ତରୁଣ ଗୋଗୋଇଙ୍କ ପରଲୋକ

ଗୁଆହାଟୀ – ବରିଷ୍ଠ କଂଗ୍ରେସ ନେତା ତଥା ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ତରୁଣ ଗୋଗୋଇଙ୍କ ସୋମବାର ପରଲୋକ ହୋଇଯାଇଛି । ତାଙ୍କୁ ୮୪ ବର୍ଷ ବୟସ ହୋଇଥିଲା । କରୋନା ସଂକ୍ରମଣ ଜନିତ ଜଟିଳତା ଯୋଗୁଁ ଗୋଗୋଇ ଗତ ନଭେମ୍ବର ୩ରୁ ଗୌହାଟି ମେଡିକାଲ କଲେଜରେ ଚିକିତ୍ସାଧୀନ ଥିଲେ । ଗୋଗୋଇଙ୍କ ଏକାଧିକ ଅଙ୍ଗ ଅଚଳ ହୋଇଯାଇଥିଲା । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ଆଜି ସନ୍ଧ୍ୟା ପ୍ରାୟ ୫ଟା ୪୦ ମିନିଟରେ ତାଙ୍କର ଦେହାନ୍ତ ହୋଇଥିବା ଆସାମ ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ସୂଚନା ଦେଇଛନ୍ତି ।

୧୯୩୬ ମସିହାରେ ଜନ୍ମଗ୍ରହଣ କରିଥିବା ଗୋଗୋଇ ୧୯୬୮ରେ ଜୋରହାଟ ପୌରପାଳିକାରୁ କାଉନସିଲର ଭାବେ ନିଜ ରାଜୈନତିକ କ୍ୟାରିୟର ଆରମ୍ଭ କରିଥିଲେ । ସେ ୧୯୭୧ ଲୋକସଭା ନିର୍ବାଚନାରେ ଜୋରହାଟରୁ ପ୍ରଥମଥର ଏମପି ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ସେ ୫ ଥର କୋଲିଆବୋର ଆସନରୁ ଏମପି ଭାବେ ନିର୍ବାଚିତ ହୋଇଥିଲେ । ପରେ ରାଜ୍ୟ ରାଜନୀତିରେ ଗୋଗୋଇଙ୍କ ପ୍ରାଧାନ୍ୟ ବୃଦ୍ଧି ପାଇଥିଲା । ସେ ୨୦୦୧ ରୁ ୨୦୧୬ ପର୍ଯ୍ୟନ୍ତ ଆସାମର ମୁଖ୍ୟମନ୍ତ୍ରୀ ରହିଥିଲେ ।

Comments are closed.