ଆନ୍ଦୋଳନ ବନ୍ଦ କରିବାକୁ ଚାଷୀଙ୍କୁ କୃଷିମନ୍ତ୍ରୀଙ୍କ ଅନୁରୋଧ, ଆଲୋଚନା ପାଇଁ ପ୍ରସ୍ତାବ ଦେଲେ

ନୂଆଦିଲ୍ଲୀ – କେନ୍ଦ୍ର ସରକାରଙ୍କ ତିନୋଟି କୃଷି ଆଇନକୁ ବିରୋଧ କରି ‘ଦିଲ୍ଲୀ ଚଲୋ’ ଡ଼ାକରା ଦେଇଥିବା ଚାରି ରାଜ୍ୟର ଚାଷୀଙ୍କୁ ଆନ୍ଦୋଳନ ବନ୍ଦ କରିବାକୁ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଅନୁରୋଧ କରିଛନ୍ତି । ଡିସେମ୍ବର ୩ରେ ସବୁ ଆପତ୍ତି ଅଭିଯୋଗ ଉପରେ ଆଲୋଚନା ପାଇଁ ତୋମର ଆନ୍ଦୋଳନରତ ଚାଷୀମାନଙ୍କୁ ପ୍ରସ୍ତାବ ଦେଇଛନ୍ତି । ଏହାପୂର୍ବରୁ ଆନ୍ଦୋଳନରତ ଚାଷୀମାନଙ୍କୁ ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ବିକ୍ଷୋଭ ପ୍ରଦର୍ଶନ ପାଇଁ ଅନୁମତି ଦିଆଯାଇଥିଲା ।

ଚାଷୀମାନଙ୍କ ସହ ଆଲୋଚନା ପରେ ସେମାନଙ୍କୁ ବୁରାଡ଼ି ସ୍ଥିତ ନିରଙ୍କରୀ ଗ୍ରାଉଣ୍ଡରେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ କରିବାକୁ ଅନୁମତି ଦିଆଯାଇଛି ବୋଲି ଦିଲ୍ଲୀ ପୋଲିସ ପ୍ରବକ୍ତା ଈଶ ସଂଘଲ କହିଛନ୍ତି । ଦିଲ୍ଲୀ ଆସିବାକୁ ଅନୁମତି ମିଳିବା ପରେ ଦିଲ୍ଲୀ-ହରିଦ୍ୱାର ରାଜପଥକୁ ଅବରୋଧ କରି ରଖିଥିବା ଚାଷୀମାନେ ଧାରଣାରୁ ଉଠିଛନ୍ତି । ଏହି ରାଜପଥ ଦେଇ ଏବେ ଯାନବାହାନ ଚଳାଚଳ ସ୍ୱାଭାବିକ ହୋଇଛି । ଚାଷୀମାନଙ୍କ ‘ଦିଲ୍ଲୀ ଚଲୋ’ ଡାକରା ପରେ ଦିଲ୍ଲୀ-ହରିୟାଣା ସୀମାରେ ବ୍ୟାପକ ପୋଲିସ ମୁତୟନ କରାଯାଇଥିଲା । ଟ୍ରାକ୍ଟରରେ ଚାଷୀମାନେ ଦିଲ୍ଲୀ ଆସିବା ବାଟରେ ଅନେକ ସ୍ଥାନରେ ପୋଲିସ ସହ ସେମାନଙ୍କ ମୁହାଁମୁହିଁ ହୋଇଥିଲା । ଚାଷୀମାନଙ୍କୁ ରୋକିବା ଲାଗି ପୋଲିସ ପାଣି ମାଡ ଓ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା । କିଛି ସ୍ଥାନରେ ଚାଷୀମାନେ ବ୍ୟାରିକେଡ୍ ଭାଙ୍ଗିବା ସହ ପୋଲିସ ଉପରକୁ ଟେକାମାଡ କରିଥିଲେ ।

Comments are closed.