ଅସ୍ଥାନାଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଆଇପିଏସ୍ ଅଧିକାରୀ ରାକେଶ ଅସ୍ଥାନାଙ୍କୁ ଦିଲ୍ଲୀ ପୋଲିସ କମିଶନର ଭାବେ ନିଯୁକ୍ତି ବିରୋଧରେ ସୁପ୍ରିମକୋର୍ଟ ଅଗଷ୍ଟ ୫ରେ ଶୁଣାଣି କରିବେ। ସୁପ୍ରିମକୋର୍ଟଙ୍କ ସୂଚୀ ଅନୁଯାୟୀ ପ୍ରଧାନ ବିଚାରପତି (ସିଜେ) ଏନଭି ରମନ୍ନା ଏବଂ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ।

ଉଲ୍ଲେଖଯୋଗ୍ୟ ଯେ, ରାକେଶ ଅସ୍ଥାନାଙ୍କୁ ଦିଲ୍ଲୀ ପୋଲିସ କମିଶନର ଭାବେ ନିଯୁକ୍ତିକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଆସ୍ଥାନାଙ୍କ ନିଯୁକ୍ତିକୁ ରଦ୍ଦ କରିବାକୁ ଆଡଭୋକେଟ୍ ଏମ.ଏଲ୍ ଶର୍ମା ସୁପ୍ରିମକୋର୍ଟରେ ଆବେଦନ କରିଛନ୍ତି। ଏହି ମାମଲାରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା ଏବଂ ଗୃହ ମନ୍ତ୍ରଣାଳୟର ଅଧିକାରୀଙ୍କ ବିରୋଧରେ ଅଦାଲତ ଅବମାନନା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।

ଏହି ଆବେଦନରେ କୁହାଯାଇଛି ଯେ ଅବସର ଗ୍ରହଣ କରିବାର ଚାରି ଦିନ ପୂର୍ବରୁ ଆସ୍ଥାନାଙ୍କୁ ଦିଲ୍ଲୀ ପୋଲିସ କମିଶନର ଭାବେ ନିଯୁକ୍ତି ସୁପ୍ରିମକୋର୍ଟଙ୍କ ରାୟର ବିରୁଦ୍ଧାଚରଣ କରୁଛି। ଅବସର ଗ୍ରହଣ କରିବାର କିଛି ଦିନ ପୂର୍ବରୁ ଆସ୍ଥାନାଙ୍କୁ ଦିଲ୍ଲୀର ପୋଲିସ କମିଶନର ଭାବରେ ନିଯୁକ୍ତ କରାଯିବା ନେଇ ରାଜନୀତି ମଧ୍ୟ ତୀବ୍ର ହୋଇଛି। ଗତ ସପ୍ତାହରେ ଦିଲ୍ଲୀ ବିଧାନସଭା ଆସ୍ଥାନାଙ୍କୁ ଦିଲ୍ଲୀ ପୋଲିସ କମିଶନର ଭାବେ ନିଯୁକ୍ତି ବିରୋଧରେ ଏକ ସଂକଳ୍ପ ପାରିତ କରିଥିଲା ।

Comments are closed.