ଗିରଫ ପରେ ନିଲମ୍ବିତ ହେଲେ ଅଭୟକାନ୍ତ

ଭୁବନେଶ୍ୱର – ଆୟ ବହିର୍ଭୂତ ସମ୍ପତି ଠୁଳ ମାମଲାରେ ଗିରଫ ହେବା ପରେ ଆଇଏଫଏସ୍ ଅଫିସର ଅଭୟକାନ୍ତ ପାଠକଙ୍କୁ ରାଜ୍ୟ ସରକାର ଚାକିରୀରୁ ନିଲମ୍ବନ କରିଛନ୍ତି । ଏହା ପୂର୍ବରୁ ଅଭୟକାନ୍ତ ଓ ତାଙ୍କ ପୁଅକୁ ଗିରଫ କରାଯାଇ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା । ଜାମିନ ଆବେଦନ ଖାରଜ ହେବା ପରେ ଉଭୟଙ୍କୁ ୧୪ ଦିନ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି ।

ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଦୁଇଦିନ ଧରି ୧୩ଟି ସ୍ଥାନରେ ଚଢାଉ ଜାରି ରଖିଥିଲା । ଅଭୟକାନ୍ତଙ୍କ ବାସଭବନ ଉପରେ ଚଢାଉ କରି ବିପୁଳ ଅର୍ଥ, ସୁନାଗହଣା ଓ ଆୟବହିର୍ଭୂତ ସ୍ଥାବର-ଅସ୍ଥାବନର ସମ୍ପତ୍ତି ଜବତ କରିଥିଲା ଭିଜିଲାନ୍ସ । ଭୁବନେଶ୍ୱର, ମୁମ୍ବାଇ, ପୁନେ, ଉଦୟପୁରରେ ଭିଜିଲାନ୍ସର ଚଢାଉ ବେଳେ ଘରୁ ପ୍ରାୟ ୬୦ ଲକ୍ଷ ଟଙ୍କାର ସୁନାଗହଣା କିଣାଯାଇଥିବାର କାଗଜପତ୍ର ଓ ରସିଦ ମିଳିଥିଲା । ଅଭୟକାନ୍ତଙ୍କ ପୁଅ ଆକାଶ ନାମରେ ବି ଆର୍ଥିକ ଅନିୟମିତତା ଅଭିଯୋଗ ରହିଥିଲା । ଆକାଶଙ୍କ ବ୍ୟାଙ୍କ୍ ଆକାଉଣ୍ଟରେ ୯ କୋଟିରୁ ଊର୍ଦ୍ଧ୍ୱ ଡିପୋଜିଟ୍ ରହିଛି । କେବଳ ଭୁବନେଶ୍ୱର ଥିବା ଆକାଶଙ୍କ ଆକାଉଣ୍ଟରେ ୮ କୋଟିରୁ ଅଧିକ ନଗଦ ଡିପୋଜିଟ୍ ରହିଛି । ତାଙ୍କର ବ୍ରହ୍ମପୁରରେ ଥିବା ଆକାଉଣ୍ଟରେ ବି କିଛି ନଗଦ ଜମା ରହିଥିବା ଭିଜିଲାନ୍ସ ସୂତ୍ରରୁ ଜଣାପଡିଛି ।

Comments are closed.