ଶ୍ରୀକ୍ଷେତ୍ର ପୁରୀର ପ୍ରବେଶ ପଥରେ ରହିଛନ୍ତି ମା’ ବାଟମଙ୍ଗଳା। ଭୁବନେଶ୍ୱର ପୁରୀ ଜାତୀୟ ରାଜପଥର ବୀରହରେକୃଷ୍ଣପୁର ଅତିକ୍ରମ କରିବା ପରେ ରାଜପଥ ଉପରେ ବାମ ପାର୍ଶ୍ଵରେ ଦୃଶ୍ୟମାନ ହୋଇଥାଏ ଏକ ମନ୍ଦିର। ଏହି ମନ୍ଦିରଟି ହେଉଛି ମା’ ବାଟମଙ୍ଗଳାଙ୍କ ମନ୍ଦିର। ଅବଶ୍ୟ ଏହି ମନ୍ଦିରଟି ବର୍ତ୍ତମାନର ନବନିର୍ମିତ ମନ୍ଦିର। ଏହା ପୂର୍ବରୁ ଏହି ଦେବୀ ଏକ ବଟବୃକ୍ଷ ତଳେ କ୍ଷୁଦ୍ର କାୟ ମନ୍ଦିରରେ ପୂଜା ପାଉଥିଲେ। ବାଟ ଗାଁ ସମେତ ନିକଟବର୍ତ୍ତୀ କତିପୟ ଗ୍ରାମର, ବାଟମଙ୍ଗଳା ହେଉଛନ୍ତି ଗ୍ରାମର ଗ୍ରାମ ଦେବତୀ। ଏହି ମନ୍ଦିର ଠାରୁ ୩ କିଲୋମିଟର ଦୂରରେ ଅବସ୍ଥିତ ଶ୍ରୀକ୍ଷେତ୍ରର ଐତିହ୍ୟ ଅଠର ନଳା।
ମା’ ବାଟମଙ୍ଗଳାଙ୍କ ମନ୍ଦିରଟି ପ୍ରାଚୀନ ନହେଲେ ମଧ୍ୟ ଏହି ଦେବୀଙ୍କ ବିଗ୍ରହ ଅତି ପ୍ରାଚୀନ। ପୌରାଣିକ କଥାବସ୍ତୁ ଆଧାରରେ ବ୍ରହ୍ମା ଏ ସୃଷ୍ଟିକୁ ସର୍ଜନା କରିବା ପାଇଁ ଭଗବାନ ବିଷ୍ଣୁଙ୍କ ନାଭି କମଳରୁ ପ୍ରକଟ ହୋଇଥିଲେ। ପ୍ରକଟ ସମୟରେ ଅନନ୍ତ ପ୍ରସାରି ମହାଶୂନ୍ୟକୁ ଦେଖି ବ୍ରହ୍ମା କିଂକର୍ତବ୍ୟ ବିମୁଢ ହୋଇ ପଡିଲେ। ସେହି ସମୟରେ ଯୋଗମାୟା ମଙ୍ଗଳାତ୍ମିକା ଦେବୀ ମଙ୍ଗଳା ଅବିର୍ଭୁତା ହୋଇ ବ୍ରହ୍ମାଙ୍କୁ ଏକ ସୂକ୍ଷ୍ମ ମାର୍ଗ ଦର୍ଶାଇଥିଲେ। ଯାହାଦ୍ୱାରା ବ୍ରହ୍ମା ବିଷ୍ଣୁଙ୍କ ନାଭି ମଣ୍ଡଳ ଦର୍ଶନ କରି ନିଜକୁ ଧନ୍ୟ ମନେ କରିଥିଲେ। ଏହାପରେ ସିଏ ସୃଷ୍ଟି ସର୍ଜନା କରିବାକୁ ସମର୍ଥ ହୋଇ ପାରିଥିଲେ। ଭଗବତୀ ବ୍ରହ୍ମଶକ୍ତି ମଙ୍ଗଳା ବ୍ରହ୍ମା ଙ୍କୁ ମାର୍ଗ ଦର୍ଶନ ବା ବାଟ ଦେଖାଇ ଥିବାରୁ ତାଙ୍କ ନାମ ହେଲା ବାଟମଙ୍ଗଳା। ଅନ୍ୟ ଏକ ଆଖ୍ୟାୟିକା କୁହେ ପିତାମହ ବ୍ରହ୍ମା ଥରେ ଶ୍ରୀକ୍ଷେତ୍ରକୁ ଶ୍ରୀଜଗନ୍ନାଥ ଦର୍ଶନ ପାଇଁ ଆସି କ୍ଷେତ୍ରର ମହାତ୍ମ୍ୟ ସମ୍ବନ୍ଧରେ ଦ୍ଵନ୍ଦରେ ପଡିଗଲେ। ଏଥିପାଇଁ ତାଙ୍କ ମନରେ ଶଙ୍କା ଜାତ ହେଲା। ଫଳରେ ଶ୍ରୀକ୍ଷେତ୍ର ରେ ପ୍ରବେଶ ବାଟ ଭୁଲିଗଲେ। ଏହି ସମୟ ରେ ସର୍ବମଙ୍ଗଳ ଦାୟିନୀ ମଙ୍ଗଳା ଆବିର୍ଭୁତ ହୋଇ ପିତାମହ ବ୍ରହ୍ମାଙ୍କୁ ଶ୍ରୀକ୍ଷେତ୍ରର ମାର୍ଗ ଦର୍ଶନ କରାଇଥିଲେ। ବ୍ରହ୍ମାଙ୍କ ଅନୁରୋଧରେ ଦେବୀ ବାଟରେ ରହି ସମସ୍ତ ଭକ୍ତଙ୍କୁ ମାର୍ଗ ଦର୍ଶନ କରିବାକୁ ପ୍ରତିଶ୍ରୁତି ବି ଦେଇଥିଲେ। ସେହିଦିନ ଠାରୁ ସିଏ ବାଟ ରେ ରହିଥିବାରୁ ତାଙ୍କନାମ ବାଟ ମଙ୍ଗଳା ହୋଇଛି।
ମାଆ ବାଟମଙ୍ଗଳାଙ୍କ ବିଗ୍ରହଟି ଦୁଇଫୁଟରୁ ଉର୍ଦ୍ଧ୍ବ ମଣିବିଗ୍ରହ ଅଟନ୍ତି। ମାଆ ଚତୁର୍ଭୁଜା ପଦ୍ମାସନରେ ବିରାଜିତ। ମା’ ଙ୍କ ନିମ୍ନ ଦୁଇହସ୍ତ ଅଭୟ ମୁଦ୍ରାରେ ଥିବା ବେଳେ ଉର୍ଦ୍ଧ୍ବ ଦକ୍ଷିଣ ହସ୍ତରେ ଶଙ୍ଖ ଓ ବାମ ହସ୍ତରେ ତ୍ରିଶୁଳ ଧାରଣ କରିଛନ୍ତି। ମାଆ ପରମ ବୈଷ୍ଣବୀ ହୋଇଥିବାରୁ ଏଠାରେ ଆମିଷ ଭୋଗ ନିଷିଦ୍ଧ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନବ କଳେବର ସମୟରେ ଜଗନ୍ନାଥଙ୍କ ପାଇଁ ଆସୁଥିବା କାଠ ବୋଝେଇ ଶଗଡ଼ ଗୁଡିକ ଏହି ବାଟ ମଙ୍ଗଳାଙ୍କ ପାଖରେ ପୂଜାର୍ଚ୍ଚନା ସରିବା ପରେ ଶ୍ରୀକ୍ଷେତ୍ରକୁ ପ୍ରବେଶ କରିଥାଏ।
ତଥ୍ୟ ଅନୁଯାୟୀ ୧୮୧୧ ରୁ ୧୮୨୬ ମଧ୍ୟରେ କଲିକତା ଠାରୁ ବାଟମଙ୍ଗଳା ଦେଇ ନିର୍ମାଣ କରାଯାଇଥିଲା ସୁଦୀର୍ଘ ଜଗନ୍ନାଥ ସଡକ। ସେ ସମୟରେ ଲର୍ଡ଼ ଆର୍ମହଷ୍ଟଙ୍କ ନିର୍ଦେଶରେ ୧୮୨୬ ମସିହାରେ କଲିକତାର ରାଜା ସୁଖମୟ ରାୟ ଜଗନ୍ନାଥ ସଡକ ପାଇଁ ଦାନ କରିଥିଲେ ଦେଢଲକ୍ଷ ଟଙ୍କା। ମାଆ ବାଟ ମଙ୍ଗଳାଙ୍କ ପ୍ରମୁଖ ପର୍ବ ହେଉଛି ଶାରଦୀୟ ଦୁର୍ଗାପୂଜା ଓ ଚୈତ୍ର ପୂର୍ଣ୍ଣିମା ଓ ଚୈତ୍ର ମଙ୍ଗଳବାର। ଏହି ସମୟରେ ଅତି ଧୁମଧାମରେ ଏଠାରେ ଉତ୍ସବର ଆୟୋଜନ କରାଯାଇଥାଏ।
ପୁରୀ ପରିଦର୍ଶନରେ ଯାଉଥିବା ସମସ୍ତ ଭକ୍ତଙ୍କ ପ୍ରଥମ ଦର୍ଶନ ହେଉଛନ୍ତି ମାଆ ବାଟ ମଙ୍ଗଳା। ଏବଂ କ୍ଷେତ୍ରରୁ ବାହୁଡ଼ିବା ସମୟର ସାକ୍ଷୀ ହେଉଛନ୍ତି ଏହି ବାଟମଙ୍ଗଳା। ଆମ ଧର୍ମ, ସଂସ୍କୃତି ଓ ଐତିହର ମୁକ ସାକ୍ଷୀ।
Comments are closed.