକାର ଗୁଡିକ ଖିଲାଣ କାମ ନହୋଇ ପଥର ମାନଙ୍କ ଦ୍ଵାରା ଲହଡି ମୁଦ ଦ୍ୱାରା ରହସ୍ୟାବୃତ ଭାବରେ ହୋଇଛି। ପୋଲଟିର ୧୯ ଖମ୍ବ ଥିବାବେଳେ ଜଳ ନିଷ୍କାସନ ପାଇଁ ୧୮ଟି ନଳା ରହିଛି। ଅଠରନଳାର ଲମ୍ବ ୮୫ ମିଟର ଓ ଓସାର ୧୧ ମିଟର। ଏଥିରେ ଥିବା ଖିଲାଣ ଗୁଡିକ ଯଥାକ୍ରମେ ୧୬ ଫୁଟରୁ ୨୭ ଫୁଟ ପର୍ଯ୍ୟନ୍ତ ଅଟେ। ମଝି ଖିଲାଣଟି ବଡ଼ ଥିବାବେଳେ ଉଭୟ ପାଖରୁ କ୍ରମନ୍ୱୟରେ ଛୋଟ ହୋଇ ଯାଇଛି। କନ୍ଦା ଓ ବାଲିଆ ପଥରରେ ଏହାକୁ ନିର୍ମାଣ କରାଯାଇଛି।

ଅତୀତରେ ପୁରୀରେ ୧୪ଟି ଘାଟ ମଧ୍ୟରୁ ୧୦ଟି ନଦୀ ଘାଟ ଥିବା ବେଳେ ୪ଟି ସମୁଦ୍ର ଘାଟ ଥିଲା। ୧୦ଟି ନଦୀ ଘାଟ ମଧ୍ୟରେ ଅଠରନଳା ସବୁଠାରୁ ପ୍ରସିଦ୍ଧ ଥିଲା। ଶ୍ରୀମନ୍ଦିର ସୁରକ୍ଷା ପାଇଁ ଏହି ଘାଟରେ ରାଜା ପ୍ରତିହାରୀ ସେବକଙ୍କୁ ନିଯୁକ୍ତି କରିଥିଲେ। ସେମାନଙ୍କୁ ଘାଟ ଦ୍ୱାର ପ୍ରତିହାରୀ କୁହାଯାଉଥିଲା। ଏହି ଘାଟ ନିକଟରେ ଘାଟ ରକ୍ଷକ ଭାବରେ ଅଲମ୍ବା ବା ଆଲାମ ଚଣ୍ଡୀ ବିରାଜମାନ କରିଛନ୍ତି।ଏହାର ନିର୍ମାଣ ଶୈଳୀ ଆଜିବି ରହସ୍ୟବୃତ ହୋଇ ରହିଛି।

Comments are closed.