ଅମିତ ଶାହଙ୍କ ସର୍ତ୍ତମୂଳକ ଆଲୋଚନା ପ୍ରସ୍ତାବକୁ ଚାଷୀଙ୍କ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ – କେନ୍ଦ୍ରର କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା ଚାଷୀମାନେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସର୍ତ୍ତମୂଳକ ଆଲୋଚନା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ପଞ୍ଜାବ ଓ ହରିୟାଣାର ଚାଷୀମାନେ ଦିଲ୍ଲୀର ନିରଙ୍କରୀ ସ୍ଥିତ ବୁରାଡି ଗ୍ରାଉଣ୍ଡକୁ ଆସିବାକୁ ମନା କରିଛନ୍ତି । କୃଷି ଆଇନର ପ୍ରତ୍ୟାହାର ଦାବିରେ ହଜାର ହଜାର ଚାଷୀ ଦିଲ୍ଲୀ ସୀମାବର୍ତ୍ତି ଅଞ୍ଚଳ ଗୁଡିକରେ ଆନ୍ଦୋଳନ ଜାରି ରଖିଛନ୍ତି ।

ଡିସେମ୍ବର ୩ ପୂର୍ବରୁ ଆଲୋଚନା ଚାହୁଁଥିଲେ ଚାଷୀମାନେ ଆନ୍ଦୋଳନ ପାଇଁ ନିର୍ଦ୍ଧାରିତ ସ୍ଥାନ ବୁରାଡି ଗ୍ରାଉଣ୍ଡକୁ ଆସନ୍ତୁ ବୋଲି ଗୃହମନ୍ତ୍ରୀ ଅମିତ ଶାହ ଗତକାଲି ଚାଷୀମାନଙ୍କୁ ପ୍ରସ୍ତାବ ଦେଇଥିଲେ । ବୁରାଡି ଗ୍ରାଉଣ୍ଡକୁ ଆସିଲେ ତା’ ପର ଦିନ ସରକାର ଚାଷୀମାନଙ୍କ ସହ ଆଲୋଚନା ଆରମ୍ଭ କରିବେ ବୋଲି ଶାହ କହିଥିଲେ । ଗୃହମନ୍ତ୍ରୀଙ୍କ ଏହି ପ୍ରସ୍ତାବ ଉପରେ ରବିବାର ପଞ୍ଜାବ ଓ ହରିୟାଣାର ବିଭିନ୍ନ କୃଷକ ସଂଗଠନ ବିଚାର ବିମର୍ଷ କରିଥିଲେ ।

ତେବେ ସେମାନେ ଏହି ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିବା ସହ ଦିଲ୍ଲୀ ସୀମା ସିଂଘୁ ଓ ଟ୍ରିକ୍ରିରେ ନିଜ ଆନ୍ଦୋଳନ ଜାରି ରଖିବେ ବୋଲି ନିଷ୍ପତ୍ତି ନେଇଥିଲେ । କିଛି କୃଷକ ସଂଗଠନ ବୁରାଡି ଗ୍ରାଉଣ୍ଡ ପରିବର୍ତ୍ତେ ସେମାନଙ୍କୁ ସଂସଦ ଭବନ ନିକଟସ୍ଥ ଜନ୍ତର ମନ୍ତରରେ ଆନ୍ଦୋଳନ କରିବାକୁ ଅନୁମତି ଦିଆଯାଉ ବୋଲି ଦାବି କରିଥିଲେ ।

Comments are closed.