କେନ୍ଦ୍ର ସହ ଚାଷୀଙ୍କ ଆଲୋଚନା ବିଫଳ, ୩ରେ ଆଉ ଏକ ବୈଠକ

ନୂଆଦିଲ୍ଲୀ – କୃଷି ଆଇନ ବିରୋଧରେ ଆନ୍ଦୋଳନରତ ଚାଷୀଙ୍କ ସହ ଆଜି କେନ୍ଦ୍ର ସରକାର ଆଲୋଚନା କରିଥିଲେ । ତେବେ ଏହି ଆଲୋଚନାରୁ କୌଣସି ଫଳାଫଳ ବାହାରି ପାରିନାହିଁ । ଚାଷୀଙ୍କ ବିଭିନ୍ନ ଦାବି ଉପରେ ବିଚାର କରିବା ପାଇଁ ଏକ କମିଟି ଗଠନ କରିବାକୁ ସରକାର ପ୍ରସ୍ତାବ ଦେଇଥିଲେ । କିନ୍ତୁ ଏହାକୁ ଚାଷୀମାନେ ପ୍ରତ୍ୟାଖ୍ୟାନ କରିଥିଲେ । ବିଜ୍ଞାନ ଭବନରେ ଆଜି ଉଭୟ ପକ୍ଷ ମଧ୍ୟରେ ପ୍ରାୟ ତିନି ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ହୋଇଥିବା ଆଲୋଚନା ବିନା କୌଣସି ନିଷ୍ପତ୍ତିରେ ଶେଷ ହୋଇଥିଲା । ଚାଷୀ ଓ ସରକାରଙ୍କ ମଧ୍ୟରେ ପୁଣିଥରେ ଡିସେମ୍ବର ୩ରେ ଆଉ ଏକ ପର୍ଯ୍ୟାୟ ଆଲୋଚନା ହେବ । ସନ୍ଧ୍ୟାରେ କିଛି କୃଷକ ସଂଗଠନଙ୍କ ସହ କୃଷି ମନ୍ତ୍ରାଳୟରେ ଆଉ ଏକ ବୈଠକ ବସିଥିଲା ।

ଏଥିରେ ଭାରତୀୟ କିଷାନ ସଂଘର ପ୍ରତିନିଧିମାନେ ଯୋଗ ଦେଇଥିଲେ ।
ପୂର୍ବରୁ ବିଜ୍ଞାନ ଭବନରେ ହୋଇଥିବା ବୈଠକରେ ପ୍ରାୟ ସବୁ କୃଷକ ସଂଘର ନେତାମାନେ ଯୋଗ ଦେଇଥିଲେ । ବୈଠକରେ ଚାଷୀମାନେ ତିନୋଟି ନୂତନ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବି ଦୋହରାଇଥିଲେ । ଏହି ତିନି କୃଷି ଆଇନ ଚାଷୀଙ୍କ ସ୍ୱାର୍ଥ ବିରୋଧୀ ବୋଲି ସେମାନେ ଅଭିଯୋଗ କରିଥିଲେ । ଆନ୍ଦୋଳନରତ ଚାଷୀଙ୍କ ଆଉ ଏକ ମୁଖ୍ୟ ଦାବି ହେଉଛି ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) । ସେମାନଙ୍କ ଆଶଙ୍କା ହେଲା ଯେ, ନୂତନ କୃଷି ଆଇନ କାର୍ଯ୍ୟକାରୀ କରାଗଲେ ଏମଏସପି ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଚ୍ଛେଦ ହୋଇଯିବ । ଆଉ କିଛି ଚାଷୀ ସଂଗଠନ ଚାଷୀଙ୍କ ପାଇଁ ବିଦ୍ୟୁତ ଦର ହ୍ରାସ କରିବାକୁ ଦାବି କରିଛନ୍ତି ।

Comments are closed.