ସାରୁଅ ଜମି କେଳେଙ୍କାରୀର ସାଇଡ୍ ଇଫେକ୍ଟ, ଜେରା ପରେ ଓଆଇପିଏଲ ଛାଡିଲେ ନିର୍ଦ୍ଦେଶକ ନିହାର ଭୂୟାଁ, ତଦନ୍ତକାରୀ ଅଧିକାରୀଙ୍କୁ ସହଯୋଗ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର- ସାରୁ୍‌ଅ ଜମି ହଡପ ମାମଲାରେ କ୍ରାଇମବ୍ରାଚର ଅର୍ଥନୈତିକ ଅପରାଧ ଶାଖା ଦ୍ୱାରା ଜେରାର ସମ୍ମୁଖୀନ ହେଲା ପରେ ଓଟିଭି ସିଓଓ ତଥା ଓଡିଶା ଇନଫ୍ରାଟେକ୍ ପ୍ରାଇଭେଟ ଲିମିଟେଡ-ଓଆଇପିଲର ନିର୍ଦ୍ଦେଶକ ନିହାର ରଞ୍ଜନ ଭୂୟାଁ ପଦରୁ ଇସ୍ତଫା ଦେଇଛନ୍ତି । ଗତ ୧୭ ତାରିଖରେ ସେ କ୍ରାଇମବ୍ରାଂଚ ଅର୍ଥନୈତିକ ଅପରାଧ ଶାଖାରେ ହାଜର ହୋଇଥିଲେ । ଏଣେ ଏହି ମାମଲାରେ ନିହାର ରଞ୍ଜନ ତଦନ୍ତକାରୀ ଅଧିକାରୀଙ୍କୁ ସହାୟତା କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଓଆଇପିଲ ବିରୋଧରେ ସାରୁଅରେ ଦଳିତଙ୍କ ଜମି ହଡପ ଅଭିଯୋଗ ରହିଛି । ଏହି ମାମଲାରେ ପୂର୍ବରୁ ଓଆଇପିଏଲର ଦୁଇ ଜଣ ପୂର୍ବତନ ନିର୍ଦ୍ଦେଶକଙ୍କୁ ଜେରା ହୋଇଥିଲା ।

ମନୋରଂଜନ ଷଡଙ୍ଗୀ ଓ ବିଭୁ ରଥଙ୍କୁ ପଚରାଉଚରା କରିଥିଲା ଇଓଡବ୍ଲୁ । ପଚରାଉଚରା ପରେ ମନୋରଞ୍ଜନ ଷଡଙ୍ଗୀଙ୍କୁ ଗିରଫ କରାଯାଇଥିଲା । ଅସୁସ୍ଥତା ଯୋଗୁଁ ତାଙ୍କୁ ଜାମିନ ମିଳିଛି । ମନୋରଞ୍ଜଙ୍କ ସହ ଓଆଇପିଏଲର ଏକଜିକ୍ୟୁଟିଭ ଶିବପ୍ରସାଦ ଶ୍ରୀଚନ୍ଦନଙ୍କୁ ଗିରଫ କରାଯାଇଥିଲା । ସୂଚନାଯୋଗ୍ୟ ଯେ, ମାମଲା ରଦ୍ଦ ପାଇଁ ଓଆଇପିଏଲର ପ୍ରମୋଟର ଜଗି ମଙ୍ଗତ ଓ ବୈଜୟନ୍ତ ପଣ୍ଡାଙ୍କ ଆବେଦନ ହାଇକୋର୍ଟ ଖାରଜ କରିଦେଇଛନ୍ତି । ସେମାନଙ୍କ ଗିରଫଦାରୀ ଉପରେ ଥିବା ଅନ୍ତରୀଣ ସୁରକ୍ଷାକୁ ମଧ୍ୟ ହଟାଇ ଦେଇଛନ୍ତି ହାଇକୋର୍ଟ ।

Comments are closed.