ବୋଇତ ବନ୍ଦାଣ, କଳିଙ୍ଗ ବାଲିଯାତ୍ରା ଓ ବିଜୁ ବାବୁ

କାର୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ମନେ ପକାଇ ଦିଏ ଆମ ସମୃଦ୍ଧମୟ ଅତୀତର ଗୌରବମୟ ଗାଥା । ମନେ ପଡିଯାଏ ଆମର ସମୃଦ୍ଧ ନୌବାଣିଜ୍ୟ ପରମ୍ପରା । ପ୍ରାଚୀନ କଳିଙ୍ଗର ବଣିକମାନେ ସମୁଦ୍ର ପଥରେ ନୌକା ନେଇ ବେପାର ବଣିଜ କରିବାକୁ ସୁଦୂର ଦକ୍ଷିଣ ପୂର୍ବ ଏସିଆର ଦେଶଗୁଡିକୁ ଯାଉଥିଲେ । ସେଠାରେ ବେଶ୍ ବିକ୍ରିବଟା କରୁଥିଲେ । ଏହା ଦ୍ୱାରା କଳିଙ୍ଗ ଓ ଦକ୍ଷିଣ-ପୂର୍ବ ଏସିଆର ଦେଶଗୁଡିକ ମଧ୍ୟରେ ସ୍ଥାପିତ ହୋଇଥିଲା ସୌହାଦ୍ର୍ଧ୍ୟପୂର୍ଣ୍ଣ ବାଣିଜ୍ୟିକ ଓ ସାଂସ୍କୃତିକ ସଂପର୍କ । ଆଜିର ଇଣ୍ଡୋନେସିଆର ବାଲି ଦ୍ୱୀପ ସହ ପ୍ରାଚୀନ କଳିଙ୍ଗର ବହୁ ପୁରୁଣା ସଂପର୍କ ରହିଆସିଛି । ଓଡିଆ ବଣିକମାନେ ବାଲି ଦ୍ୱୀପକୁ ବି ଯାତ୍ରା କରୁଥିଲେ । ବାଲି ଦ୍ୱୀପ ଥିଲା ବାଣିଜ୍ୟ ପାଇଁ ଓଡିଆମାନଙ୍କ ପ୍ରିୟ ଓ ପ୍ରମୁଖ ସ୍ଥାନ । ସେଥିପାଇଁ ଓଡିଆ ବଣିକମାନଙ୍କ ବାଣିଜ୍ୟିକ ଯାତ୍ରା ‘ବାଲି ଯାତ୍ରା’ ନାମରେ ବିଖ୍ୟାତ । ବାଲି ଦ୍ୱୀପକୁ ଓଡିଆ ବଣିକମାନଙ୍କ ବ୍ୟବସାୟ ଓ ବାଣିଜ୍ୟ ଉଦ୍ଦେଶ୍ୟରେ ଯାତ୍ରା ବାଲି ଯାତ୍ରା ନାମରେ ଲୋକପ୍ରିୟ । ସେହି ଯାତ୍ରା ସ୍ମରଣରେ ପ୍ରତିବର୍ଷ କଟକ ସହରରେ ବାଲି ଯାତ୍ରା ହୁଏ । ଏ ବର୍ଷ କିନ୍ତୁ କୋରୋନା ମହାମାରୀ ଯୋଗୁଁ ତାହା ସମ୍ଭବ ହୋଇନାହିଁ ।

