ସୁକମାରେ ନକ୍ସଲଙ୍କ ଆଇଇଡି ବ୍ଲାଷ୍ଟ; ସିଆରପିଏଫର ଆସିଷ୍ଟାଣ୍ଟ୍ କମାଣ୍ଡେଣ୍ଟ୍ ଶହୀଦ, ୯ ଆହତ

ରାୟପୁର – ଛତିଶଗଡ଼ ସୁକମାରେ ଶନିବାର ରାତିରେ ଆଇଇଡି ବ୍ଲାଷ୍ଟରେ ସିଆରପିଏଫ୍ ‘କୋବ୍ରା’ ବାଟାଲିୟନର ଜଣେ ଆସିଷ୍ଟାଣ୍ଡ୍ କମାଣ୍ଡେଣ୍ଟ୍ ଶହିଦ୍ ହୋଇଛନ୍ତି । ଏଥିରେ ଆଉ ୯ ଜଣ ଯବାନ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଚାରି ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆହତଙ୍କ ଯବାନଙ୍କ ମଧ୍ୟରୁ ୭ ଜଣଙ୍କୁ ରାୟପୁରସ୍ଥିତ ରାମକୃଷ୍ଣ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସୁକମା ସିଆରପିଏଫ୍ କ୍ୟାମ୍ପରେ ଅନ୍ୟ ଦୁଇ ଜଣଙ୍କ ଚିକିତ୍ସା ଚାଲିଛି । ଚିନ୍ତାଗୁଫା ଅଞ୍ଚଳରେ କୁମ୍ବିଂ ଅପରେସନ ବେଳେ ନକ୍ସଲମାନଙ୍କ ଦ୍ୱାରା ଏହି ବ୍ଲାଷ୍ଟ କରାଯାଇଥିଲା ।

ଚିନ୍ତଲନାର, ବୁରକାପାଲ ଓ ଚିନ୍ତାଗୁଫା ବେସ୍ କ୍ୟାମ୍ପରୁ କୋବ୍ରା, ଏସଟିଏଫ୍ ଓ ଡିଆରଜି ଯବାନମାନେ ଆଣ୍ଟି ନକ୍ସଲ ଅପରେସନ ପାଇଁ ଚିନ୍ତାଗୁଫାରେ ପହଞ୍ଚିଥିଲେ । ରାତି ପ୍ରାୟ ୮ଟା ୩୦ ମିନିଟରେ ଅରବରାଜ ମେଟା ପାହାଡ ପାଖରେ ଆଇଇଡି ବ୍ଲାଷ୍ଟ ହୋଇଥିଲା । ଏହି ବ୍ଲାଷ୍ଟରେ କୋବ୍ରାର ୨୦୬ ବାଟାଲିୟନର ଆସିଷ୍ଟାଣ୍ଟ୍ କମାଣ୍ଡେଣ୍ଟ୍ ନୀତିନ ଭୋଲାରାଓଙ୍କ ସମେତ ୧୦ ଯବାନ ଗୁରୁତର ଭାବେ ଆହତ ହୋଇଥିଲେ । ସେମାନଙ୍କୁ ପ୍ରଥମେ ଚିନ୍ତଲନାର ଫିଲ୍ଡ ହସ୍ପିଟାଲ ଏବଂ ପରେ ରାୟପୁରକୁ ସ୍ଥାନାନ୍ତର କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ନୀତିନ ଭୋଲାରାଓଙ୍କ ମୃତ୍ୟୁ ଘଟିଥିଲା । ନକ୍ସଲମାନେ ଆଇଡି ବ୍ଲାଷ୍ଟ ସହ ଆମ୍ବୁସ ଯୋଜନା ବି କରିଥିଲେ । ଆଇଡି ବ୍ଲାଷ୍ଟ ପରେ ନକ୍ସଲମାନେ କୋବ୍ରା ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଯବାନଙ୍କ ପାଲଟା ଆକ୍ରମଣ ପରେ ନକ୍ସଲମାନେ ସେଠାରୁ ଛତ୍ରଭଙ୍ଗ ଦେଇଥିଲେ । ଉକ୍ତ ଅଞ୍ଚଳରେ ଯବାନଙ୍କ ସର୍ଚ ଓ କୁମ୍ବିଂ ଅପରେସନ ଜାରି ରହିଛି ।

Comments are closed.