ହମ୍ ହୋଙ୍ଗେ କାମୟାବ୍‌: ସ୍ଲୋଗାନବାଜି, ଦେଶାତ୍ମବୋଧ ଗୀତରେ ଚାଷୀଙ୍କ ଆନ୍ଦୋଳନ ଜାରି

ନୂଆଦିଲ୍ଲୀ – ଦିଲ୍ଲୀରେ ପ୍ରବେଶ ପାଇଁ ଅନୁମତି ମିଳିବା ପରେ ବୁରାଡି ଗ୍ରାଉଣ୍ଡରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୪୦୦ରୁ ଊର୍ଦ୍ଧ୍ୱ ଚାଷୀଙ୍କ ବିଶାଳ ସମାବେଶ ହୋଇଛି । କେନ୍ଦ୍ର ସରକାରଙ୍କ କୃଷି ନିୟମ ବିରୋଧରେ ସ୍ଲୋଗାନ ଦେବା ସହ ବିିଭିନ୍ନ ଦେଶାତ୍ମକବୋଧ ଗୀତ ଗାଇ ଚାଷୀମାନେ ସେମାନଙ୍କ ଆନ୍ଦୋଳନ ଜାରି ରଖିଛନ୍ତି ।

ସେପଟେ ଶତାଧିକ ଚାଷୀ ଦିଲ୍ଲୀ ସଂଲଗ୍ନ ରାଜ୍ୟର ବିଭିନ୍ନ ସୀମାରେ ଏବେ ବି ଧାରଣାରେ ବସିଛନ୍ତି । ପଞ୍ଜାବ, ହରିୟାଣା ସହ ମଧ୍ୟପ୍ରଦେଶ ଓ ରାଜସ୍ଥାନରୁ ବହୁ ସଂଖ୍ୟାରେ ଚାଷୀ ଟ୍ରାକ୍ସର ଓ ଟ୍ରକରେ ଆଜି ବୁରାଡି ଗ୍ରାଉଣ୍ଡକୁ ଆସିଥିଲେ । ସେମାନେ ଧରତୀ ମାତା କି ଜୟ, ନରେନ୍ଦ୍ର ମୋଦି କିଷାନ ବିରୋଧୀ ଏବଂ ଇନକିଲାବ ଜିନ୍ଦାବାଦ ଆଦି ସ୍ଲୋଗାନ ଦେଇ କୃଷି ଆଇନ ବିରୋଧରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । କିିଛି କୃଷକ ନେତା ଭାଷଣ ଦେଇଥିବା ବେଳେ ଆଉ କିଛି ଢୋଲ ବାଦ୍ୟ ଓ ‘ହମ୍ ହୋଙ୍ଗେ୍ କାମୟାବ’ ଗୀତର ତାଳେତାଳେ ନାଚୁଥିବା ଦେଖିବାକୁ ମିଳିଥିଲା । ଦାବି ପୂରଣ ନ ହେବା ଯାଏଁ ସେମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି ଏକାସ୍ୱରରେ କହୁଥିଲେ ଆନ୍ଦୋଳନରତ ଚାଷୀ । ବଙ୍ଗଲା ସାହିବ ଗୁରୁଦ୍ୱାରା ତରଫରୁ ବୁରାଡ଼ି ଗ୍ରାଉଣ୍ଡରେ ଆନ୍ଦୋଳନରତ ଚାଷୀମାନଙ୍କ ପାଇଁ ଖାଇବା ବ୍ୟବସ୍ଥା କରାଯାଇଛି । ଚାଷୀମାନଙ୍କୁ ଆନ୍ଦୋଳନ ବନ୍ଦ କରିବା ପାଇଁ ଗତକାଲି କେନ୍ଦ୍ର କୃଷୀମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ଅନୁରୋଧ କରିଥିଲେ । ଚାଷୀମାନଙ୍କ ଦାବି ସମ୍ପର୍କରେ ଡିସେମ୍ବର ୩ରେ ଆଲୋଚନା ପାଇଁ ତୋମର ପ୍ରସ୍ତାବ ଦେଇଥିଲେ ।

Comments are closed.