ଇଣ୍ଡୋନେସିଆର ବାଲି ଦ୍ୱୀପ ସହ ପ୍ରାଚୀନ କଳିଙ୍ଗର ରହିଆସିଥିବା ଶତାବ୍ଦୀ ଶତାବ୍ଦୀର ବାଣିଜ୍ୟିକ ଓ ସାଂସ୍କୃତିକ ସଂପର୍କର ପୁନରୁଦ୍ଧାର ସହ ପର୍ଯ୍ୟଟନର ପ୍ରସାର ପାଇଁ ୧୯୯୨ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ଉଦ୍ୟମ କରିଥିଲେ । ବିଜୁ ବାବୁ ସେହି ବର୍ଷ କାର୍ତିକ ପୂର୍ଣ୍ଣିମା ( ନଭେମ୍ବର ୧୦ ) ଦିନ ବାଲି ଦ୍ୱୀପ ଅଭିମୁଖେ ଏକ ଜଳଯାତ୍ରାର ଶୁଭାରମ୍ଭ କରିଥିଲେ । ସେହି ଦିନ ୧୩ ମିଟର ଲମ୍ବ ଆଇଏନଏସ –ଭି ସମୁଦ୍ର ତରୀ ୭ ଜଣିଆ ଦଳ ପାରାଦୀପ ବନ୍ଦରରୁ ବାଲି ଦ୍ୱୀପ ଅଭିମୁଖେ ଯାତ୍ରାରମ୍ଭ କରିବା ସହ ଇତିହାସର ଏକପ୍ରକାର ପୁନରାବୃତି ହୋଇଥିଲା । ପ୍ରାଚୀନ ନୌବାଣିଜ୍ୟତ୍ଥପଥରେ ବାଲି ଦ୍ୱୀପ ଅଭିମୁଖେ ଯାତ୍ରରମ୍ଭ କରିଥିଲା ଆଇଏନଏସ –ଭି ସମୁଦ୍ରର ନୌକା । ବଡ ଆଡମ୍ବରପୂର୍ଣ୍ଣ ଭାବେ କଳିଙ୍ଗର ସମୃଦ୍ଧ ନୌବାଣିଜ୍ୟ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ଲକ୍ଷ୍ୟରେ ବିଜୁ ବାବୁ କଳିଙ୍ଗ-ବାଲିଯାତ୍ରାର ଆୟୋଜନ କରିଥିଲେ । ପାରମ୍ପରିକ ବୋଇତ ବନ୍ଦାଣ ସମାରୋହ ପରେ ଆରମ୍ଭ ହୋଇଥିଲା ନୌଯାତ୍ରା । ଉତ୍ସବରେ ଇଣ୍ଡୋନେସିଆର କୂଟନୀତିଜ୍ଞମାନେ ବି ଯୋଗ ଦେଇଥିଲେ । ପ୍ରାଚୀନ କଳିଙ୍ଗର ବଣିକମାନେ ଯେଉଁ ସବୁ ସାମୁଦ୍ରିକ ପଥ ଦେଇ ଯାତ୍ରା କରୁଥିଲେ, ଆଇଏନଏସ ଭି-ସମୁଦ୍ର ବି ସେସବୁ ପଥ ଦେଇ ଯାତ୍ରା କରିଥିଲେ । ଦୀର୍ଘ ୧୭ ସପ୍ତାହ ଓ ୫ ହଜାର ୮୧୦ ନୌଟିକାଲ ମାଇଲ ଅତିକ୍ରମ କଲା ପରେ ପାରାଦୀପରୁ ବାହାରିଥିବା ତରୀ ବାଲି ଦ୍ୱୀପରେ ପହଂଚିଥିଲା । ସେଠାରେ ପହଂଚିବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଓଡିଆ ଦଳଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏପରିକି ବାଲି ଦ୍ୱୀପ ରାଜ୍ୟପାଳ ବି ବ୍ୟକ୍ତିଗତ ଭାବେ ଉପସ୍ଥିତ ଥିଲେ । ବାଲି ଦ୍ୱୀପରେ ତିନି ଦିନ ଯାଏଁ ବିଭିନ୍ନ ପାଠଚକ୍ର, ପ୍ରଦର୍ଶନୀ ଓ ମନୋରଂଜନ କାର୍ଯ୍ୟକ୍ରମ ଚାଲିଲା । ପ୍ରାଚୀନ କଳିଙ୍ଗ ଓ ଇଣ୍ଡୋନେସିଆ ମଧ୍ୟରେ ଶହ ଶହ ବର୍ଷର ପୁରୁଣା ବାଣିଜ୍ୟିକ ଓ ସାଂସ୍କୃତିକ ସଂପର୍କ ନେଇ ଚର୍ଚ୍ଚା ହୋଇଥିଲା ।

ଅତୀତର ସଂପର୍କ ସୁଦୃଢ କରିବା ସହ ପର୍ଯ୍ୟଟନର ପ୍ରସାର ଓ ସାଂସ୍କୃତିକ ବିନିମୟ ଏବଂ ପ୍ରାଚୀନ କଳିଙ୍କର ବାଣିଜ୍ୟିକ ବିଭବ ସଂପର୍କରେ ପୁଣି ବିଶ୍ୱକୁ ଜଣାଇବାକୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ‘କଳିଙ୍ଗ ବାଲିଯାତ୍ରା’ ଥିଲା ଏକ ନିଷ୍ଠାବାନ ଉଦ୍ୟମ । ବିଜୁବାବୁଙ୍କ ପରି ଜଣେ ଦୂରଦୃଷ୍ଟିସଂପନ୍ନ ନେତା ହିଁ ଏମିତି ଏକ କାର୍ଯ୍ୟକ୍ରମର ପରିକଳ୍ପନା କରିପାରିବେ ।

Comments are closed.