ପର୍ଣ୍ଣ ଫିଲ୍ମ ରାକେଟ୍ ପରେ ରାଜ କୁନ୍ଦ୍ରାଙ୍କ ବିରୋଧରେ ଅନଲାଇନ୍ ଗେମ୍ ନାଁରେ ଲକ୍ଷ ଲକ୍ଷ ଟଙ୍କା ଠକେଇ ଅଭିଯୋଗ

ମୁମ୍ବାଇ: ଅନ୍ତର୍ଜାତୀୟ ପର୍ଣ୍ଣ ଫିଲ୍ମ ରାକେଟ୍ ମାମଲାରେ ଜେଲରେ ଥିବା ଶିଳ୍ପୀ ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ଅଡ଼ୁଆ ବଢିବାରେ ଲାଗିଛି । ରାଜ କୁନ୍ଦ୍ରାଙ୍କ ବିରୋଧରେ ଏବେ ଆଉ ଏକ ଅଭିଯୋଗ ହୋଇଛି । ଅନଲାଇନ୍ ଗେମ୍ ନାଁରେ କୁନ୍ଦ୍ରା କୁଆଡେ଼ ସାଧାରଣ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛନ୍ତି ।

ବିଜେପି ମୁଖପାତ୍ର ରାମ କଦମ୍ ଆଜି ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀରେ କୁନ୍ଦ୍ରାଙ୍କ କମ୍ପାନୀ ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି । ରାମ କଦମ୍ କହିଛନ୍ତି ଯେ ଭିୟାନ୍ ଇଣ୍ଡଷ୍ଟ୍ରି ନାମରେ ରାଜ କୁନ୍ଦ୍ରାଙ୍କର ଏକ କମ୍ପାନୀ ଅଛି ଯେଉଁଥିରେ ସେ ଜଣେ ନିର୍ଦ୍ଦେଶକ।

ଭିୟାନ୍ କମ୍ପାନୀର ଏକ ଅନଲାଇନ୍ ଗେମ୍ ଅଛି ଯାହାର ନାମ ହେଉଛି ‘ଗଡ୍ (ଗେମ୍ ଅଫ୍ ଡଟ୍ସ)’ । ଲୋକଙ୍କୁ କୁହାଯାଇଥିଲା ଯେ ‘ଗଡ୍’ ଏକ ଅନଲାଇନ୍ ଗେମ୍ ଯାହା ବୈଧ ଅଟେ | ଏହି ଅନଲାଇନ୍ ଗେମକୁ ସରକାର ସ୍ୱୀକୃତି ଦେଇଛନ୍ତି ବୋଲି ମଧ୍ୟ ଲୋକଙ୍କୁ କୁହାଯାଇଥିଲା। ଏଥିରେ କୁନ୍ଦ୍ରା ତାଙ୍କ ପତ୍ନୀ ଶିଳ୍ପା ଶେଟ୍ଟୀଙ୍କ ଫଟୋ ବ୍ୟବହାର କରୁଥିଲେ | ପ୍ରମୋସନ୍ ପାଇଁ ଶିଳ୍ପା ଶେଟ୍ଟୀଙ୍କ ଫଟୋ ବ୍ୟବହାର କରାଯାଉଥିଲା।

ବିଜେପି ମୁଖପାତ୍ର କଦମ୍ ଅଭିଯୋଗ କରିଛନ୍ତି ଯେ ଉକ୍ତ ଅନଲାଇନ୍ ଗେମ୍ ର ବିତରକ ନାମରେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଠକି ନିଆଯାଇଛି। କେତେକଙ୍କୁ ୩୦ ଲକ୍ଷ ତ ଆଉ କେତେକଙ୍କ ଠାରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଟଙ୍କା ଆଦାୟ କରାଯାଇଛି | ବିତରକଙ୍କୁ ମୂଳ କପି ମଧ୍ୟ ଦିଆଯାଇନଥିଲା | ଲୋକଙ୍କୁ ଅନଲାଇନ୍ ଗେମ୍ ପାଇଁ ପୁରସ୍କାର ରାଶି ଦେବାକୁ ପ୍ରତିଶ୍ରୁତି ଦିଆଯାଇଥିଲା। ଦେଶସାରା ବହୁ ଲୋକ ଭିୟାନ କମ୍ପାନୀ ଦ୍ବାରା ଏଭଳି ଠକାମୀର ଶିକାର ହୋଇଛନ୍ତି । ଏକ ଆକଳନ ଅନୁଯାୟୀ, ଭିୟାନ ଇଣ୍ଡଷ୍ଟ୍ରି ଏହି ଅନଲାଇନ୍ ଗେମ୍ ଦ୍ବାରା ୨୫୦୦ ରୁ ୩୦୦୦ କୋଟି ଘୋଟାଲା କରିଛି। ଠକେଇର ଶିକାର ହୋଇଥିବା ଲୋକ ଯେବେ ନିଜ ଟଙ୍କା ଫେରାଇବା ଦାବିରେ ରାଜ କୁନ୍ଦ୍ରାଙ୍କ କାର୍ଯ୍ୟାଳୟକୁ ଯାଇଥିଲେ, ସେମାନଙ୍କୁ ମାଡ଼ ମରାଯାଇଥିଲା ବୋଲି କଦମ୍ ଅଭିଯୋଗ କରିଛନ୍ତି।

Comments are closed.