ଡିସେମ୍ବର ୪ରେ ସର୍ବଦଳୀୟ ବୈଠକ, କୋଭିଡ୍ ସ୍ଥିତି ଉପରେ ହେବ ଆଲୋଚନା

ନୂଆଦିଲ୍ଳୀ – ଦେଶରେ କୋଭିଡ୍‌-୧୯ ସ୍ଥିିତିର ସମୀକ୍ଷା ପାଇଁ କେନ୍ଦ୍ର ସରକାର ଆସନ୍ତା ଡିସେମ୍ବର ୪ରେ ଏକ ସର୍ବଦଳୀୟ ବୈଠକ ଡାକିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏହି ସର୍ବଦଳୀୟ ବୈଠକରେ ଦେଶରେ କୋଭିଡ୍‌-୧୯ ସ୍ଥିତି ଓ ଟିକା ବିତରଣ ଯୋଜନା ଉପରେ ଆଲୋଚନା ହେବା ସମ୍ଭାବନା ରହିଛି ।

ଏହି ମହାମାରୀ ବ୍ୟାପିବା ପରଠୁ ଦ୍ୱିତୀୟ ଥର ପାଇଁ ଏକ ସର୍ବଦଳୀୟ ବୈଠକ ଡକାଯାଇଛି । ଆଗାମୀ ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଗୃହମନ୍ତ୍ରୀ ଅମିତ ଶାହ, ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କ ମଧ୍ୟ ଏହି ବୈଠକରେ ଯୋଗଦେବା ଆଶା କରାଯାଉଛି । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ରାଷ୍ଟ୍ରମନ୍ତ୍ରୀ ଅର୍ଜୁନ ରାମ ମେଘାୱାଲ ମଧ୍ୟ ଏହି ସର୍ବଦଳୀୟ ବୈଠକରେ ଯୋଗଦେବେ । ଦିଲ୍ଲୀରେ କୋଭିଡ୍‌-୧୯ ମାମଲା ବଢୁଥିବାରୁ ସଂସଦର ଆଗାମୀ ଶୀତକାଳୀନ ଅଧିବେଶନ ସହ ବଜେଟ ଅଧିବେଶନର ମିଶ୍ରଣ ନେଇ ଯୋଜନା ରହିଛି । ସର୍ବଦଳୀୟ ବୈଠକରେ ଏହି ବିଷୟ ଉପରେ ବି ଆଲୋଚନା ହେବା ସମ୍ଭାବନା ରହିଛି ।

ମୋଦି ଆଜି ଟିକା ପ୍ରସ୍ତୁତକାରୀ କମ୍ପାନୀମାନଙ୍କ ସହ ଆଲୋଚନା କରିବା ପରେ ସର୍ବଦଳୀୟ ବୈଠକ ଡକାଯିବା ନିଷ୍ପତ୍ତି ହୋଇଥିବାରୁ ଏହା ବେଶ୍ ଗୁରୁତ୍ୱବହନ କରୁଛି । ନିକଟରେ ମୋଦି ଭାରତରେ ତିନି ପ୍ରମୁଖ ଟିକା ପ୍ରସ୍ତୁତକାରୀ କମ୍ପାନୀର ଲ୍ୟାବ୍ ଗସ୍ତ କରି ଟିକା ଅଗ୍ରଗତିର ସମୀକ୍ଷା କରିଥିଲେ ।

Comments are closed.