ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ କ୍ରିକେଟ୍ ଛାଡ଼ିଲେ ଷ୍ଟୋକ୍ସ, ଭାରତ ବିପକ୍ଷ ଟେଷ୍ଟ ସିରିଜରୁ ବି ଓହରିଲେ

ଲଣ୍ଡନ: ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ କ୍ରିକେଟରୁ ହଠାତ ଅନିର୍ଦ୍ଦିଷ୍ଟ କାଳ ବିରତି ନେବାକୁ ଘୋଷଣା କରିଛନ୍ତି । ନିଜ ମାନସିକ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସେ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ଷ୍ଟୋକ୍ସ କହିଛନ୍ତି । ଅଗଷ୍ଟ ୪ରୁ ଆରମ୍ଭ ହେଉଥିବା ଭାରତ ବିପକ୍ଷ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରୁ ମଧ୍ୟ ସେ ଓହରିଛନ୍ତି ।

କ୍ରିକେଟରୁ ଷ୍ଟୋକ୍ସଙ୍କ ଅନିର୍ଦ୍ଦିଷ୍ଟ କାଳ ବିରତି ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ସ୍ପଷ୍ଟ କରିଛି । ଆଙ୍ଗୁଠି ଆଘାତରୁ ସେ ସମ୍ପୂର୍ଣ୍ଣ ମୁକୁଳି ନାହାନ୍ତି । କ୍ରିକେଟରୁ କିଛି ଦିନ ଦୂରେଇ ରହିବା ଷ୍ଟୋକ୍ସଙ୍କ ନିଷ୍ପତ୍ତି ପଛରେ ଏହା ମଧ୍ୟ ଅନ୍ୟତମ କାରଣ ବୋଲି ଇସିବି କହିଛି । ଷ୍ଟୋକ୍ସଙ୍କ ନିଷ୍ପତ୍ତିକୁ ଆମେ ସମ୍ମାନ ଜଣାଉଛୁ ବୋଲି କହିଛନ୍ତି ଇସିବି ନିର୍ଦ୍ଦେଶକ ଆସଲେ ଜାଇଲ୍ସ । କ୍ରିକେଟକୁ ଫେରିବା ଲାଗି ମାନସିକ ଓ ଶାରୀରିକ ଭାବେ ସମ୍ପୂର୍ଣ୍ଣ ଠିକ୍ ହେବା ପାଇଁ ଷ୍ଟୋକ୍ସଙ୍କୁ ଉପଯୁକ୍ତ ସମୟ ଦିଆଯିବ ବୋଲି ସେ କହିଛନ୍ତି ।

ଭାରତ ବିପକ୍ଷ ଟେଷ୍ଟ ସିରିଜରୁ ଷ୍ଟୋକ୍ସ ଓହରିବା ପରେ ତାଙ୍କ ସ୍ଥାନରେ କ୍ରେଗ ଓଭର୍ଟନଙ୍କୁ ଇଂଲଣ୍ଡ ଦଳରେ ସାମିଲ କରାଯାଇଛି । ଭାରତ ବିପକ୍ଷ ସିରିଜରୁ ଷ୍ଟୋକ୍ସ ଓହରିବା ଇଂଲଣ୍ଡ ପାଇଁ ଏକ ବଡ଼ ଝଟକା । ଇଂଲଣ୍ଡ ଜୁନରେ ନ୍ୟୁଜିଲାଣ୍ଡ ଠାରୁ ଘରୋଇ ଟେଷ୍ଟ ସିରିଜ ହାରିଥିଲା । ତା’ ପୂର୍ବରୁ ଭାରତ ଗସ୍ତରେ ମଧ୍ୟ ଟେଷ୍ଟ ସିରିଜ ୩-୧ରେ ହାରିଥିଲା ରୁଟ୍ ଙ୍କ ଟିମ୍ ।

କରୋନା କାଳରେ କ୍ରିକେଟରଙ୍କ ମାନସିକ ସ୍ୱାସ୍ଥ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ପାଲଟିଛି । ଖେଳାଳିଙ୍କୁ ମାସ ମାସ ଧରି ବାୟୋ ବବଲରେ ରହିବାକୁ ପଡୁଛି ।

Comments are closed.